ଭୁବନେଶ୍ୱର : ଆବାସ ଯୋଜନାରେ ସହରାଞ୍ଚଳର ବାସହୀନ ଗରିବ ଲୋକମାନଙ୍କୁ ବିଶେଷ କରି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚକରି ସରକାର ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ଫ୍ଲାଟ୍ ନିର୍ମାଣ କରୁଥିବାବେଳେ ଏହା ଯୋଗାଇ ଦେବାପାଇଁ ଏବେ ଦଲାଲମାନେ ଖୋଲାଖୋଲି ଭାବେ ଅର୍ଥ ଆଦାୟ କରୁଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଆପାର୍ଟମେଣ୍ଟରେ କୋଠାଘର ପାଇବା ଆଶାରେ ଅନେକ ଆଶାୟୀ ବି ଦଲାଲମାନଙ୍କୁ କରଜ କରି ହଜାର ହଜାର ଟଙ୍କା ଦେଉଥିବା ଘେନି ଗୁରୁତର ଅଭିଯୋଗ ହେଉଛି ।
ରାଜଧାନୀର ସ୍ୱୀକୃତିପ୍ରାପ୍ତ ବସ୍ତି ଗୁଡିକରେ କେଉଁମାନଙ୍କର ଘର ରହିଛି ସେ ସଂକ୍ରାନ୍ତରେ ସରକାରଙ୍କ ପାଖରେ ବିସ୍ତୃତ ସର୍ଭେ ରିପୋର୍ଟ ରହିଛି । ଅନେକ ବସ୍ତିବାସିନ୍ଦା ଅଧିକ ଘର ନିର୍ମାଣ କରି ଭଡା ଲଗାଇଛନ୍ତି । ଏବେ ଦଲାଲମାନଙ୍କ ନଜରରେ ଏହି ଭଡାଟିଆମାନେ ରହିଛନ୍ତି । ବସ୍ତିର ଭଡାଟିଆମାନଙ୍କୁ ଘର ଯୋଗାଇ ଦେବାପାଇଁ ଅନେକ କ୍ଷେତ୍ରରେ ଦଲାଲଙ୍କ ସହ ଘରମାଲିକ ବି ମିଶିଯାଉଛନ୍ତି । ମୋଟାଅଙ୍କର ଅର୍ଥ ଦେଲେ ଏହି ଭଡାଟିଆମାନଙ୍କ ନାମ ଘର ତାଲିକାରେ ରହିବ ବୋଲି ପ୍ରତିଶ୍ରୁତି ଦେଇ ଖୋଲାଖୋଲିଭାବେ କଳା କାରବାର ଚାଲିଥିବା ବିଭିନ୍ନ ବସ୍ତିରୁ ଅଭିଯୋଗ ଆସୁଛି ।
ବସ୍ତିପାଖରେ ଥିବା ସରକାରୀ ଜାଗା ବିନା କାଗଜପତ୍ରରେ ବିକି କୋଟି କୋଟି ଟଙ୍କା କମାଇଥିବା କେତେକ ଦଲାଲଙ୍କୁ ଇତି ମଧ୍ୟରେ ଧରାଯାଇଥିବା କୁହାଯାଉଛି । କିଛିଦିନ ତଳେ ବାସହୀନଙ୍କୁ ବାସଗୃହ ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ଟଙ୍କା ନେଇ ଗିରଫ ହୋଇଥିବା ନଜିର ମଧ୍ୟ ରହିଛି ।
ନୀଳାଦ୍ରିବିହାର ସମେତ ରାଜଧାନୀର କେତେକ ଅଞ୍ଚଳରେ ଏବେ ଆବାସ ଯୋଜନାରେ ଫ୍ଲାଟ୍ ନିର୍ମାଣ କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଯିଏ ଟଙ୍କା ଦେବ ତାକୁ ଘର ପାଇଁ ଟୋକନ ମିଳିବ ବୋଲି ଦଲାଲମାନେ ବିଭିନ୍ନ ବସ୍ତିରେ ବୈଠକ କରି ଲୋକଙ୍କୁ ବୁଝାଉଛନ୍ତି । ସେମାନେ ଯେଉଁ ଟଙ୍କା ସଂଗ୍ରହ କରୁଛନ୍ତି ସେଥିଲାଗି କିଛି ରସିଦ୍ ଦେଉନାହାଁନ୍ତି । ଏମିତିକି ଯେଉଁମାନେ ଟଙ୍କା ଯୋଗାଡ କରିପାରୁନାହାଁନ୍ତି ସେମାନଙ୍କ ଲାଗି ଚଢା ସୁଧରେ ଟଙ୍କା ଯୋଗାଇ ଦେବାଲାଗି ବି ବ୍ୟବସ୍ଥା କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ରାଜଧାନୀର ବହୁ ବସ୍ତିରେ ‘କିସ୍ତି ବାଲା’ ନାମରେ ପରିଚିତ ସୁଧକର ବ୍ୟକ୍ତିମାନେ ବେଆଇନ ଋଣ କାରବାର କରି ଲୋକଙ୍କୁ ସର୍ବସ୍ୱାନ୍ତ୍ୱ କରୁଛନ୍ତି ।
ଅନେକ ବସ୍ତିବାସିନ୍ଦା ଅଭିଯୋଗ କରୁଛନ୍ତି ଯେ, ଆବାସ ଯୋଜନାରେ ଆପାର୍ଟମେଣ୍ଟ ବଣ୍ଟନ କ୍ଷେତ୍ରରେ ସ୍ୱଚ୍ଛତା ଲାଗି କ’ଣ ସବୁ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ବିଡିଏ, ବିଏମ୍ସି ସମେତ ଅନ୍ୟ ସରକାରୀ ସଂସ୍ଥାମାନେ ଗଣମାଧ୍ୟମରେ ସ୍ପଷ୍ଟ ଘୋଷଣା କରିବା ସହ ଦଲାଲମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । କାରଣ ଇତିମଧ୍ୟରେ କେତେକ ଅଞ୍ଚଳରେ ଦଲାଲମାନେ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନାହାଁନ୍ତି । ସେମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ କାଳେ ଆବାସ ଯୋଜନା ତାଲିକାରେ ନାମ ଭର୍ତ୍ତି ହୋଇପାରିବ ନାହିଁ ସେହି ଆଶଙ୍କାରେ ଲୋକେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ଏହା ସତ୍ତ୍ୱେ ବି ବିଭିନ୍ନ ବସ୍ତିରେ ଆପାର୍ଟମେଣ୍ଟ ଆବଣ୍ଟନ ଘେନି ଯେତେସବୁ ବୈଠକ ହେଉଛି ସେଗୁଡିକ ଅଧିକୃତ କି ଅନଧିକୃତ ତାହା ସ୍ପଷ୍ଟ ଜଣାପଡୁନାହିଁ । ଇତିମଧ୍ୟରେ ଏହି ଦଲାଲମାନେ ଜାଭିୟର୍ସ ଛକରୁ ଉତ୍କଳ ହସ୍ପିଟାଲ୍ ପର୍ଯ୍ୟନ୍ତ ନୂଆ ରାସ୍ତାକଡରେ ଅନେକ ଜାଗା ଅନଧିକାର ଭାବେ କିଛି ଲୋକଙ୍କୁ ଦୋକାନ ପାଇଁ ବିକି ଦେଇଥିବା ଘେନି ବି ଗୁରୁତର ଅଭିଯୋଗ ଆସୁଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଦାବି ହେଉଛି । (ତଥ୍ୟ)