ଭୁବନେଶ୍ୱର : ସହାରାଞ୍ଚଳ ଶାସନ ଏବଂ ପ୍ରଶାସନିକ ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସକ୍ରିୟ ପରିଚାଳନା ଉପରେ ଗୁରୁତ୍ୱ ଦେଇ ସେ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବା ପାଇଁ ତୁରନ୍ତ ଡ୍ରେନେଜ୍ ସଫେଇ ଏବଂ ପରିମଳ ବ୍ୟବସ୍ଥାକୁ ଜୋରଦାର କରିବାକୁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଭିଡିଓ କନଫରେନସିଂରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ନୂତନ ଭାବେ ଘୋଷିତ ବିଜ୍ଞପ୍ତିତ ଅଞ୍ଚଳ ପରିଷଦ ଗୁଡ଼ିକର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସ୍ୱାଗତ ଦ୍ୱାରର ଏକପ୍ରକାର ଡିଜାଇନ୍ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆର୍ଥିକ ସ୍ୱାବଲମ୍ବନଶୀଳତା ଉପରେ ଗୁରୁତ୍ୱ ଆରୋପ କରି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ପୌର ସଂସ୍ଥାଗୁଡ଼ିକ ପାରମ୍ପରିକ ରାଜସ୍ୱ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରି ଅଭିନବ ଉପାୟରେ ଅତିକମରେ ୫୦ ପ୍ରତିଶତ ସ୍ୱାବଲମ୍ବନଶୀଳତା ହାସଲ କରିବା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରନ୍ତୁ।
ପୌର ସଂସ୍ଥାର ଉତ୍ତରଦାୟିତ୍ଵ ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ସମସ୍ତ ପୌରାଞ୍ଚଳ କର୍ମଚାରୀଙ୍କ ପାଇଁ ନିମନ୍ତେ ଏକ ଡିଜିଟାଲ ଡାଟାବେସ୍ ଏବଂ ବାଧ୍ୟତାମୂଳକ ମାସିକ ପ୍ରଗତି ରିପୋର୍ଟ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ଦୀର୍ଘକାଳୀନ ବିକାଶ ଆଭିମୁଖ୍ୟ ସହ ସାମଞ୍ଜସ୍ୟ ରଖି ଏକ ସମନ୍ୱିତ ସହରୀ ବିକାଶ ଢାଞ୍ଚା ଅଧୀନରେ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଗୃହନିର୍ମାଣ, ଜଳ ଯୋଗାଣ, ସବୁଜ ଭିତ୍ତିଭୂମି ଏବଂ ସ୍ମାର୍ଟ ସିଟି କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ।
କେନ୍ଦ୍ର ସରକାରଙ୍କ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ବିଶିଷ୍ଟ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ଅଧୀନରେ ଥିବା ନୂତନ ସୁଯୋଗଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ପ୍ରତିଯୋଗିତାମୂଳକ ପାଣ୍ଠି ସହାୟତା ପାଇବା ପାଇଁ ପୌରାଞ୍ଚଳ ଗୁଡ଼ିକ ପ୍ରକଳ୍ପ ପ୍ରସ୍ତୁତି, ଅଭିନବ ଚିନ୍ତାଧାରା ଏବଂ ପ୍ରାତିଷ୍ଠାନିକ ଦକ୍ଷତା ବୃଦ୍ଧି କରନ୍ତୁ।

