ଭୁବନେଶ୍ୱର : ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସର ଉଦ୍ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଥିଲେ, ସଡ଼କ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଦିଗରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି ।
ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଅନୁପାଳନ ସହ ଏ କ୍ଷେତ୍ରରେ ସମସ୍ତେ ସହଯୋଗର ହାତ ବଢ଼ାଇଲେ ହିଁ ରାସ୍ତା ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଅଭୟ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଡ଼କ ସୁରକ୍ଷାର ଆଭିମୁଖ୍ୟ, ନାଗରିକ ଦାୟିତ୍ୱ, ପୋଲିସ୍ ସମ୍ମୁଖରେ ଥିବା ଆହ୍ୱାନ, ଦୁର୍ଘଟଣାର ପ୍ରମୁଖ କାରଣ ଏବଂ ଏହାର ପ୍ରତିକାର, ମୋଟର ଯାନ ଆଇନ୍ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ବିଶେଷକରି ଗାଡ଼ି ଚଳାଇବା ସମୟରେ ଚାଳକ ଏବଂ ଆରୋହୀଙ୍କ ହେଲ୍ମେଟ୍ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ଗାଡ଼ି ଚାଳନା ସମୟରେ ମୋବାଇଲରେ କଥା ନ ହେବା ଆଦି କେତୋଟି ଜିନିଷ ଉପରେ ଗୁରୁତ୍ୱ ଦେଲେ ସଡ଼କ ଦୁର୍ଘଟଣା ଏବଂ ଧନଜୀବନ ହାନିକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରିବହନ କମିଶନର ସଂଜୀବ ପଣ୍ଡା ନିଜ ସ୍ୱାଗତ ଭାଷଣରେ ପରିବହନ ପ୍ରାଧିକରଣ ଦ୍ୱାରା ଅନ୍ଲାଇନ ସେବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ସଡ଼କ ସୁରକ୍ଷା ମାସ୍କଟ ‘ଟିଆ’(Transport Intelligent Assistant) ଏବଂ ସଡ଼କ ସୁରକ୍ଷା ସଚେତନତା ଉପରେ ଏକ ଭିଡିଓର ଲୋକାର୍ପଣ ହୋଇଥିଲା । ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମାସ୍କଟ ଏବଂ ଭିଡ଼ିଓର ବହୁଳ ବ୍ୟବହାର କରାଯିବ । ମାସ୍କଟର ଡିଜାଇନ୍ କରିଥିବା ଅନୁଗୋଳରଦୀପ୍ତିମୟ ମହାରଣା ଏବଂ ଭିଡିଓ ପ୍ରସ୍ତୁତ କରିଥିବା ଆଦର୍ଶ ବିଦ୍ୟାଳୟ, ନୋଟାର, ନୟାଗଡ଼ର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ନାୟକ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିଭଳି ଗତ ଏକମାସ ଧରି ଆୟୋଜିତ ହୋଇଥିବା ବିଭିନ୍ନ ଅନ୍ଲାଇନ୍ ପ୍ରତିଯୋଗିତା(ପୋଷ୍ଟର, ଜିଙ୍ଗଲ, ୟୁଟୁ୍ୟବ୍ ଆଇଡିଆ, କୁଇଜ୍)ର କୃତୀ ପ୍ରତିଯୋଗୀମାନଙ୍କୁ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ଦୁର୍ଗଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ହସ୍ପିଟାଲ ନେଇଥିବା ୬ ଜଣ ଗୁଡ୍ ସାମରିଟାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ଦିଆଯିବା ସହ ସଡ଼କ ସୁରକ୍ଷା କ୍ଷେତ୍ରରେ ଅତି ଉତ୍ତମ କାର୍ଯ୍ୟ କରିଥିବା ୩ଟି ସେ୍ୱଚ୍ଛାସେବୀ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ଦିଆଯାଇଥିଲା ।
ବିଭିନ୍ନ ଅନ୍ଲାଇନ ପରିବହନ ସେବା ପୋର୍ଟାଲର ବିକାଶରେ ସହଯୋଗ କରିଥିବା ଏନ୍ଆଇସିର ବୈଷୟିକ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ଏବଂ ଡିଜିଟାଲ ମୋଡ୍ରେ ପ୍ରତିଯୋଗିତା ଆୟୋଜନରେ ସହାୟତା ପାଇଁ ସିଲିକନ୍ ଇନ୍ଷଫିଚୁ୍ୟଟ୍, ଭୁବନେଶ୍ୱରର ପ୍ରଫେସର ଗୋପାଳକୃଷ୍ଣ ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ପରିବହନ କମିଶନର ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ସହଯୋଗୀ ବିଭାଗର ଅଧିକାରୀ ଓ କର୍ମଚାରୀ, ଟ୍ରକ୍ ଓ ବସ୍ ମାଲିକ ସଂଘ, ସଡ଼କ ସୁରକ୍ଷା ସମିତିର ସଦସ୍ୟ, ସେ୍ୱଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍କାଉଟ୍ ଗାଇଡ୍ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।