Home Infrastructure ୫ବର୍ଷରେ ସାଢେ ୭ ଲକ୍ଷ କୋଟି ପୁଞ୍ଜିନିବେଶ

୫ବର୍ଷରେ ସାଢେ ୭ ଲକ୍ଷ କୋଟି ପୁଞ୍ଜିନିବେଶ

Modi Photo

ନୂଆଦିଲ୍ଲୀ : ଭାରତ ସରକାର ତୈଳ ଏବଂ ଗ୍ୟାସ ଭିତିଭୂମି ସୃଷ୍ଟି କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ସାଢେ ୭ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିବାର ଯୋଜନା ରଖିଛନ୍ତି ବୋଲି ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ୩୨ ହଜାର ୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ବୋଲି ମତବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ରିଫାଇନିଂ କ୍ଷେତ୍ରରେ କ୍ଷମତା ନିର୍ମାଣ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛି । ୨୦୧୯-୨୦ରେ ଆମେ ବିଶ୍ୱରେ ରିଫାଇନିଂ କାପାସିଟିରେ ଚତୁର୍ଥ ସ୍ଥାନରେ ଥିଲୁ । ପାଖାପାଖି ୬୫.୨ ମିଲିୟନ ଟନର ପେଟ୍ରୋଲିୟମ ସାମଗ୍ରୀ ରପ୍ତାନୀ ହେଉଛି ଏବଂ ଆଗକୁ ଏହା ଆହୁରି ବଢିବାର ସମ୍ଭାବନା ରହିଛି । ଇଣ୍ଡିଆନ ଅଏଲ ଏବଂ ଗ୍ୟାସ କମ୍ପାନୀ ଗୁଡିକ ବର୍ତମାନ ୨୭ଟି ଦେଶରେ ପାଖାପାଖି ୨ ଲକ୍ଷ ୭୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ୩୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନାଗାପାଟ୍ଟିନମ ସ୍ଥିତ କୌଭେରୀ ବେସିନ ରିଫାଇନାରୀର ଶିଳାନ୍ୟାସ ହୋଇଯାଇଛି । ସେହିପରି ମନାଲି ସ୍ଥିତ ୭୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ(ସିପିସିଏଲ)ର ରାମାନାଥପୁରମ୍ -ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।

ତାମିଲନାଡୁବାସୀଙ୍କ ପାଇଁ ଇଜ୍ ଅଫ୍ ଲିଭିଂ ସୁବିଧାକୁ ବଢାଇବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦିଗରେ ଆଜି ଏକ ଐତିହାସିକ ପଦକ୍ଷେପ । ବୁଧବାର ଦେଶ ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଯାଇଥିବା ପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ସହ ପରିବେଶ ସହଯୋଗୀ ଏବଂ ସୁଲଭ ଦରରେ ଇନ୍ଧନ ଯୋଗାଇବ ।

ଏହାସହ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳିରେ ପରିଣତ କରିବା ସହ ରାଜ୍ୟରେ ରୋଜଗାର ସୃଷ୍ଟି କରିବ ଏବଂ ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ । ଏହି ସମସ୍ତ ପ୍ରକଳ୍ପ ଗୁଡିକ ୫୧.୭ ଲକ୍ଷ ମାନବ ଦିବସ ସୃଷ୍ଟି କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାର୍ଷିକ ୯ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀ ଭାରତର ଉର୍ଜା ସୁରକ୍ଷାକୁ ସହାୟକ ହେବ ଏବଂ ତାମିଲନାଡୁକୁ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ବିଶୋଧନାଗାର ଏବଂ ପେଟ୍ରୋକେମିକାଲର ପେଣ୍ଠସ୍ଥଳି ଭାବରେ ସ୍ଥାପିତ କରିବ ।

ଅପରପକ୍ଷରେ ଲୋକାର୍ପିତ ୧୪୪ କିଲୋମିଟର ଲମ୍ବ ରାମନାଥପୁରମ୍ – ଥୋଥୁକୁଡି ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ – ନାଗାପାଟ୍ଟିନମ୍‌- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ତାମିଲନାଡୁର ବସବାସ କରୁଥିବା ଲୋକଙ୍କୁ ନିରନ୍ତର ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ଗମନାଗମନ କ୍ଷେତ୍ରରେ ଇନ୍ଧନ ଯୋଗାଇବା ସହ ରାଜ୍ୟର ବିକାଶରେ ଅଭିବୃଦ୍ଧି କରିବ ।

ଏହି ପ୍ରାକୃତିକ ଗ୍ୟାସ ପାଇପଲାଇନ ପରିବେଶ ସହଯୋଗୀ ଓ ସୁଲଭ ମୂଲ୍ୟରେ ସାର କାରଖାନା ଗୁଡିକୁ ଇନ୍ଧନ ଯୋଗାଇବ । ଯାହାଦ୍ୱାରା ଚାଷୀମାନେ କମ୍ ମୂଲ୍ୟରେ ସାର ପାଇପାରିବେ ଏବଂ ତାମିଲନାଡୁର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ଦେବା ସହ ଭିତିଭୂମିକୁ ପ୍ରୋତ୍ସାହନ ଦେବ ।

ଏହାବ୍ୟତିତ ୦.୬ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍ ଦେଶରେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରସ୍ତୁତ କରିବାରେ ଆଉ ଏକ ବୃହତ ପଦକ୍ଷେପ । ଏହି ୟୁନିଟ୍ ପରିବେଶ ଅନୁକୂଳ ଗ୍ୟାସୋଲିନ୍ ଉତ୍ପାଦନ କରିବ ଓ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।