Home Election ସରକାର ଗଠନ ପାଇଁ ଦାବି ଜଣାଇଲା ବିଜେପି

ସରକାର ଗଠନ ପାଇଁ ଦାବି ଜଣାଇଲା ବିଜେପି

ଭୁବନେଶ୍ୱର : ବିଜେପି ବିଧାୟକଦଳ ବୈଠକରେ ମୋହନ ମାଝିଙ୍କ ନାମରେ ମୋହର ଲାଗିବା ପରେ ଶ୍ରୀ ମାଝି ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଦାବି ଜଣାଇଛନ୍ତି । ଶ୍ରୀ ମାଝିଙ୍କ ସହିତ ଦୁଇ ଜାତୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇଥିଲେ ।

ରାଜଭବନରେ ବିଜେପି ଟିମ୍‍ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ବିଜେପିର ସମସ୍ତ ୭୮ଜଣ ବିଧାୟକ ଓ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ମୋହନ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ଏ ସଂକ୍ରାନ୍ତରେ ଏକ ପ୍ରତ ରାଜ୍ୟପାଳଙ୍କୁ ଦିଆଯାଇଥିଲା । ରାଜ୍ୟପାଳ ମଧ୍ୟ ସରକାର ଗଠନ ଲାଗି ଶ୍ରୀ ମାଝିଙ୍କୁ ବିଧିବଦ୍ଧ ଭାବେ କହିଛନ୍ତି ।

ରାଜ୍ୟପାଳ ରଘୁବର ଦାସ ରାଜଭବନରେ ବିଜେପି ପ୍ରତିନିଧିଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହିତ ସେମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ରାଭବନକୁ ଯାଇଥିବା ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନାମୋହନ ସାମଲ, ସାଂସଦ ବୈଜୟନ୍ତ ପଣ୍ଡା, ସଙ୍ଗୀତା କୁମାର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।