Home General ସରକାରୀ ୱେବସାଇଟ୍‍ ଉପରେ ହ୍ୟାକରଙ୍କ ନଜର

ସରକାରୀ ୱେବସାଇଟ୍‍ ଉପରେ ହ୍ୟାକରଙ୍କ ନଜର

ଭୁବନେଶ୍ୱର : ହ୍ୟାକରଙ୍କ ନଜର ଏବେ ସରକାରୀ ୱେବସାଇଟ୍‍ ଉପରେ । ଗତ ତିନିବର୍ଷ ମଧ୍ୟରେ ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ଦେଢଶହ ୱେବସାଇଟ୍‍କୁ ହ୍ୟାକ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ସିଇଆରଟି-ଇନ୍‍ ପକ୍ଷରୁ ଦର୍ଶାଯାଇଛି ଯେ ୨୦୨୦ରେ ହ୍ୟାକରମାନେ ଦେଶରେ ୫୯ଟି ସରକାରୀ ୱେବସାଇଟ୍‍କୁ ହ୍ୟାକିଂ କରିଥିବାବେଳେ ୨୦୨୧ ରେ ୪୨ଟି ଓ ୨୦୨୩ରେ ୫୦ଟି ୱେବସାଇଟ୍‍କୁ ହ୍ୟାକିଂ କରିବାରେ ସଫଳ ହୋଇଥିଲେ । ହ୍ୟାକରମାନେ କେବଳ ୱେବସାଇଟ୍‍ ହ୍ୟାକିଂ କରୁନାହାନ୍ତି ବିଭିନ୍ନ ଉପାୟରେ ୱେବସାଇଟ୍‍ରେ ପ୍ରବେଶ କରିବା ଓ ଭାଇରସ ଛାଡିବାପାଇଁ ବି ଲଗାତାର ପ୍ରୟାସ ଜାରି ରଖୁଛନ୍ତି ।

ଏହି ସୂଚନା ଅନୁଯାୟୀ ୨୦୨୦ରେ ହ୍ୟାକରମାନେ କରିଥିବା ୨.୮୩ ଆକ୍ରମଣକୁ ମୁକାବିଲା ସହିତ ଏହାର ସମାଧାନ କରାଯାଇଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୪.୩୨ଲକ୍ଷକୁ ଟପିଥିଲା । ସେହିଭଳି ୨୦୨୨ରେ ୩.୨୪ଲକ୍ଷରୁ ଅଧିକ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇ ପାରିଛି । ସେହିଭଳି ସିଇଆରଟି-ଇନ୍‍ର ସୂଚନା ଅନୁଯାୟୀ ଏହି ତିନି ବର୍ଷରେ ହ୍ୟାକରମାନେ ସରକାରୀ ସଂସ୍ଥାର ତଥ୍ୟକୁ ଏପଟ ସେପଟ କରିବାରେ ସଫଳ ହୋଇଛନ୍ତି ।

ଉଲ୍ଲେଖନୀୟ ଯେ ସମଗ୍ର ଦେଶରେ ସାଇବର ସୁରକ୍ଷା ପାଇଁ ସିଇଆରଟି-ଇନ୍‍ ଉପରେ ଦାୟିତ୍ୱ ନ୍ୟସ୍ତ ଥିବାବେଳେ ଏହି କେନ୍ଦ୍ରୀୟ ସଂସ୍ଥା ସାଇବର ଅଡିଟ୍‍ ପାଇଁ ବିଭିନ୍ନ ଆଇଟି ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି । ସରକାରୀ ଓ ବେସରକାରୀ ସଂସ୍ଥା ଯେ କେହି ଚାହିଁଲେ ସମ୍ପୃକ୍ତ ତାଲିକାଭୁକ୍ତ ସଂସ୍ଥା ସହାୟତାରେ ନିଜ ନିଜ କମ୍ପ୍ୟୁଟରର ସାଇବର ଅଡିଟ୍‍ କରିପାରିବେ । ବିଶେଷଜ୍ଞଙ୍କ ମତ ଅନୁସାରେ ନିୟମିତ ସାଇବର ଅଡିଟ୍‍ ହେଉଥିବା କମ୍ପ୍ୟୁଟରକୁ ହ୍ୟାକିଂ କରିବା ହ୍ୟାକରଙ୍କ ପକ୍ଷରେ ସେତେଟା ସହଜ ହୋଇନଥାଏ ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ସରକାରଙ୍କ ବିଭିନ୍ନ ୱେବସାଇଟ୍‍ ହ୍ୟାକିଂ ପାଇଁ ହ୍ୟାକରମାନେ ବାରମ୍ବାର ଉଦ୍ୟମ ଚଳାଇଥିବାବେଳେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ସାଇବର ସୁରକ୍ଷା କେନ୍ଦ୍ର ଏବେ ଢାଲ ଭଳି କାର୍ଯ୍ୟ କରୁଛି । ହ୍ୟାକରଙ୍କ ଉପରେ ଏହି କେନ୍ଦ୍ର ୨୪ଘଣ୍ଟା ନଜର ରଖିବା ସହିତ ବିଭିନ୍ନ ଦେଶରୁ ହେଉଥିବା ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହେଉଛି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ କେତେକ ବିଭାଗ ଓ ସଂସ୍ଥା ନିଜ ନିଜ କମ୍ପ୍ୟୁଟରର ଅପଡେଟ୍‍ ନକରିବା ସହିତ ଆଣ୍ଟିଭାଇରସ ରଖୁନଥିବାରୁ ସେମାନଙ୍କ ତଥ୍ୟ ସହଜରେ ହ୍ୟାକିଂର ସମ୍ଭାବନା ରହିଛି । ଖୋଦ୍‍ ରାଜ୍ୟ ଲୋକସେବାଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଏଭଳି ଅବସ୍ଥାରେ ଥିବା ପ୍ରାୟ ହଜାରେ କମ୍ପ୍ୟୁଟରକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଅପଡେଟ୍‍ କରାଯାଉଥିବା ଜଣାଯାଇଛି । (ତଥ୍ୟ)