Home Agriculture ସରକାରୀ ଫାର୍ମକୁ ଲୋକେ ମାଡି ବସିଲେଣି

ସରକାରୀ ଫାର୍ମକୁ ଲୋକେ ମାଡି ବସିଲେଣି

ଭୁବନେଶ୍ୱର : କୃଷି ବିଭାଗର ଅଚଳ ଫାର୍ମକୁ ଏବେ ଲୋକେ ଅକ୍ତିଆର କରିବାରେ ଲାଗିଛନ୍ତି । ବିଭାଗର ଉଦାସୀନତା ଯୋଗୁଁ କେଉଁଠି ଲୋକେ ମାଡି ବସିଲେଣି ତ ଆଉ କେଉଁଠି ଏହା ଅନ୍ୟ ବିଭାଗ ଅକ୍ତିଆରକୁ ଚାଲିଗଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୯ଟି ସରକାରୀ କୃଷି ଫାର୍ମର ଏଭଳି ଅବସ୍ଥା ।

ସରକାରୀ ସୂଚନା ଅନୁଯାୟୀ ରାଜ୍ୟ କୃଷି ବିଭାଗ ଅଧିନରେ ୧୪୮ଟି ଫାର୍ମ ରହିଛି । ଏଥିରୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଅଧିନରେ ୬୩ଟି ଥିବାବେଳେ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଅଧିନରେ ୮୫ଟି ରହିଛି । ତେବେ ୧୪୮ ସରକାରୀ ଫାର୍ମ ମଧ୍ୟରୁ ୧୩୯ଟି କାର୍ଯ୍ୟକ୍ଷମ ରହିଥିବାବେଳେ ଅନ୍ୟ ୯ଟି ଏକ ପ୍ରକାର ସତ୍ତା ହରାଇଲାଣି ।

ଏହି ଅଚଳ ଫାର୍ମ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଫଳବଗିଚା ଏବେ ସାଧାରଣ ଲୋକଙ୍କ ଅକ୍ତିଆରରେ । ୧୯୯୯ ମହାବାତ୍ୟାରେ ଏହି ବଗିଚା କ୍ଷତିଗ୍ରସ୍ତ ହୋଇଥିବାବେଳେ କର୍ତ୍ତୃପକ୍ଷ ଆଉ ଏହାର ପୁନରୁଦ୍ଧାର କରିନଥିଲେ । ଫଳରେ ଲୋକେ ଏହି ସରକାରୀ ସମ୍ପତ୍ତିକୁ ଧିରେ ଧିରେ ମାଡି ବସିଲେଣି । ସେହିଭଳି ବରଗଡ ଜିଲ୍ଲାର ପାଇକମାଳ ଠାରେ ଥିବା ଡୁମେରବାହାଲ ଫାର୍ମଟି ପତ୍ରା ଜଙ୍ଗଲ କିସମ ହୋଇଥିବାବେଳେ ଏହା ଉଦ୍ୟାନ ବିଭାଗ ହାତରେ ନାହିଁ । ଏହା ଏବେ ଜଙ୍ଗଲ ବିଭାଗ ଅକ୍ତିଆରକୁ ଚାଲିଯାଇଛି । ସେହି ଜିଲ୍ଲାର ବିଜେପୁର ଠାରେ ଥିବା ବଡବାଉଁଶାଣୀ ଫାର୍ମର ବି ଅନୁରୂପ ଦଶା ।

କଳାହାଣ୍ଡି ଜିଲ୍ଲାର ରାମପୁର ଠାରେ ଥିବା ସରକାରୀ ଫାର୍ମଟି ରକ୍ଷଣା ବେକ୍ଷଣ ଅଭାବରୁ ଉତେଇ ନଦୀ ଗର୍ଭରେ ଲୀନ ହୋଇଥିବାବେଳେ ଲାଞ୍ଜିଗଡ ଠାରେ ଥିବା ଜଗନାଥପୁର ଫାର୍ମ କ୍ରମାଗତ ମୃତ୍ତିକାକ୍ଷୟ ଯୋଗୁଁ ଫଳଗଛ ସବୁ ଉଜୁଡିଯାଇଛି । ଜଗତ୍‍ସିଂହପୁର ଜିଲ୍ଲାର ପୁନଙ୍ଗ ଠାରେ ଥିବା ସରକାରୀ ଫାର୍ମଟି ୧୯୯୫-୯୬ ମସିହାରୁ ଅଚଳ ହୋଇ ପଡିଛି । ଗଞ୍ଜାମ ଜିଲ୍ଲାରେ ଥିବା କେଶପୁର ଫାର୍ମଟି ଚିଲିକାର ଲୁଣାପାଣି ମାଡରେ ୧୯୯୩-୯୪ ମସିହାରୁ ଉଜୁଡି ଯାଇଛି ।

କୋରାପୁଟ ଜିଲ୍ଲାରେ ଥିବା ବୈପାରୀଗୁଡା ଫାର୍ମଟି ଜଳାଭାବରୁ ୨୦୦୧ ମସିହାରୁ ଅଚଳ । ଏହି ଫାର୍ମରେ ଥିବା ଜମି ମଧ୍ୟରୁ ୯୦ ପ୍ରତିଶତ ଢିପ ଥିବାରୁ ସେଠାକୁ ଜଳ ମାଡି ପାରୁନାହିଁ । ସେହି ଜିଲ୍ଲାରେ ଥିବା ଡୁମୁରିପୁଟ ଫାର୍ମଟି ମଧ୍ୟ ଜଳସେଚନ ଅଭାବରୁ ୨୦୦୩ ମସିହାରୁ ଅଚଳ ହୋଇଯାଇଛି । ଏହିସବୁ ଅଚଳ ଫାର୍ମକୁ ଚଳାଇବାକୁ ସରକାର ଆଗ୍ରହ ଦେଖାଉ ନଥିବାରୁ ଲୋକେ ଉତ୍ସାହିତ ହୋଇ ଏଡାକୁ ମାଡି ବସୁଛନ୍ତି ।

ଅନୁରୂପ ଭାବେ ସଚଳ ଥିବା ସରକାରୀ କୃଷି ଫାର୍ମ ମଧ୍ୟରୁ କୃଷି ନିର୍ଦ୍ଦେଶାଳୟ ଅଧିନରେ ଥିବା ଫାର୍ମ ଗୁଡିକ ଗତ ଛଅ ବର୍ଷ ମଧ୍ୟରେ ବ୍ୟୟ ତୁଳନାରେ ଅଧିକ ରାଜସ୍ୱ ପାଇଥିବାବେଳେ ଉଦ୍ୟାନ ନିର୍ଦ୍ଦେଶାଳୟ ଅଧିନରେ ଥିବା ଫାର୍ମଗୁଡିକର ଆୟ ବ୍ୟୟ ତୁଳନାରେ କମ୍‍ ରହିଛି । ଇତି ମଧ୍ୟରେ ବରଗଡ ଜିଲ୍ଲାରେ ଓଡିଶା ବିହନ ନିଗମ ଅଧିନରେ ଥିବା ଦୁଇଟି ଫାର୍ମକୁ ସରକାର ସର୍ତ୍ତ ଆଧାରରେ ଘରୋଇ ସଂସ୍ଥା ଓ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଛି । (ତଥ୍ୟ)