ଭୁବନେଶ୍ୱର : ଖୋଦ୍ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଶ୍ୟାମପୁର ମୌଜାରେ ୬୮ ଏକରରୁ ଅଧିକ ସରକାରୀ ଜମି କିଭଳି ଦଲାଲମାନେ ଲୋକଙ୍କୁ ବିକି କୋଟି କୋଟି ଟଙ୍କା କମାଉଥିଲେ ତାହାର ପର୍ଦ୍ଦାଫାସ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଏହି ଜମିକୁ ଭୂଦାନ ଜମି ଦର୍ଶାଇ ଜମି ଦଲାଲମାନେ ଏଠାରେ ବିନୋବା ନଗର ନାମରେ ଏକ ଛାତ ଘରେ କାର୍ଯ୍ୟାଳୟ ଚଳାଉଥିଲେ । ଏମିତିକି ଏହି କାର୍ଯ୍ୟାୟଳ ପଞ୍ଜିକୃତ ବୋଲି ଲେଖାଯାଇଥିଲା । କିଭଳି ସରକାରୀ ଜମିକୁ ସେମାନେ ଅନ୍ୟୁନ ୧୫୦୦ ଲୋକଙ୍କୁ ବିକିଦେଲେ ଓ ପ୍ରଶାସନ କିଛି ଜାଣିପାରିଲା ନାହିଁ ସେଥିଘେନି ଲୋକଙ୍କ ମନରେ ସନ୍ଦେହ ଉପୁଜୁଛି ।
ଦୀର୍ଘ ବର୍ଷର ନିରବତା ପରେ ଶ୍ୟାମପୁର ମୌଜାରେ ଏହି ବେଆଇନ୍ ଜମିକୁ ଏବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ନିଜ କବ୍ଜାକୁ ନେଇଛି । ଏଥିପାଇଁ ପାଖାପାଖି ହଜାରେ ଘର ଭଙ୍ଗାଯାଇଛି । ନିର୍ମାଣାଧୀନ ଅବସ୍ଥାରେ ଥିବା ଆଉ ପ୍ରାୟ ୩୦୦ ଘର ବି ମାଟିରେ ମିଶିଛି । ଯେଉଁମାନେ ଦଲାଲଙ୍କୁ କୋଟି କୋଟି ଟଙ୍କା ଦେଇ ଏହି ଜମି କିଣିଥିଲେ ଏବେ ସେଠାରେ ଥିବା ସେମାନଙ୍କ ଘର ସବୁ ମାଟିରେ ମିଶିଯିବା ପରେ ସେମାନେ ଠକେଇର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହେଉଛି ।
ବିନୋବା ନଗର ବୋଲି ସରକାରୀ ନଥିରେ କିଛି ରେକର୍ଡ ନାହିଁ । ତେବେ ଦଲାଲମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଭିତିରିଆ ସଂପର୍କ ରଖି ସେମାନେ ପ୍ଲଟିଂ କରି ବେଆଇନ୍ ଭାବେ ହସ୍ତାନ୍ତର କରିଥିବା ଜମିକୁ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ସହ ପେଭର ବ୍ଲକ ରାସ୍ତାଘାଟ ବି ସରକାରୀ ଖର୍ଚ୍ଚରେ ନିର୍ମାଣ କରାଇଥିଲେ । କେବଳ ସେତିକି ନୁହେଁ, ଏଠି ଘରଦ୍ୱାର କରି ସପରିବାର ରହୁଥିବା ଲୋକମାନଙ୍କ ନାମ ଭୋଟର ତାଲିକାରେ ରହିଛି ଏବଂ ସେମାନଙ୍କୁ ଆଧାର କାର୍ଡ ବି ଯୋଗାଇ ଦିଆଯାଇଛି । ଏମିତିକି ବହୁ ପରିବାରଙ୍କୁ ବିପିଏଲ୍ ଦର୍ଶାଇ ସେମାନଙ୍କ ଲାଗି ମାଗଣା ଚାଉଳ ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ଦିଆଯାଉଥିଲା । ଯଦି ଏହି ଜମି ସେମାନଙ୍କର ନଥିଲା ତେବେ ଏଠାରେ ସରକାରଙ୍କ ପକ୍ଷରୁ କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିକାଶମୂଳକ କାମ ହେଉଥିଲା ବୋଲି ପ୍ରଶ୍ନ ଉଠିଛି ।
କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରିଛନ୍ତି ଯେ ଭୂଦାନ ଜମି କହି ସେମାନଙ୍କଠାରୁ ପ୍ଲଟ ପିଛା ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଅତୀତରେ ଏହି ଜମି ହଡ଼ପ ପ୍ରସଂଗରେ କ୍ରାଇମ୍ବ୍ରାଞ୍ଚର ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ ଦାୟିତ୍ୱ ମଧ୍ୟ ନେଇଥିଲେ । ଠକେଇର ଶିକାର ହୋଇଥିବା ଶହଶହ ପରିବାର ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି । ଯେଉଁମାନେ ସେମାନଙ୍କଠାରୁ ଟଙ୍କା ନେଇଛନ୍ତି ତାହା ସୁଧ ସହ ଆଦାୟ କରିବା ସହିତ ଭଙ୍ଗାଯାଇଥିବା ଘରଗୁଡ଼ିକ ବାବଦରେ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି ।
ଏଠାରେ ଉଲ୍ଳେଖନୀୟ ଯେ ଭୂଦାନ ଜମି କହି ମୁହେଁ ମୁହେଁ ଦଲାଲମାନେ ପ୍ଲଟ ଆବଣ୍ଟନ କରିଥିଲେ ଏବଂ ଏହି ପ୍ଲଟଗୁଡ଼ିକୁ ରାସ୍ତା, ବିଦ୍ୟୁତ, ଜଳ ଆଦିର ବ୍ୟବସ୍ଥା କରିବା ଦାୟିତ୍ୱ ସରକାର ନେବା ସହିତ ଉଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ସଂଯୋଗ ସମେତ ଏଠାକାର ବାସିନ୍ଦାମାନଙ୍କୁ ଅନ୍ୟାନ୍ୟ ସରକାରୀ ଯୋଜନାର ହିତାଧିକାରୀ କରାଯାଇଥିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି । ଅନ୍ୟପକ୍ଷରେ କୁହାଯାଉଛି ଯେ ଏହି ଜମି ସାଧାରଣ ପ୍ରଶାସନ ବିଭାଗର । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁୂ ଏହା ଦିଆଯାଇଥିଲା । ବିଡିଏ ଯେଉଁ ଉଦ୍ଦେଶ୍ୟରେ ଜମି ନେଇଥିଲା ତାହାର କାହିଁକି ତୁରନ୍ତ ଅନୁପାଳନ କଲା ନାହିଁ ଏବଂ ଏହି ସରକାରୀ ଜମିକୁ ଦଲାଲାମାନେ ବିକୁଥିବାବେଳେ ବିଡିଏ, ବିଏମ୍ସି, ରାଜସ୍ୱ ବିଭାଗ କିଭଳି ନିରବ ରହିଲା ଏବଂ କ୍ରାଇମବ୍ରାଞ୍ଚ ନିକଟରେ ଏ ସଂକ୍ରାନ୍ତରେ ପୂର୍ବରୁ ଅଭିଯୋଗ ଥିବାବେଳେ ତାହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ସେ ସଂକ୍ରାନ୍ତରେ ସାଧାରଣ ଲୋକଙ୍କୁ ଅବହିତ କରିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । (ତଥ୍ୟ)

