Home Health କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ରାଜ୍‍

କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ରାଜ୍‍

ଭୁବନେଶ୍ୱର : ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀମାନଙ୍କ ଭାଗ୍ୟ ସୁରକ୍ଷକର୍ମୀଙ୍କ ହାତରେ । କାରଣ ରୋଗୀମାନେ କିଭଳି କେଉଁ ସମୟରେ ଡାକ୍ତରଙ୍କୁ ନିକଟରେ ଚିକିତ୍ସିତ ହେବେ ତାହା ବହୁ ସ୍ଥାନରେ ସୁରକ୍ଷକର୍ମୀମାନେ ସ୍ଥିର କରୁଛନ୍ତି । ଏହାକୁ ନେଇ ପ୍ରତିଦିନ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସୁରକ୍ଷାକର୍ମୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମୁହାଁମୁହିଁ ହେଉଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଏବେ ଦୁଇବେଳା ଡାକ୍ତରମାନେ ରୋଗୀ ଦେଖୁଛନ୍ତି । ପ୍ରତିଦିନ ସକାଳ ୯ଟାରୁ ରୋଗୀଦେଖା ଆରମ୍ଭ ହେଉଥିବାବେଳେ ଏହାର ଢେର ପୂର୍ବରୁ ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିଯାଉଛନ୍ତି । ତେବେ ରୋଗୀମାନେ ଏଠାରେ ପହଞ୍ଚିବାପରେ ନିଜ ନିଜ ମଧ୍ୟରେ ଟିକଟ ସଂଗ୍ରହ କରି ଜଣଙ୍କ ପରେ ଜଣେ ଲାଇନ୍‍ରେ ରହୁଛନ୍ତି । ସୁରକ୍ଷାକର୍ମୀମାନେ ଆସିବାକୁ ବିଳମ୍ବ ହେବାରୁ କେତେକ ସ୍ଥାନରେ ଟିକଟୁ ଥାକ ଥାକ କରି ରଖୁଛନ୍ତି । ତେବେ କେତେକ ସ୍ଥାନରେ ସୁରକ୍ଷାକର୍ମୀ ଆସି ପୁଣିଥରେ ଟିକଟ ତାଲିକା ପ୍ରସ୍ତୁତ କରିବାକୁ କହୁଥିବାରୁ ରୋଗୀଙ୍କ ସମ୍ପର୍କୀୟ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି ।

ରୋଗୀମାନେ ଡାକ୍ତରଙ୍କ ନିକଟକୁ ଯିବା ସମୟରେ କେତେକ ସ୍ଥାନରେ ସୁରକ୍ଷାକର୍ମୀମାନେ ରୋଗୀଙ୍କ ସହିତ ଜଣେ ସହାୟକଙ୍କୁ ଛାଡିବାକୁ ବି ରାଜି ହେଉ ନାହାନ୍ତି । ଯଦି କିଏ ଭିତରକୁ ଯାଉଛି ତାକୁ ନାଲିଆଖି ଦେଖାଇ ବାହାରକୁ ଟାଣି ଆଣୁଛନ୍ତି । ବିଶେଷକରି ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏହି ସୁରକ୍ଷାକର୍ମୀମାନେ ଏକ ପ୍ରକାର ବାଟ ଓଗାଳିବାରେ ଲାଗୁଛନ୍ତି ।

ସୁରକ୍ଷାକର୍ମୀମାନେ ଡାକ୍ତରଖାନାରେ ଶାନ୍ତିଶୃଙ୍ଖଳାରକ୍ଷା, ଚୋରି ରୋକିବା ପାଇଁ ମୁତୟନ ହୋଇଥିବାବେଳେ ବହୁ ସ୍ଥାନରେ ଏମାନଙ୍କ ରୋଗୀଙ୍କ ଟିକଟ ଦେଖି ଭିତରକୁ ଛାଡିବା ଦାୟିତ୍ୱରେ ରଖାଯାଉଥିବାରୁ ସେମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି ।

କେବଳ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଥିବା ସୁରକ୍ଷାକର୍ମୀମାନଙ୍କ ସହିତ ଲୋକେ ଉଚ୍ଚବାଚ ହେଉନାହାନ୍ତି କ୍ୟାପିଟାଲ ହସ୍ପିଟାଲ ପରିସରରେ ଗାଡିମୋଟର ରଖିବାକୁ ନେଇ ମଧ୍ୟ ବହୁ ସମୟରେ ଝଗଡା ସୃଷ୍ଟି ହେଉଛି । ଏକାଧିକ ନିର୍ମାଣ ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ଥାନ ସଙ୍କୁଚିତ ହେଉଥିବାବେଳେ ରୋଗୀଙ୍କୁ ଆଣି ଆସୁଥିବା ଯାନ ଗୁଡିକ ଯଦି କୌଣସିଠାରେ ଛିଡାହୋଇ ଯାଉଛି ତେବେ ଆଗପଛ ନବିଚାର ସୁରକ୍ଷାକର୍ମୀମାନେ ତାକୁ ଘଉଡାଇବାରେ ଲାଗୁଛନ୍ତି । ଏଥିଯୋଗୁଁ ବହୁ ସମୟରେ ରୋଗୀ ପରିବହନ ଯାନଚାଳକ ଓ ସୁରକ୍ଷାକର୍ମୀଙକ ମଧ୍ୟରେ ଝଗଡା ହେଉଛି ।

କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଟେଣ୍ଡର ଜରିଆରେ ସୁରକ୍ଷାକର୍ମୀ ମୁତୟନ କରୁଥିବାବେଳେ ଏମାନଙ୍କୁ କେଉଁ କେଉଁ କାର୍ଯ୍ୟରେ ନିୟୋଜିତ କରାଯିବ ତାହା ସୁନିଶ୍ଚିତ କରିବା ସହିତ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ସର୍ବସାଧାରଣ ସ୍ଥାନରେ ମାରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । ନହେଲେ ରୋଗରେ ପଡି ଡାକ୍ତରଖାନା ଆସୁଥିବା ଲୋକଙ୍କ ପ୍ରଥମେ ସୁରକ୍ଷାକର୍ମୀଙ୍କ ନାଲିଆଖିର ଶିକାର ହେବା ସାର ହେଉଛି ।

କ୍ୟାପିଟାଲ ହସ୍ପିଟାଲରେ ପ୍ରଥମାର୍ଦ୍ଧରେ ବିଭିନ୍ନ ବିଭାଗରେ ରୋଗୀଙ୍କ ଭିଡ ରହୁଥିବାରୁ ରୋଗୀମାନେ କିଭଳି ବିନା ବାଧାରେ ଚିକିତ୍ସା ସେବା ପାଇପାରିବେ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)