ଭୁବନେଶ୍ୱର : ସରକାରୀ କଲେଜରେ ଘରୋଇ ସଂସ୍ଥାର ପାଠପଢା ଏବେ ଛାତ୍ରଛାତ୍ରୀଙ୍କ ପାଇଁ କାଳ ହେଲାଣି । ଏଥିପାଇଁ ସରକାରୀ କଲେଜରେ ନାମ ଲେଖାଇଥିବା ପିଲାମାନେ ଏବେ ବସିବାକୁ ଟିକେ ସ୍ଥାନ ପାଉନାହାନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ମହାବିଦ୍ୟାଳୟରେ । ଏଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ କଳା, ବାଣିଜ୍ୟ, ବିଜ୍ଞାନ ସହିତ କେତେକ ବିଷୟରେ ପିଜି, ଧନ୍ଦାମୂଳକ ଶିକ୍ଷା ଏବଂ ଘରୋଇ ସଂସ୍ଥା ଦ୍ୱାରା କମ୍ପ୍ୟୁଟର ବିଜ୍ଞାନ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ରହିଛି । ତେବେ ଏତେ ସଂଖ୍ୟକ ପିଲାଙ୍କ ପାଇଁ କଲେଜରେ ଶ୍ରେଣୀଗୃହ ନାହିଁ ।
ମହାବିଦ୍ୟାଳୟରେ ଥିବା ୧୦ଟି ବୃହତ୍ ଗ୍ୟାଲେରୀ ସହିତ ଆଉ କିଛି କୋଠାରୀ ଥିଲେ ମଧ୍ୟ ତାହା ଚାତ୍ରଛାତ୍ରୀଙ୍କ ଲାଗି ଅଭାବ ପଡୁଛି । ଫଳରେ ବର୍ତ୍ତମାନ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଶ୍ରେଣୀଗୃହ ଟିକେ ପାଉନାହାନ୍ତି । ଘରୋଇ ସଂସ୍ଥାଦ୍ୱାରା ପରିଚାଳିତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ମୋଟା ଅଙ୍କର ଅର୍ଥ ଦେବା ସହିତ ସେମାନେ ଆଗତୁରା ଆସି କଲେଜରେ ସ୍ଥାନ ମାଡି ବସୁଛନ୍ତି । ଫଳରେ କଲେଜର ନିଜସ୍ୱ ଛାତ୍ରଛାତ୍ରୀମାନେ ଏବେ ପାଠପଢିବା ସମୟ ହେଲେ କଲେଜରେ କେଉଁ ଶ୍ରେଣୀଗୃହ ଖାଲି ରହିଛି ତାହା ଖୋଜିବାରେ ଲାଗିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ପାଇଁ ଚେୟାର ଧରି ଏ କୋଠରୀରୁ ସେ କୋଠରୀ ବୁଲୁଛନ୍ତି ।
ଏହି ସମସ୍ୟା କେବଳ ରାଜଧାନୀ କଲେଜର ନୁହେଁ, ଅଧିକାଂଶ ସରକାରୀ କଲେଜ ଯେଉଁଠାରେ ଘରୋଇ ସଂସ୍ଥାକୁ ପାଠ୍ୟକ୍ରମ ପରିଚାଳନା ପାଇଁ ଅନୁମତି ମିଳିଛି ସେଠାରେ ଏହା ପରିଲକ୍ଷିତ ହେଉଛି । କଲେଜ ନାଁରେ ନିଜ ବ୍ୟବସାୟ ଚଳାଇଥିବା ଏହି ଶିକ୍ଷା ସଂସ୍ଥାଗୁଡିକର ଭିତ୍ତିଭୂମି ପାଇଁ କୌଣସି ଅବଦାନ ରହୁନଥିବାବେଳେ କଲେଜର ନିଜସ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ଏମାନେ ସମସ୍ୟା ଭାବେ ଛିଡା ହେଲେଣି । ବିଶେଷକରି ରାଜଧାନୀ, ବିଜେବି ଭଳି ସରକାରୀ ମହାବିଦ୍ୟାଳୟରେ ଏହି ସମସ୍ୟା ଉତ୍କଟ ହୋଇଛି ।
ଗତ ଶିକ୍ଷା ବର୍ଷ ଠାରୁ ରାଜ୍ୟ ସରକାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ଆସନ ସଂଖ୍ୟା ବୃଦ୍ଧି କରିଥିବାବେଳେ ଭିତ୍ତିଭୂମି ପ୍ରତି ଧ୍ୟାନ ଦେଇ ନାହାନ୍ତି । ଫଳରେ କୋଠରୀ ସଂଖ୍ୟା ବୃଦ୍ଧି ହୋଇନଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ବଢିଯାଇଛି ।
ଗୋଟିଏ ପଟେ ଘରୋଇ ଶିକ୍ଷା ସଂସ୍ଥାଙ୍କ ପାଇଁ ସରକାରୀ କଲେଜର ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟାହତ ହେଉଥିବାବେଳେ ଛାତ୍ରଛାତ୍ରୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଏହିସବୁ ଘରୋଇ ସଂସ୍ଥା କିଭଳି ପାଠ ପଢାଉଛନ୍ତି ତାହାର କୌଣସି ତଦାରଖ ହେଉନାହିଁ । ଏମାନଙ୍କ ଉପରେ ସରକାରୀ ମହାବିଦ୍ୟାଳୟର ସେଭଳି କୌଣସି କର୍ତ୍ତୃତ୍ୱ ନଥିବାରୁ ସେମାନେ ବି ବହୁ ସ୍ଥାନରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନକରି ଅର୍ଥ ସଞ୍ଚୟ କରିବାରେ ଲାଗିଛନ୍ତି । ସରକାରୀ ମହାବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ସହିତ ଘରୋଇ ଶିକ୍ଷାସଂସ୍ଥାର ପାଠପଢାର ତଦାରଖ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)