Home Administration ସରକାରୀ ଉଦ୍ୟୋଗ ପାଇଁ ନୂଆ ନୀତି

ସରକାରୀ ଉଦ୍ୟୋଗ ପାଇଁ ନୂଆ ନୀତି

ଭୁବନେଶ୍ୱର : ସରକାରୀ ଉଦ୍ୟାଗଗୁଡିକୁ ଅଧିକ ଦକ୍ଷ ଓ ଲାଭଜନକ କରିବାପାଇଁ ରାଜ୍ୟ ସରକାର ନୂତନ ପ୍ରବନ୍ଧନ ନୀତି ପ୍ରଣୟନ କରିବେ । ରାଜ୍ୟ ସରକାରୀ ଉଦ୍ୟୋଗ ବିଭାଗ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି ।

ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ଉଦ୍ୟୋଗଗୁଡିକ ମଧ୍ୟରୁ ହାତଗଣତି କେତୋଟି ସଂସ୍ଥାକୁ ବାଦ୍‍ ଦେଲେ ଅନ୍ୟମାନେ ଭଲ ପ୍ରଦର୍ଶନ କରୁନାହାନ୍ତି । ବହୁ ଉଦ୍ୟୋଗ କ୍ଷତିରେ ଚାଲୁଛନ୍ତି । ୨୦୧୨ ମସିହାରେ ରାଜ୍ୟ ସରକାର ପ୍ରଣୟନ କରିଥିବା ପ୍ରବନ୍ଧନ ମାର୍ଗଦର୍ଶିକା ଅନୁଯାୟୀ ଏମାନେ କାର୍ଯ୍ୟ କରୁଥିବାବେଳେ ଲାଭ କରୁଥିବା ଉଦ୍ୟୋଗଗୁଡିକ ବି ନାଲ୍‍କୋ, ଏନ୍‍ଟିପିସି, ଏମସିଏଲ୍‍ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ସହିତ ଏମାନେ ସମକକ୍ଷ ହୋଇପାରୁ ନାହାନ୍ତି ।

ରାଜ୍ୟକୁ ଏବେ ବିପୁଳ ପରିମାଣର ପୁଞ୍ଜି ଆସୁଥିବାବେଳେ ଡିଜିଟାଲ, ଏଆଇ, ଫାର୍ମାସିକିଟାଲ, ଅକ୍ଷୟଶକ୍ତି ଆଦି କ୍ଷେତ୍ରରେ ଅଧିକ ନିବେଶ ହେଉଛି । ହେଲେ ଏହିସବୁ କ୍ଷେତ୍ରରେ କାର୍ଯ୍ୟରତ ଉଦ୍ୟୋଗ ଗୁଡିକରେ ପେଶାଦାରୀ ଦକ୍ଷତାର ଅଭାବ ଥିବା ପରିଲକ୍ଷିତ ହେଉଛି । ସରକାରୀ ଉଦ୍ୟୋଗଗୁଡିକର ପରିଚାଳନା ମଣ୍ଡଳୀରେ ଯେଭଳି ସ୍ୱାଧୀନ ନିର୍ଦ୍ଦେଶକ ରହିବାକଥା ତାହା ହେଉନାହିଁ । ବରଂ ପରିଚାଳନା ନିର୍ଦ୍ଦେଶକଙ୍କ ନିଷ୍ପତ୍ତି ଅନୁସାରେ ହିଁ ଉଦ୍ୟୋଗ ପରିଚାଳିତ ହେଉଛି । ସରକାରୀ ଉଦ୍ୟୋଗଗୁଡିକର କାର୍ଯ୍ୟ ସଂକ୍ରାନ୍ତରେ ସରକାରୀ ବିଭାଗମାନେ ବହୁ ସମୟରେ ଅନ୍ଧାରରେ ରହୁଛନ୍ତି ।

ସରକାରୀ ବିଭାଗ ଓ ସରକାରୀ ଉଦ୍ୟୋଗ ମଧ୍ୟରେ ସମନ୍ୱୟର ଅଭାବ ରହୁଛି । ଅଧିକାଂଶ ସରକାରୀ ଉଦ୍ୟୋଗକୁ ଚଳାଇ ରଖିବାପାଇଁ ରାଜ୍ୟ ସରକାର ମୋଟା ଅଙ୍କର ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ଉଦ୍ୟୋଗଗୁଡିକର ପ୍ରଦର୍ଶନ ଆଦୌ ଉତ୍ସାହଜନକ ହୋଇପାରୁ ନାହିଁ । ଏପରିକି ବିଭିନ୍ନ ସଂସ୍ଥା ସହିତ ଉଦ୍ୟୋଗଗୁଡିକ କରୁଥିବା ବୁଝାମଣାପତ୍ର ସେତେଟା ପ୍ରଭାବଶାଳୀ ହୋଇପାରୁ ନାହିଁ । ତେଣୁ ଏଭଳି ବ୍ୟବସ୍ଥାରେ ସୁଧାର ଆଣି ସରକାରୀ ଉଦ୍ୟୋଗୁଡିକୁ ଦକ୍ଷ କରିବାପାଇଁ ସାଧାରଣ ଉଦ୍ୟୋଗ ବିଭାଗ ଅଣ୍ଟା ଭିଡିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ନାଲ୍‍କୋ, ଏନଟିପିସି, ଭେଲ୍‍, ଏମସିଏଲ୍‍, ସେଲ୍‍, ହାଲ୍‍ ଭଳି ସରକାରୀ ଉଦ୍ୟୋଗ ପ୍ରତିଦ୍ୱନ୍ଦିତା ଭିତ୍ତିରେ ଉନ୍ନତ ପ୍ରଦର୍ଶନ କରି ନବରତ୍ନ ଓ ମହାରତ୍ନ ମାନ୍ୟତା ହାସଲ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅଧିନରେ ଉଦ୍ୟୋଗଗୁଡିକ କିନ୍ତୁ ଅର୍ଥାଭାବରୁ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏପରିକି କେତେକ ଉଦ୍ୟୋଗ ନିଜର ବ୍ୟବସାୟକୁ ବିନା ଲାଭ ବିନା କ୍ଷତି ଓ ଆଉ କେତେକ ନିଜର କ୍ଷତି ହେଉଥିବା ଦର୍ଶାଇ ସରକାରଙ୍କ ଅନୁଦାନ ଉପରେ ନିର୍ଭର କରୁଛନ୍ତି ।

ସରକାରୀ ଉଦ୍ୟୋଗଗୁଡିକୁ ଏଭଳି ସ୍ଥିତିରୁ ରକ୍ଷାକରିବା ସହିତ ସେମାନେ କିଭଳି ଲାଭବାନ୍‍ ହୋଇ ରାଜ୍ୟ ଅର୍ଥନୀତିକୁ ସୁଦୃଢ କରିବେ ସେଥିପାଇଁ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ‘କର୍ପୋରେଟ ଗଭର୍ଣ୍ଣାନ୍ସ ପଲିସୀ’ ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । (ତଥ୍ୟ)