Home News in Odia ଶିଳାନ୍ୟାସକୁ ୧୫ ବର୍ଷ

ଶିଳାନ୍ୟାସକୁ ୧୫ ବର୍ଷ

ଭୁବନେଶ୍ୱର : ପ୍ରତିବର୍ଷ ସ୍ୱାୟତ୍ତ ଶାସନ ଅବସରରେ ଅନେକ ପ୍ରକଳ୍ପ ଲାଗି ଶିଳାନ୍ୟାସ ହେବା ସହିତ କିଛି ନୂଆ ଘୋଷଣା ହୁଏ ଏବଂ ଆଉ କିଛି ଉଦ୍‍ଘାଟନ ସହିତ ସଭା, ସମିତି, ଶୋଭାଯାତ୍ରା ଆଦି କରାଯାଇଥାଏ । ଏହି କ୍ରମରେ ଖୋଦ୍‍ ରାଜଧାନୀ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ‘ଫୁଟ୍‍ ଓଭରବ୍ରିଜ୍‍’ ନିର୍ମାଣ ପାଇଁ ପ୍ରାୟ ୧୫ବର୍ଷ ତଳେ ଶିଳାନ୍ୟାସ ହୋଇଥିଲେ ମଧ୍ୟ ଏଯାବତ୍‍ କିଛି କାମ ଆରମ୍ଭ ହୋଇନାହିଁ । ରାସ୍ତା ମଝିରେ ପ୍ରାୟ ଏକ ଡଜନ୍‍ ନେତାଙ୍କ ନାମ ଥିବା ଶିଳାନ୍ୟାସ ଫଳକଟି ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟବସ୍ଥାକୁ ଯେମିତି ଉପହାସ କରୁଛି ।

୨୦୧୧ ମସିହାରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ରମାଦେବୀ ସ୍ୱୟଂଶାସିତ ମହିଳା କଲେଜ୍‍ ସମ୍ମୁଖରେ ଏହି ଫୁଟ୍‍ ଓଭରବ୍ରିଜ୍‍ର ଶିଳାନ୍ୟାସ ହୋଇଥିଲା । ବେଶ୍‍ ଜାକଜକମରେ ଅନୁଷ୍ଠିତ ଏହି ପର୍ବରେ ରମାଦେବୀ ମହିଳା କଲେଜ୍‍ର ଛାତ୍ରୀମାନେ ଏକ ବଡ଼ କାମ ହୋଇଯିବ ବୋଲି ଆଶା ରଖି ଉପସ୍ଥିତ ନେତାମାନଙ୍କ ଜୟଜୟକାରରେ ଗଗନ ପବନ ମୁଖରିତ କରିଥିଲେ । ତେବେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ତାଳମେଳ ଅଭାବରୁ ଏହି ଫୁଟ୍‍ ଓଭରବ୍ରିଜ୍‍ ନିର୍ମିତ ହୋଇପାରୁ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବିନା ଅର୍ଥ ମଞ୍ଜୁରୀ ଓ ପ୍ରକଳ୍ପର ବୈଷୟିକ ଅନୁମୋଦନ ବିନା ଏଠାରେ ଶିଳାନ୍ୟାସ କରାଯାଇଥିଲା ।

୨୦୧୫ ମସିହାରେ ଏହି ମହିଳା କଲେଜ୍‍କୁ ବିଶ୍ୱବିଦ୍ୟାଳୟକୁ ଉନ୍ନିତ କରାଯାଇଥିଲା । ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନେକବାର ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ କର୍ତ୍ତୃପକ୍ଷଙ୍କୁ ମନେ ପକାଇଛନ୍ତି । ଗଣମାଧ୍ୟମରେ ବି ବହୁଥର ଏ ପ୍ରସଂଗ ଉଠିଛି । କିନ୍ତୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ବ୍ୟସ୍ତବହୁଳ ରାସ୍ତା ପାରି ହେବା ବେଳେ ଛାତ୍ରୀ, ଅଧ୍ୟାପିକାଙ୍କଠାରୁ ଆରମ୍ଭ କରି ଏଠାକୁ ଆସୁଥିବା ଅନେକ ବ୍ୟକ୍ତି ଦୁର୍ଘଟଣାର ଶିକାର ହେବା ଏକ ନିତିଦିନିଆ ଘଟଣାରେ ପଡିଯାଇଥିଲେ ମଧ୍ୟ ଫୁଟ୍‍ ଓଭରବ୍ରିଜ୍‍ ନିର୍ମିତ ହେଉନାହିଁ ।

୨୦୧୧ ମସିହାରେ ଏଠାରେ ଯେଉଁ ଶିଳାନ୍ୟାସ କରାଯାଇଥିଲା ସେଥିରେ ସେତେବେଳର ନଗର ଉନ୍ନୟନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ରାଜନେତାଙ୍କ ନାମ ଖାଦିତ ହୋଇ ରହିଛି । ରମାଦେବୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖସ୍ଥ ରାସ୍ତାର ଡିଭାଇଡର୍‍ ମଝିରେ ଏହି ଫଳକଟି ସତେ ଯେମିତି ବିଦୃପ କରୁଛି । ଏବେ ଫଳକଟିରୁ କିଛି ନାମ ଲିଭିଯିବାକୁ ବସିଲାଣି । ଅତୀତରେ ଯେଉଁମାନେ ଏହି ଫଳକ ପୋତା ରାଜନୀତିକୁ ସମାଲୋଚନା କରୁଥିଲେ ସେମାନେ ଏବେ ସରକାରରେ ଥିଲେ ମଧ୍ୟ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ଦିଗରେ ଧ୍ୟାନ ଦେଉ ନାହାନ୍ତି ।

ଦଳମତ ନିର୍ବିଶେଷରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏଥିଘେନି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଗତ ଓ ବର୍ତ୍ତମାନର ବ୍ୟବସ୍ଥାକୁ ସମାଲୋଚନା କରୁଛନ୍ତି । ରାଜନୈତିକ ହସ୍ତକ୍ଷେପ ଫଳରେ ଜାତୀୟ ରାଜପଥ ଉପରେ ଭୁବନେଶ୍ୱରରେ ବହୁ ଫୁଟ୍‍ ଓଭରବ୍ରିଜ୍‍ ସୀମିତ ସମୟ ଭିତରେ ନିର୍ମିତ ହୋଇପାରୁଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ କେବେ ଏହାର ନିର୍ମାଣ ସରି ଉଦ୍‍ଘାଟନ ହେବ ତାହାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । (ତଥ୍ୟ)