ଭୁବନେଶ୍ୱର : ସଂସ୍କାର ପ୍ରତି ବିମୁଖ ଓଡିଶା ଅତିରିକ୍ତ ସମ୍ବଳ ସଂଗ୍ରହ କରିବା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ବହୁ ପଛରେ ପଡିଗଲାଣି । ବିଭିନ୍ନ ରାଜ୍ୟମାନେ ସଂସ୍କାର ଯୋଜନାଗୁଡିକୁ କାର୍ଯ୍ୟକାରୀ କରି ୮୬ହଜାର କୋଟିରୁ ଅଧିକ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସକ୍ଷମ ହୋଇଥିବାବେଳେ ଓଡିଶା ମାତ୍ର ଦେଢ ହଜାର କୋଟିରେ ସୀମିତ ରହିଛି ।
କୋଭିଡ ମହାମାରୀ ଯୋଗୁଁ ରାଜ୍ୟମାନଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଥିବା ଯୋଗୁଁ କେନ୍ଦ୍ର ସରକାର ୪ଟି ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରି ଏଥିପାଇଁ ଅତିରିକ୍ତ ଋଣ ସଂଗ୍ରହ ଅନୁମତି କେନ୍ଦ୍ରରୁ ହାସଲ ସକାଶେ ସର୍ତ୍ତ ରଖିଥିଲେ । ଏଥି ମଧ୍ୟରେ ଶିଳ୍ପ ପାଇଁ ସହଜ ବ୍ୟବସାୟ ବ୍ୟବସ୍ଥା, ଏକ ଦେଶ ଏକ ରାସନକାର୍ଡ, ସହରାଞ୍ଚଳ ସେବା ସଂସ୍କାର ଓ ବିଦ୍ୟୁତ୍ ସଂସ୍କାର ଆଦି ରହିଛି । ଏଗୁଡିକ ମଧ୍ୟରୁ ଓଡିଶା କେବଳ ଶିଳ୍ପ ପ୍ରୋତ୍ସାହନକାରୀ ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାପାଇଁ ରାଜିହେବା ଫଳରେ ମାତ୍ର ୧୪୨୯କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ ଲାଗି ଅନୁମତି ପାଇଛି ।
ଇତି ମଧ୍ୟରେ କେନ୍ଦ୍ର ସରକାର ୮୬,୪୧୭କୋଟି ଟଙ୍କାର ଅତିରିକ୍ତ ଋଣ ସଂଗ୍ରହ ପାଇଁ ରାଜ୍ୟମାନଙ୍କୁ ଅନୁମତି ଦେଇଥିବାବେଳେ ଓଡିଶା କେବଳ ଗୋଟିଏ ସଂସ୍କାର କାର୍ଯ୍ୟକାରୀ କରି ସୀମିତ ମାତ୍ରାରେ ଲାଭାନ୍ୱିତ ହୋଇଛି । ଏହି ୪ଟି ସଂସ୍କାରକୁ କାର୍ଯ୍ୟକାରୀ କରିଥିଲେ ରାଜ୍ୟ ସରକାର ବିଶେଷ ଭାବରେ ଉପକୃତ ହୋଇପାରି ଥାନ୍ତେ । କିନ୍ତୁ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।
କାରଣ ଅନୁଧ୍ୟାନରୁ ଜଣାଯାଏ ଯେ ଯେଉଁସବୁ ବିଭାଗ ଏହି ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକଥା ସେମାନେ ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଶିଳ୍ପ ବିଭାଗ ଦ୍ୱାରା ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାପାଇଁ ଆଗ୍ରହ ପ୍ରକାଶ କରାଯିବା ଫଳରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଶିଳ୍ପସଂସ୍କାର ବ୍ୟବସ୍ଥାକୁ ଓଡିଶା କାର୍ଯ୍ୟକାରୀ କରିବା ଫଳରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଓଡିଶା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆଗଧାଡିରେ ରହିଛି ।
ବିଦ୍ୟୁତ୍ ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉନଥିବା ଯୋଗୁଁ ରାଜ୍ୟରେ ବିଦ୍ୟୁତ୍ ଅପଚୟ ଓ ଚୋରି ବଢିବାରେ ଲାଗିଛି । ଏ କ୍ଷେତ୍ରରେ ଦୁର୍ବଳତାକୁ ଦୂରକରି ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ରାଜ୍ୟ ସରକାର ସୁଯୋଗ ହରାଉଥିବା ବିଦ୍ୟୁତ୍ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ବିସ୍ମିତ କରୁଛି । ସେହିଭଳି ଏକ ଦେଶ ଏକ ରାସନକାର୍ଡ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ କର୍ତ୍ତୃପକ୍ଷ ଆଗ୍ରହପ୍ରକାଶ କରୁନାହାନ୍ତି ।
ବର୍ତ୍ତମାନ ସୁଦ୍ଧା ୧୫ଟି ରାଜ୍ୟ ଶିଳ୍ପ ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିବାବେଳେ ୧୩ଟି ରାଜ୍ୟ ଏକ ଦେଶ ଏକ ରାସନକାର୍ଡକୁ କାର୍ଯ୍ୟକାରୀ କରିଛନ୍ତି । ୬ଟି ରାଜ୍ୟ ସହରାଞ୍ଚଳ ସଂସ୍କାର ବ୍ୟବସ୍ଥାକୁ ଆପଣେଇ ଥିବାବେଳେ ମାତ୍ର ୨ଟି ରାଜ୍ୟ ବିଦ୍ୟୁତ୍ ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନା ମହାମାରୀ ସମୟରେ ରାଜ୍ୟମାନେ କେନ୍ଦ୍ର ସରକାରଙ୍କୁ ଅଧିକରୁ ଅଧିକ ଅନୁଦାନ ଓ ଆର୍ଥିକ ସହାୟତା ଯୋଗାଇବାପାଇଁ ଅନୁରୋଧ କରିଥିବାବେଳେ କେନ୍ଦ୍ର ଲୋକମାନଙ୍କ ହାତକୁ ଯେଭଳି ପଇସା ଯୋଗାଇ ଦିଆଯାଇପାରିବ ସେଥିପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସଂଗେ ସଂଗେ ଏହି ସୁଯୋଗରେ ସଂସ୍କାର ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଥିଲେ ।