Home Assembly ସମ୍ପୂର୍ଣ୍ଣ ହୋଇଛି ୪୬ଟି ପାନୀୟଜଳ ପ୍ରକଳ୍ପ

ସମ୍ପୂର୍ଣ୍ଣ ହୋଇଛି ୪୬ଟି ପାନୀୟଜଳ ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟର ୨୦୭ଟି ବୃହତ୍‍ ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର ୪୬ଟି ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୬୧ଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ସମ୍ପୂର୍ଣ୍ଣ ହେଲାପରେ ସେହିସବୁ ଅଞ୍ଚଳରେ ଲୋକଙ୍କୁ ପାଇପ୍‍ ଯୋଗେ ସ୍ୱଚ୍ଛ ପାନୀୟଜଳ ଯୋଗାଣ ହେବ ।

ରାଜ୍ୟରେ ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ ସୁନିଶ୍ଚିତ କିରବା ନିମନ୍ତେ ଝାରସୁଗୁଡା ସମେତ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୨୦୭ଟି ବୃହତ ପାଇପ୍‍ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।

ସେଥି ମଧ୍ୟରୁ ୪୬ଟି ବୃହତ୍‍ ପାନୀୟଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣର୍ କରାଯାଇ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦିଆଯାଉଛି । ଅବଶିଷ୍ଟ ୧୬୧ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମନ୍ତ୍ରୀ କହିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ଜଳ ଜୀବନ ମିଶନ ୨.୦ ରୁ ଅବଧି ୨୦୨୮ ଡିସେମ୍ବର ସୁଦ୍ଧା ଧାର୍ଯ୍ୟ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ମାର୍ଚ୍ଚ ୨୦୨୭ ସୁଦ୍ଧା ବୃହତ ପାନୀୟଜଳ ପ୍ରକଳ୍ପଗୁଡିକର କାର୍ଯ୍ୟ ସାରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।