Home Assembly ନାହାନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ

ନାହାନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭୁବନେଶ୍ୱର : ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିନ୍ତୁ ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ଖାଲି ଥିବା ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ଦେଇଛନ୍ତି ।

ବିଧାନସଭାରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀଙ୍କ ସୂଚନାରୁ ଜଣାଯାଇଛି ଯେ କେବଳ କଟକ ଜିଲ୍ଲାରେ ୧୩୯ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ଜିଲ୍ଲାରେ ୩୬୭ ମଞ୍ଜୁରୀପ୍ରାପ୍ତ ପଦବୀରୁ ଏତିକି ଫାଙ୍କା ରହିଛି । ଯାଜପୁର ଜିଲ୍ଲାରେ ୩୧୧ ପଦବୀ ମଧ୍ୟରୁ ୯୪ଟି ଖାଲି ପଡିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ୧୯୮ ପଦବୀ ମଧ୍ୟରୁ ୮୩ଟି ଖାଲି । ଝାରସୁଗୁଡା ଜିଲ୍ଲାରେ ୭୮ଟି ପଦବୀରୁ ୨୦ଟି ଖାଲି ପଡିଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ୨୪୯ରୁ ୭୫, କେନ୍ଦୁଝର ଜିଲ୍ଲାରେ ୨୯୭ରୁ ୭୬, ଖୋର୍ଦ୍ଧାରେ ୧୮୯ ପଦବୀରୁ ୫୦ଟି ଖାଲି ପଡିଛି ।

ସେହିଭଳି କୋରାପୁଟ ଜିଲ୍ଲାରେ ୨୩୯ ମଞ୍ଜରୀପ୍ରାପ୍ତ ପଦବୀରୁ ୭୮ଟି ଖାଲି ଥିବାବେଳେ ମାଲକାନଗିରି ଜିଲ୍ଲାରେ ୧୧୧ଟି ପଦବୀରୁ ୫୦ଟି ଖାଲି ପଡିଛି । ନବରଙ୍ଗପୁର ଜିଲ୍ଲାରେ ୧୮୯ ପଦବରୁ ୯୪ଟି, ନୟାଗଡ ଜିଲ୍ଲାରେ ୧୯୪ରୁ ୪୫, ନୂଆପଡାରେ ୧୩୧ ରୁ ୩୩, ପୁରୀରେ ୨୬୨ ରୁ ୬୧ ଓ ରାୟଗଡା ଜିଲ୍ଲାରେ ୧୮୧ ଟି ପଦବୀରୁ ୬୩ ଟି ଖାଲି ପଡିଛି । ସୁବର୍ଣ୍ଣପୁର ଜିଲ୍ଲାରେ ୧୦୭ ପଦବୀରୁ ୩୧ଟି ଖାଲି ପଡିଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ୨୭୯ଟି ରୁ ୯୯ଟି ଖାଲି ପଡିଛି ।

ତେବେ ଭଦ୍ରକ, ବୌଦ୍ଦ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ କେତେକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ପଦବୀ ଖାଲି ପଡିଛି ସରକାର ତାହାର ତଥ୍ୟ ସଂଗ୍ରହ କରୁଥିବା ମନ୍ତ୍ରୀ ଉଲ୍ଲେଖ କରୁଛନ୍ତି । ତେବେ ଶତାଧିକ ପଦବୀ ଖାଲି ପଡୁଥିବାରୁ ଜଣେ ଜଣେ ପଞ୍ଚାୟତ ଅଧିକାରୀ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହୁଛନ୍ତି । ଫଳରେ କେତେକ ସ୍ଥାନରେ ସାଧାରଣ ଲୋକେ ତ ଦୂରରକଥା ସରପଞ୍ଚ ଓ ୱାର୍ଡମେମ୍ବରମାନେ ଏହି ଅଧିକାରୀଙ୍କର ସହଜରେ ଦେଖା ଦର୍ଶନ ପାଉନଥିବାର ଅଭିଯୋଗ ବି ଆସୁଛି । (ତଥ୍ୟ)