Home General ସମ୍ପତ୍ତି ପାଇଁ ସମାଜସେବୀ ଦମ୍ପତିଙ୍କ କଳିଗୋଳ

ସମ୍ପତ୍ତି ପାଇଁ ସମାଜସେବୀ ଦମ୍ପତିଙ୍କ କଳିଗୋଳ

ଭୁବନେଶ୍ୱର : ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶିଶୁ ଓ ମହିଳା ବିକାଶଠାରୁ ଆରମ୍ଭକରି ନିଶା ନିବାରଣ ସମେତ ଅନେକ ଜନହିତକାରୀ କାର୍ଯ୍ୟ ହାତକୁ ନେଇଥିବା ଉଚ୍ଚ ଶିକ୍ଷିତ ଦମ୍ପତି ପରିଣତ ବୟସରେ ଏବେ ପରସ୍ପର ବିରୋଧରେ ଅଭିଯୋଗ ଆଣି ଥାନା, ଫାଣ୍ଡିଠାରୁ ରାଜରାସ୍ତା ଓ ଆଇନ ଅଦାଲତ ପର୍ଯ୍ୟନ୍ତ ଲଢ଼େଇ କରିବା ପୋଲିସ୍‍ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ଗଣ୍ଡଗୋଳ ପଛରେ ପରକୀୟା ପ୍ରୀତି ଓ ଧନସମ୍ପତ୍ତି ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଜଗତସିଂହପୁର ଜିଲ୍ଲାର ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଏକ ପ୍ରତିଷ୍ଠିତ ସରକାରୀ ବୈଷୟିକ କଲେଜରେ ବରିଷ୍ଠ ଅଧ୍ୟାପକ ଥିଲେ । ସେ ବିବାହିତ ଓ ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ନିଜ ବିବାହିତା ପତ୍ନୀଙ୍କୁ ଦୂରେଇ ଦେଇ ନିଜଠାରୁ ବୟସରେ ପ୍ରାୟ ୨୦ବର୍ଷ ଛୋଟ ଜଣେ ମେଟ୍ରିକ ପଢ଼ିଥିବା ଝିଅ ପ୍ରେମରେ ପଡିଗଲେ ଏହି ଅଧ୍ୟାପକ । ପରବର୍ତ୍ତୀ ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀ ହୋଇ ପ୍ରାୟ ୪୦ବର୍ଷ ଧରି ରହିଲେଣି । ପ୍ରଥମ ଓ ଦ୍ୱିତୀୟ ପତ୍ନୀ ଜୀବିତ ଥିବାବେଳେ ସଂପୃକ୍ତ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଜଣକ ଅନ୍ୟ ଜଣଙ୍କ ସହିତ ସଂପର୍କ ରଖିବାରୁ ପରିବାରରେ ଫାଟ ବଢ଼ିବାରେ ଲାଗିଥିଲା ।

ସଂପୃକ୍ତ ଅଧ୍ୟାପକ ଚାକିରି ଛାଡି ଏନଜିଓ ଗଢ଼ି ରାଉରକେଲା, ଭୁବନେଶ୍ୱର ଆଦି ରାଜ୍ୟର କେତେକ ସ୍ଥାନରେ ଦ୍ୱିତୀୟ ପତ୍ନୀଙ୍କ ସହ ମିଶି ଅନେକ କାମ କରିଛନ୍ତି । ଦ୍ୱିତୀୟ ପତ୍ନୀଙ୍କ ନାମରେ ମଧ୍ୟ ଭୁବନେଶ୍ୱର ଓ ରାଉରକେଲାରେ କିଛି ଭୂସମ୍ପତ୍ତି ଓ କୋଠାବାଡି ରହିଛି । ତେବେ କିଛିଦିନ ଧରି ଏମାନେ ପରସ୍ପରଠାରୁ ଅଲଗା ରହୁଥିଲେ । ନିକଟରେ ଦ୍ୱିତୀୟ ପତ୍ନୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ବାହାରକୁ ଯିବା ବେଳେ ସମାଜସେବୀ ଅବସରପ୍ରାପ୍ତ ପତି ଜଣକ ପୁଅ-ବୋହୂଙ୍କୁ ଧରି ଦ୍ୱିତୀୟ ପତ୍ନୀ ରହୁଥିବା ଘରର କବାଟ ଭାଙ୍ଗି ଦଖଲକୁ ନେଇଛନ୍ତି ।

ଏକଥା ଜାଣିବା ପରେ ଅଧାବାଟରୁ ଦ୍ୱିତୀୟ ପତ୍ନୀ ଫେରି ଆସି ପୋଲିସ ଏସିପି, ଡିସିପି ଆଦିଙ୍କୁ ଗୁହାରି କରିବା ସତ୍ତ୍ୱେ ବି ତାଙ୍କୁ ଘରେ ପୁରାଇ ଦିଆଯାଉ ନଥିବାରୁ ସେ ଆଉଟ୍‍ ହାଉସରେ ରହୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏହି ଦମ୍ପତି ନିଜକୁ ହେତୁବାଦୀ ଭାବେ ପରିଚୟ ଦିଅନ୍ତି ଏବଂ ସାମାଜିକ ପରମ୍ପରା ଭାଙ୍ଗି ବିଜ୍ଞାନ ସମ୍ମତ ଭାବେ ଚଳିବା ଲାଗି ସଭା ସମିତିରେ ବହୁବାର ଭାଷଣ ଦେଇଆସିଛନ୍ତି ।

ଇତିମଧ୍ୟରେ କେତେକ ଅଗ୍ରଣୀ ମହିଳା ଓ ସ୍ୱେଚ୍ଛାସେବୀ ସଂଗଠନ ଏମାନଙ୍କ ବିବାଦର ସମାଧାନ କରିବାକୁ ଚାହୁଁଥିଲେ ବି ପ୍ରାୟ ୮୦ବର୍ଷ ବୟସ୍କ ସ୍ୱାମୀ ଓ ୬୦ବର୍ଷ ପାର୍‍ କରିଥିବା ଦ୍ୱିତୀୟ ପତ୍ନୀ ନିଜ ନିଜ ଜିଦ୍‍ରେ ଅଟଳ ରହୁଥିବାରୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସମାଜସେବା ପାଇଁ ଏନଜିଓ ଗଢ଼ି କାମ କରୁଥିବା ଏହି ଦମ୍ପତି ରାଉରକେଲା, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କିଭଳି ବିପୁଳ ସମ୍ପତ୍ତି ଆହରଣ କରିବା ସହ ସୁଦୃଶ୍ୟ କୋଠାବାଡିମାନ ନିର୍ମାଣ କରିଛନ୍ତି ଏବଂ ଏଥିପାଇଁ କେଉଁ ଉତ୍ସରୁ ଟଙ୍କା ଆସିଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଏବେ ବିଭିନ୍ନ ମହଲରୁ ଦାବି ଉଠୁଛି ।

ଏହି ଦମ୍ପତି ବରିଷ୍ଠ ନାଗରିକ ହେବା ପରେ ଆଇନ ଅଦାଲତରେ ଭରଣପୋଷଣ ମାମଲାରେ ଲଢ଼ାଲଢ଼ି ହେଉଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ସମସ୍ତ କଥାକୁ ସ୍ୱୀକାର କରୁଥିବା ବେଳେ ଯେଉଁ ଘରେ ସଂପୃକ୍ତ ମହିଳା ରହୁଥିଲେ ତାହାର ମାଲିକାନା ଉଭୟ ପତି ଓ ପତ୍ନୀଙ୍କ ନାମରେ ରହିଥିବା ବେଳେ ପତି ଆସି ଏହି ଘରେ ରହିବା ଘଟଣାରେ ପୋଲିସ ତାଙ୍କୁ କିପରି ବାହାର କରିବ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି ।

ପତି ଯଦି ତାଙ୍କ ପୁଅ-ବୋହୂଙ୍କ ସହ ଏହି ଘରେ ରହିବେ ଏବଂ ମୁଖ୍ୟ ଘର ମଧ୍ୟକୁ ଦ୍ୱିତୀୟ ପତ୍ନୀକୁ ପଶିବାକୁ ନ ଦେଇ ଆଉଟ୍‍ ହାଉସ୍‍ରେ ରହିବା ପାଇଁ ସ୍ଥାନ ଦେବେ ସେ କ୍ଷେତ୍ରରେ କିଏ କେଉଁଠି ରହିବ କି ନ ରହିବ ଏବଂ ଏ ସମ୍ପତ୍ତି ଉପରେ କାହାର କେତେ ଅଧିକାର ସେ ପ୍ରସଙ୍ଗରେ ନିଷ୍ପତ୍ତି କେବଳ ଆଇନ ଅଦାଲତ ନେଇପାରିବ ବୋଲି କୁହାଯାଉଛି । (ତଥ୍ୟ)