Home Industry ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ପାଇଁ ବୁଝାମଣା

ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ପାଇଁ ବୁଝାମଣା

ଭୁବନେଶ୍ୱର : ଅଟୋମେସନ୍‌ କ୍ଷେତ୍ରରେ ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ଆଜି ମଞ୍ଚେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟର ଏବଂ ଏ.ବି.ବି. ଇଣ୍ଡିଆ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ୱାଲର୍ଡ ସ୍କିଲ୍‌ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋବୋଟିକ୍ସ ଟେକ୍‌ନୋଲୋଜି ଦକ୍ଷତା ବୃଦ୍ଧି କାର୍ଯ୍ୟରେ ଏହା ସହାୟକ ହେବ । ଯେଉଁ ପ୍ରଶିକ୍ଷାର୍ଥୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନେ ଭବିଷ୍ୟତରେ ଅନ୍ୟ କର୍ମଚାରୀମାନଙ୍କୁ ଏହି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବେ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଫଳରେ ଏ.ବି.ବି. ୱାଲର୍ଡ ସ୍କିଲ୍‌ ସେଣ୍ଟର ପାଇଁ ୫୦ଟି ରୋବୋଟ୍‌ ଷ୍ଟୁଡିଓ ନେଟ୍‌ୱାର୍କ ମାଗଣାରେ ପ୍ରଦାନ କରିବ । ପ୍ରତିବର୍ଷ ଏହା ନବୀକରଣ କରାଯିବ ଏବଂ ଏତଦ୍‌ବ୍ୟତୀତ ୱାଲର୍ଡ ସ୍କିଲ୍‌ ସେଣ୍ଟରର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ଦୁଇଥର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହି ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଏବିବି ରୋବୋଟିକ୍ସର ଜନ୍‌ ଲିଓ ଇଗ୍‌ନାଟିଅସ୍‌, ୱାଲର୍ଡ ସ୍କିଲ୍‌ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଅଳକା ଆରୋରା ମିଶ୍ର, ଅଧ୍ୟକ୍ଷ ସଂଗାରନ୍‌ ଗୋପାଲ, ନିର୍ଦ୍ଦେଶକ ଚିଓ ଇଙ୍ଗ୍‌ ଚୁନ୍‌, ସୁପିଆ ନାଗାମଲ୍‌, କେର୍‌ୱିନ୍‌ ହିଙ୍ଗ୍‌ ଏବଂ ଉପନିର୍ଦ୍ଦେଶକ ଶୁଭାଶିଷ ଦାସ, ସୁଶ୍ରୀ ଏସ୍‌. ସାହୁ, ଆଶୁତୋଷ ଏନ୍‌. ଦେ, ଉପାଧ୍ୟକ୍ଷ ଡ. ଶୁଭାଙ୍ଗ କେ. ଦାସଙ୍କ ସମେତ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।