ଭୁବନେଶ୍ୱର : ଦେଶର ଅନ୍ୟତମ ବଡ ଅଭିଯାନ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ସାମିଲ ହୋଇଛି । ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ।
ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ଦିନ ପାଇଁ ଆମେ ଦୀର୍ଘ ୬ ମାସରୁ ଅଧିକ ସମୟ ଅପେକ୍ଷା କରିଥିଲୁ । ଟିକା ଗ୍ରହଣ କରିଥିବାରୁ ମୁଁ ଖୁବ୍ ଖୁସୀ । ପୂର୍ବରୁ ଆମ ହସ୍ପିଟାଲ୍ କୋଭାକ୍ସିନ୍ ଟିକାର ପରୀକ୍ଷଣ ନିମନ୍ତେ ମନୋନୀତ ହୋଇଥିବାରୁ ଏହା ମଧ୍ୟ ଖୁବ୍ ଗର୍ବର ବିଷୟ । ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ରଙ୍କୁ ୩୦ ମିନିଟ୍ ନୀରିକ୍ଷଣ ନିମନ୍ତେ ରଖାଯାଇଥିଲା । ଏହା ପରେ ସେ ଗଣମାଧ୍ୟମକୁ ଭେଟି ତାଙ୍କ ମତ ରଖିଥିଲେ ।
ଟିକା ର ପ୍ରଥମ ଡୋଜ୍ ଗ୍ରହଣ କରିବା ପରେ ସେ କିପରି ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତର ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଏହି ଟିକା ମୃତ ଭାଇରସକୁ ନେଇ ତିଆରି ହୋଇଛି ଏବଂ ଖୁବ୍ ପ୍ରଭାବଶାଳୀ । ଏହି କରୋନା ମହାମାରୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥିବା ପ୍ରଚ୍ଛଦପଟ୍ଟରେ କୌଣସି ଭୟ ନ କରି ଟିକା ଗ୍ରହଣ କରି କରୋନା ସହ ଯୁଦ୍ଧ କରିବା ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।
ଆମେ ଯେତେବେଳେ ମୋଟର ସାଇକେଲ୍ ଚଲାଉଛୁ କିମ୍ବା ଉଡାଜାହାଜରେ ବସୁଛୁ ସେତେବେଳେ ଦୁର୍ଘଟଣା ହେବାର ଅନେକ ସମ୍ଭାବନା ଥିବା ବେଳେ ମଧ୍ୟ ଆମେ ଭୟ କରୁନୁ । ତେବେ ଟିକା ନେବାରେ କାହିଁକି ଭୟ କରିବା ବୋଲି ପ୍ରଶ୍ନ କରିଥିଲେ ପ୍ରଫେସର ମହାପାତ୍ର । ୨୮ ଦିନ ପରେ ସେ ଟିକାର ଦ୍ୱିତୀୟ ଡୋଜ ନେବେ ବୋଲି ସୂଚନା ଦେଇଥିଲେ ।
ପ୍ରଥମ ଦିନ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ସଫେଇ କର୍ମଚାରୀଙ୍କ ଭଳି ସ୍ୱାସ୍ଥ୍ୟ ସେବାକର୍ମୀଙ୍କୁ ସମ୍ ହସ୍ପିଟାଲରେ ଟିକା ପ୍ରଦାନ କରାଯାଇଛି । ରାଜଧାନୀରେ ସମ୍ ହସ୍ପିଟାଲ୍ ସହ ୬ଟି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଟିକାକରଣ ନିମନ୍ତେ ସାମିଲ କରାଯାଇଛି । ଓଡ଼ିଶାରେ ୨ଟି ଭାକ୍ସିନ୍, କୋଭାକ୍ସିନ୍ ଓ କୋଭିସିଲ୍ଡ ବ୍ୟବହାର କରାଯାଉଥିବା ବେଳେ ସମ୍ ହସ୍ପିଟାଲ୍ ସମେତ ବିଏମସି ଅଧିନରେ ଥିବା ଅଂଚଳଗୁଡ଼ିକରେ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଉଛି ।
ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ରଙ୍କ ସମେତ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଅନେକ ଡାକ୍ତର ସାମିଲ୍ ଥିଲେ । ଏହି ଡାକ୍ତରମାନେ ହେଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡଃ ବାନାମ୍ବର ରାୟ, ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଆଡିସନାଲ୍ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡଃ ରାଜେଶ ଲେଙ୍କା, କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ସମ୍ ହସ୍ପିଟାଲରେ କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ ଏବଂ ଇମ୍ୟୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗର ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର ।