ଭୁବନେଶ୍ୱର : ରାଜଧାନୀରେ ଶହ ଶହ ସଂଖ୍ୟାରେ ଆପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦ ଗଢି ଉଠୁଥିବାବେଳେ ନିୟମ ଅନୁଯାୟୀ ଏମାନେ କିଭଳି ଭାବେ ଜଳ ଅମଳ ପ୍ରକଳ୍ପ, ସବୁଜ ବଳୟ ସମେତ କଠିନ ବର୍ଜବସ୍ତୁ ପରିଚାଳନା କରୁଛନ୍ତି ତାହାର ସୂଚନା ସରକାରଙ୍କ ନିକଟରେ ନାହିଁ । ଫଳରେ ସହରର ପରିବେଶକୁ ବିଗାଡିବାରେ ଏମାନେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ଶହେଟି ଆପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦ ନିର୍ମାଣକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ଯେଉଁମାନଙ୍କର କ୍ଷେତ୍ରଫଳ ୨୦ହଜାର ବର୍ଗଫୁଟରୁ ଅଧିକ । ଏମମାନେ ମଞ୍ଜୁରୀ ପାଇବାମାତ୍ରେ ନିର୍ମାଣ କାର୍ଯ୍ୟ ଚଳାଇବା ସହିତ ଯେତେଶୀଘ୍ର ସମ୍ଭବ ତାହାକୁ ବିକ୍ରି କରୁଛନ୍ତି । ଋଣ କରି ଘର କିଣିଥିବା ଲୋକେ ବି ଆଗପଛ ନବିଚାରି ଆପାର୍ଟମେଣ୍ଟରେ ରହୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଆପାର୍ଟମେଣ୍ଟରେ ଲିଫ୍ଟ ଲାଗିନଥିଲେ ବି ଲୋକେ ଘରଭଡାରୁ ରକ୍ଷା ପାଇଁ ସେଠାରେ ରହିଯାଉଛନ୍ତି ।
ତେବେ ଆପାର୍ଟମେଣ୍ଟ ନିର୍ମାଣ ସହିତ ଲୋକଙ୍କୁ ହସ୍ତାନ୍ତର ପୂର୍ବରୁ ତାହା ନିକଟରେ ସବୁଜ ବଳୟ ସୃଷ୍ଟି କରିବା, ଜଳ ଅମଳ ପ୍ରକଳ୍ପ ତିଆରିବାକୁ ନିର୍ମାତାମାନେ ଗୁରୁତ୍ୱ ଦେଉ ନାହାନ୍ତି । କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ଏକ ପ୍ରକାର ସେମାନେ ଭୁଲି ଯାଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ରାଜଧାନୀରେ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟ ବାସିନ୍ଦାମାନେ ଦୈନିକ ସହରକୁ ଆସିଲାବେଳେ ନିଜ ନିଜ ଘରୁ ବାହାରୁଥିବା ବର୍ଜ୍ୟକୁ ଜରିମୁଣାରେ ଆଣି ସହର ଭିତରେ ବିଭିନ୍ନ ସ୍ଥାନରେ ପକାଉଛନ୍ତି ।
ସେହିଭଳି ଜଳ ଅମଳ ପ୍ରକଳ୍ପ ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଆପାର୍ଟମେଣ୍ଟଗୁଡିକ ତାହାକୁ ମାନୁ ନାହାନ୍ତି । ସହର ଉପକଣ୍ଠ ବିଶେଷକରି ଯେଉଁଠାକୁ ୱାଟ୍କୋର ଜଳ ଯୋଗାଣ ବ୍ୟବସ୍ଥା ପହଞ୍ଚି ପାରିନାହିଁ ସେଠାରେ ଆବଶ୍ୟକତା ମେଣ୍ଟାଇବାପାଇଁ ଆପାର୍ଟମେଣ୍ଟଗୁଡିକ ଭୂତଳ ଜଳକୁ ଶୋଷିବାରେ ଲାଗିଛନ୍ତି । ହେଲେ ଭୂତଳ ଜଳ କିଭଳି ରିଚାର୍ଜ ହେବ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।
ଅନୁରୂପ ଭାବେ ସବୁଜ ବଳୟ କଥା ଉଭୟ ନିର୍ମାଣକାରୀ ଓ ରହୁଥିବା ଲୋକେ ବି ଭୁଲିଗଲେଣି । ଆପାର୍ଟମେଣ୍ଟ ଆଖପାଖରେ ଗଛଟିଏ ଲଗାଇବାକୁ ସ୍ଥାନ ଛାଡୁ ନାହାନ୍ତି । ଯେଉଁଠି ଖାଲିସ୍ଥାନ ରହୁଛି ସେଠାରେ ଟାଇଲ୍ ବିଛା ଗାଡି ପାର୍କିଂର ବ୍ୟବସ୍ଥା କରି ଲୋକଙ୍କୁ ଠାରୁ ଅର୍ଥ ଆଦାୟ କରୁଛନ୍ତି ।
ଆପାର୍ଟମେଣ୍ଟ ନିର୍ମାଣ ପାଇଁ ମଞ୍ଜୁରୀ ଦେବାପରେ ସେଠାରେ ଜଳ ଅମଳ, ବର୍ଜ୍ୟ ପରିଚାଳନା ଓ ସବୁଜ ବଳୟ ସୃଷ୍ଟି ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି ସେ ସଂକାନ୍ତରେ ଭୁବନେଶ୍ୱର ସ୍ମାର୍ଟସିଟି, ବିଡିଏ କିମ୍ବା ବିଏମ୍ସି କେହି ବି ଦୃଷ୍ଟି ଦେଉ ନାହାନ୍ତି । ଏ ସଂକ୍ରାନ୍ତରେ ସରକାରଙ୍କ ନିକଟରେ କୌଣସି ସୂଚନା ନଥିବାରୁ ଆଇନ୍ ଉଲ୍ଲଙ୍ଘନ ନେଇ କାହାରିକୁ ବି ଦଣ୍ଡିତ କରାଯାଉ ନାହିଁ । ଫଳରେ ଧିରେ ଧିରେ ରାଜଧାନୀ ଓ ଏହାର ଆଖପାଖର ପରିବେଶ ବିଗିଡିବାରେ ଲାଗିଛି । ରାଜଧାନୀର ଅଧା ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାବେଳେ ବାୟୁର ମାନ ମଧ୍ୟ ବହୁ ଅଞ୍ଚଳରେ କମିବାରେ ଲାଗିଛି । ଗୋଟିଏ ପଟେ ଗାଡିମୋଟର ଜନିତ ପ୍ରଦୂଷଣ ବଢୁଥିବାବେଳେ ଅନ୍ୟ ପଟେ ସବୁଜ ବଳୟ ସୃଷ୍ଟିର ହିସାବ କର୍ତ୍ତୃପକ୍ଷ ନରଖିବା ଆଗାମୀ ଦିନରେ ଭୟଙ୍କର ପରିବେଶଜନିତ ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି । (ତଥ୍ୟ)