ଭୁବନେଶ୍ୱର : ରାଜ୍ୟ ସରକାର ସଫଳତାର ସହି ୩ଟି ବକ୍ସାଇଟ୍ ଓ ଗୋଟିଏ ଚୂନପଥର ଖଣିର ନିଲାମ କରିଛନ୍ତି । ଏଗୁଡିକ ହେଲା ସିଜିମାଳି, କୁଟ୍ରୁମାଳି ଓ ବଳଦା ବକ୍ସାଇଟ୍ ଖଣି ଓ ଉସକାଲଭାଗୁ ଚୂନପଥର ଖଣି ।
ମେକ୍ ଇନ୍ ଓଡିଶାର ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ଅତ୍ୟନ୍ତ ସ୍ୱଚ୍ଛତା ଉପାୟରେ ଖଣି ନିଲାମ ପ୍ରକ୍ରିୟାକୁ କାର୍ଯ୍ୟାନ୍ୱୟନ କରିଛନ୍ତି । ଏହାର ଶ୍ରେୟ ଖଣି ଏବଂ ଭୂତତ୍ୱ ନିର୍ଦ୍ଦେଶାଳୟ ଏବଂ ଇସ୍ପାତ ଓ ଖଣି ବିଭାଗକୁ ଯାଇଛି । ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ନେତୃତ୍ୱରେ ଖଣି ନିର୍ଦ୍ଦେଶକ ଜି ରାଜେଶ ଅତ୍ୟନ୍ତ ସ୍ୱଚ୍ଛତା ଉପାୟରେ ନିଲାମ ପ୍ରକ୍ରିୟା କରିଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି ।
ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ୧୫୪୯.୦୨୨ ହେକ୍ଟର ଅଞ୍ଚଳରେ ଥିବା ସିଜିମାଳି ବକ୍ସାଇଟ୍ ଖଣି ବେଦାନ୍ତ ସପକ୍ଷରେ ଯାଇଛି । ୪୪୫.୧୫୧ ନିୟୁତ ମେଟ୍ରିକ ଟନ୍ ଗଚ୍ଛିତ ଥିବା ବକ୍ସାଇଟ୍ ଖଣି ପାଇଁ ବେଦାନ୍ତ ପକ୍ଷରୁ ସର୍ବାଧିକ ୧୧୨.୧୬ ପ୍ରତିଶତ ଦର ଦିଆଯାଇଥିଲା । ଟେଣ୍ଡରରେ ସଫଳ ହେବା ସହିତ ପ୍ରଥମ ପର୍ଯ୍ୟାୟର ଅର୍ଥ ଜମା କରିବାପରେ ବେଦାନ୍ତ ସପକ୍ଷରେ ଲେଟର ଅଫ୍ ଇନ୍ଟେଣ୍ଟ ପ୍ରଦାନ କରାଯାଇଛି ।
ଅନୁରୂପ ଭାବେ କୁଟ୍ରୁମାଳି ବକ୍ସାଇଟ୍ ଖଣି ମୁନ୍ଦ୍ରା ଆଲୁମିନିୟମ ଲିମିଟେଡ ହାତକୁ ଯାଇଛି । ଏହି କମ୍ପାନୀ ସର୍ବାଧିକ ୧୨୬.୭୬ ପ୍ରତିଶତ ଦର ପ୍ରସ୍ତାବ ଦେଇଥିଲା । ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ୭୦୧.୭୯୨ ହେକ୍ଟରରେ ବ୍ୟାପିଥିବା କୁଟ୍ରାମାଳି ବକ୍ସାଇଟ୍ ଖଣିରେ ୩୦୩.୪୯୬ ନିୟୁତ ଟନ୍ ବକ୍ସାଇଟ୍ ଗଚ୍ଛିତ ଅଛି । ମୁନ୍ଦ୍ରା ଆଲୁମିନିୟମ ଅର୍ଥ ଜମା କରିବାପରେ ରାଜ୍ୟ ସରକାର ତାହା ସପକ୍ଷରେ ଲେଟର ଅଫ୍ ଇନଟେଣ୍ଟ ଜାରି କରିଛନ୍ତି ।
ବଳଦା ବକ୍ସାଇଟ୍ ଖଣି ମଧ୍ୟ ସେହି ମୁନ୍ଦ୍ରା ଆଲୁମିନିୟମ ସପକ୍ଷରେ ଯାଇଛିା କମ୍ପାନୀ ପକ୍ଷରୁ ଏହି ଖଣି ପାଇଁ ସର୍ବାଧିକ ୭୨.୭୫ ପ୍ରତିଶତ ଦର ଦିଆଯାଇଥିଲା । ଏହି ବକ୍ସାଇଟ୍ ଖଣି କୋରାପୁଟ ଜିଳ୍ଲାରେ ୧୪୪.୯୪୫ ହେକ୍ଟରରେ ଥିବାବେଳେ ଏଥିରେ ୨୨.୨୮ ନିୟୁତ ଟନ୍ ବକ୍ସାଇଟ୍ ଗଚ୍ଛିତ ଅଛି । ପ୍ରଥମ ପର୍ଯ୍ୟାୟ ଅର୍ଥ ଦାଖଲ ପରେ ରାଜ୍ୟ ସରକାର ମୁନ୍ଦ୍ରା ସପକ୍ଷରେ ଲେଟର ଅଫ୍ ଇନ୍ଟେଣ୍ଟ ଜାରି କରିଛନ୍ତି । ମୁନ୍ଦ୍ରା ଆଲୁମିନିୟମ ହେଉଛି ଅଦାନୀ ଗୋଷ୍ଠିର ଅନ୍ୟତମ କମ୍ପାନୀ ଯିଏ କି ଓହିଶାରେ ୩ ନିୟୁତ ଟନ୍ରୁ ଆଲୁମିନିୟମ ରିଫାଇନାରୀ କାରଖାନା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି ।
ମାଲକାନଗିରି ଜିଲ୍ଲାରେ ଥିବା ଉସକାଲଭାଗୁ ଚୂନପକ୍ଷର ଖଣି ଅମ୍ବୁଜା ସିମେଣ୍ଟ ସପକ୍ଷରେ ଯାଇଛି । କମ୍ପାନୀ ସର୍ବାଧିକ ୫.୦୫ ଦର ପ୍ରସ୍ତାବ ଦେଇଥିଲା । ଏହିଖଣିଟି ୫୪୭ ହେକ୍ଟରରେ ଥିବାବେଳେ ଏଥିରେ ୧୪୧.୪୧ ନିୟୁତ ଟନ୍ ଚୂନପଥର ଗଚ୍ଛିତ ରହିଛି । ଅମ୍ବୁଜା ସିମେଣ୍ଟ ପ୍ରାରମ୍ଭିକ ଅର୍ଥ ଜମା କରିବାପରେ ରାଜ୍ୟ ସରକାର ତାହା ସପକ୍ଷରେ ଲେଟର ଅଫ୍ ଇନ୍ଟେଣ୍ଟ ଜାରି କରିଛନ୍ତିା
ତେବେ ଗରମୁରା ଚୂନପଥର ଖଣି ପାଇଁ କୌଣସି ଟେଣ୍ଡର ପଡିନାହିଁ । ନୂଆପଡା ଜିଲ୍ଲାରେ ୩୦.୨୫୬ ହେକ୍ଟର ଅଞ୍ଚଳରେ ଥିବା ଏହି ଖଣିରେ ୨.୯୮୦ ନିୟୁତ ଟନ୍ ଚୂନପଥର ଗଚ୍ଛିତ ରହିଛି । ଏହି ଖଣିର ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରିଦିଆଯାଇଛି । ଖଣି ଖାଦାନ ଭରା ରାଜ୍ୟ ଓଡିଶାରେ ବୃହତ ଖଣି ଭିତ୍ତିକ ଶିଳ୍ପରେ ନିବେଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ ନିଲାମ ପ୍ରକ୍ରିୟା ଜରିଆରେ ଖଣି ଯୋଗାଇବାକୁ ବ୍ୟବସ୍ଥା କରୁଛନ୍ତି । କଞ୍ଚାମାଲର ଅଭାବ ଦୂରଦେଲେ ସେମାନଙ୍କୁ ପୁଞ୍ଜିବିନଯୋଗ ପାଇଁ ଏହା ବିଶେଷ ସହାୟକ ହେବ । (ତଥ୍ୟ)