ଭୁବନେଶ୍ୱର : ଦେଶର ୪ଟି ରାଜ୍ୟରେ ବାର୍ଡ ଫ୍ଲୁ ଦେଖାଦେବା ପରେ ସତର୍କ ରହିବାକୁ କେନ୍ଦ୍ର ସରକାର ଓଡିଶାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ପଶୁ ସମ୍ପଦ ଏବଂ ଦୁଗ୍ଧ ବିଭାଗ ପକ୍ଷରୁ କୌଣସି ଠାରେ ପକ୍ଷୀ ମୃତ୍ୟୁ ଘଟଣା ଦେଖାଦେଲେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟକୁ ଅନୁରୋଧ କରାଯାଇଛି ।
ବିଗତ ବର୍ଷ ଗୁଡିକରେ ଶୀତଋତୁରେ ବାର୍ଡ ଫ୍ଲୁ ଦେଖା ଦେଉଥିବାରୁ ନିୟମିତ ଭାବେ କେନ୍ଦ୍ର ସରକାର ଓଡିଶା ସମେତ ଅନ୍ୟ ରାଜ୍ୟଗୁଡିକ ଲାଗି ମାର୍ଗଦର୍ଶିକା ଜାରି କରିଥାନ୍ତି । ଶୀତ ଦିନେ ବାର୍ଡ ଫ୍ଲୁ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଏଥିପାଇଁ ପ୍ରସ୍ତୁତ ହେବା ଏବଂ ଲୋକଙ୍କୁ ସଚେତନ କରାଯାଇଥାଏ । ଦେଶର ବିଭିନ୍ନ ସ୍ଥାନରୁ ସଂଗୃହୀତ ନମୂନାରୁ ୧୨ଟି ସ୍ଥାନରେ ବାର୍ଡ ଫ୍ଲୁ ନିଶ୍ଚିତ ହୋଇଛି । ସେଗୁଡିକ ହେଲା ରାଜସ୍ଥାନର ବାରନ, କୋଟା ଓ ଝଲୱାରରେ କାଉଙ୍କ ଠାରେ, ମଧ୍ୟପ୍ରଦେଶର ମଣ୍ଡସୌର, ଇନ୍ଦୋର ଓ ମାଲୱାରେ କାଉଙ୍କ ଠାରେ, ହିମାଚଳପ୍ରଦେଶର କଙ୍ଗରାରେ ବିଦେଶାଗତ ପକ୍ଷୀ ଏବଂ କେରଳରେ କୁକୁଡା ଏବଂ ବତକଙ୍କ ଠାରେ ଏହା ଚିହ୍ନଟ ହୋଇଛି ।
ଯଦିଓ କୁକୁଡା ଓ କୁକୁଡାଜାତ ସାମଗ୍ରୀରୁ ସିଧାସଳଖ ଏହି ଭୂତାଣୁ ମଣିଷ ଶରୀରକୁ ଯିବାର କୌଣସି ପ୍ରମାଣ ନାହିଁ ତଥାପି ସୁରକ୍ଷା ଦୃଷ୍ଟିରୁ ପରିଷ୍କାର ପରିଚ୍ଛନ୍ନତା ଏବଂ ସଫେଇ ଓ ବିଶୋଧନ ସହିତ ରୋଷେଇ ପାଇଁ ଥିବା ପ୍ରୋଟୋକଲକୁ ପାଳନ କରାଗଲେ ଏହି ଭୂତାଣୁକୁ ନିୟନ୍ତ୍ରଣ କରାଯାଇ ପାରିବ । ଭାରତରେ ସାଧାରଣତଃ ଶୀତଦିନେ ଅର୍ଥାତ୍ ସେପ୍ଟେମ୍ବର-ଅକ୍ଟୋବରରୁ ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ବିଦେଶରୁ ଆସୁଥିବା ପକ୍ଷୀଙ୍କ ଠାରୁ ବାର୍ଡ ଫ୍ଲୁ ବ୍ୟାପିଥାଏ । ତେବେ ମଣିଷଙ୍କ ଦ୍ୱାରା ଏହା ବ୍ୟାପିବାର କୌଣସି ପ୍ରମାଣ ନାହିଁ । ବାର୍ଡ ଫ୍ଲୁ ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ପଶୁ ସମ୍ପଦ ଓ ଦୁଗ୍ଧ ବିଭାଗ ପକ୍ଷରୁ ୨୦୦୫ରେ ଭୂତାଣୁ ନିୟନ୍ତ୍ରଣ ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା ଏବଂ ୨୦୦୬ ଓ ୨୦୧୨ରେ ଏଥିରେ କେତେକ ପରିବର୍ତ୍ତନ କରାଯାଇଥିଲା ।
ଭୂତାଣୁ ନିୟନ୍ତ୍ରଣ ପାଇଁ ଥିବା ନିୟମାବଳୀ ପାଳନ ଯୋଗୁଁ ୨୦୨୦ ରେ ଦେଖା ଦେଇଥିବା ବାର୍ଡ ଫ୍ଲୁ କୁ ରୋକାଯାଇ ପାରିଥିଲା ଏବଂ ସେପ୍ଟେମ୍ବର ୩୦ରେ ଦେଶକୁ ବାର୍ଡ ଫ୍ଲୁ ମୁକ୍ତ ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାର ମଧ୍ୟ ନୂଆଦିଲ୍ଲୀ ଠାରେ ସ୍ଥିତି ଉପରେ ନିୟମିତ ନଜର ରଖିବାପାଇଁ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛନ୍ତି । ପ୍ରତ୍ୟେକ ରାଜ୍ୟର ସୂଚନା ଏଠାରେ ସଂଗ୍ରହ ହୋଇଥାଏ ।
ତେବେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ଲାଗି କୁକୁଡା ଫାର୍ମ ଗୁଡିକର ପରିବେଶ ପରିଷ୍କାର ରଖିବା, ସଂକ୍ରମିତ ଅଞ୍ଚଳକୁ ବିଶୋଧନ କରିବା, ମୃତ୍ୟୁବରଣ କରୁଥିବା ପକ୍ଷୀ ଗୁଡିକୁ ଠିକଣା ଭାବେ ନଷ୍ଟ କରିବା, ସଠିକ ସମୟରେ ନମୂନା ସଂଗ୍ରହ ଓ ତାହାର ପରୀକ୍ଷା କରିବା ସହିତ ସଂକ୍ରମିତ କୁକୁଡାଙ୍କ ଠାରୁ ଏହା ଯେଭଳି ଅନ୍ୟ ପକ୍ଷୀ ଓ ମନୁଷ୍ୟଙ୍କୁ ସଂକ୍ରମଣ ନହେବ ତାହା ଉପରେ ନଜର ରଖିବାକୁ କୁହାଯାଇଛି । ସେହିଭଳି ଜଙ୍ଗଲ ବିଭାଗ ସହିତ ସମନ୍ୱୟ ରକ୍ଷାକରି ମୃତ ପକ୍ଷୀଙ୍କ ସଂକ୍ରାନ୍ତରେ ସୂଚନା ଦେବାକୁ ରାଜ୍ୟଗୁଡିକୁ କୁହାଯାଇଛି ।