ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ଲୋକଙ୍କୁ ସଚେତନ କରାଇବା ଲାଗି ୫ବର୍ଷରେ ସାଢେ ୬କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟରେ ଦୁର୍ଘଟଣାରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହେଉନାହିଁ । ଗତ ୫ବର୍ଷରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୨୫ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।
ଦୁର୍ଘଟଣା ହ୍ରାସ ପାଇଁ ଲୋକଙ୍କୁ ସଚେତନ ପାଇଁ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଚନ୍ତି । ଏଥିପାଇଁ ରାଜ୍ୟ ସଡକ ସୁରକ୍ଷା କାର୍ଯ୍ୟ ଯୋଜନା ବି ପ୍ରସ୍ତୁତ ହୋଇଛି । ସ୍ୱେଚ୍ଛାସେବୀଙ୍କ ସହାୟତାରେ ରାସ୍ତାଘାଟରେ ଲୋକଙ୍କୁ ପଥପ୍ରାନ୍ତ ନାଟକ ଠାରୁ ଆରମ୍ଭ କରି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଉଛି । ଏପରିକି ରାଜ୍ୟରେ ଆୟୋଜିତ ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତୀୟ କ୍ରୀଡା ସମୟରେ ବି ଷ୍ଟାଡିୟମରେ ଲୋକଙ୍କୁ ସଚେତନ ପାଇଁ ଚଳଚିତ୍ର ପ୍ରଦର୍ଶନ ହେଉଛି । ଏଥି ସହିତ ଦୁର୍ଘଟଣା ପରବର୍ତ୍ତୀ ସହାୟତା ପାଇଁ ରାସ୍ତାପାଶ୍ୱର୍ ବ୍ୟବସାୟୀମାନଙ୍କୁ ବି ତାଲିମ ଓ ସଚେତନତା ନାଁରେ ବ୍ୟାପକ ଅର୍ଥ ବ୍ୟୟ ହେଉଛି । ରକ୍ଷକ ଯୋଜନା କାର୍ଯ୍ୟକାରୀ ସହିତ ଏଥିରେ ବି ୧୧ହଜାରରୁ ଅଧିକ ଲୋକଙ୍କୁ ତାଲିମ ଦିଆଯାଇ ସାରିଲାଣି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୨୫,୯୩୪ ଜଣ ମୃତ୍ୟୁବରଣ କରିଥିବାବେଳେ ୫୧,୮୭୩ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଆଜୀବନ ଅର୍କମଣ୍ୟ ହୋଇ ଯାଉଛନ୍ତି ।
ସେହିଭଳି ଗତ ତିନିବର୍ଷ ଅର୍ଥାତ୍ ୨୦୧୯ ରୁ ୨୦୨୧ ମଧ୍ୟରେ କେବଳ ବିଭିନ୍ନ ରାଜପଥରେ ସଡକ ଦୁର୍ଘଟଣାରେ ୯୪୯୫ ଜଣ ମୃତ୍ୟୁବରଣ କରିଛନ୍ତି । ରାଜପଥରେ ଦୁର୍ଘଟଣାର ପ୍ରମୁଖ କାରଣ ଭାରିଯାନ ହୋଇଥିବାବେଳେ ଅଣତାଲିମପ୍ରାପ୍ତ ଗାଡିଚାଳକଙ୍କ ଏହାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ବର୍ତ୍ତମାନ ଭାରିଯାନ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଚାରିଚକିଆ ଯାନ ଚଳାଉଥିବା ଅଧିକାଂଶ ଚାଳକ ଠିକଣା ତାଲିମ ନେଇନାହାନ୍ତି । ବିଶେଷକରି ହଠାତ୍ ଦୁର୍ଘଟଣା ସ୍ଥିତିକୁ କିଭଳି ଟାଳି ଦିଆଯାଇ ପାରିବ ସେ ସଂକ୍ରାନ୍ତରେ ତାଙ୍କର ଅଭିଜ୍ଞତା ନାହିଁ । ଯେଉଁଥିପ।।ଇଁ ସାମାନ୍ୟ ଘଟଣାରେ ସେମାନେ ଭାରିଯାନକୁ ସହଜରେ ନିୟନ୍ତ୍ରଣ କରିପାରୁ ନାହାନ୍ତି ।
ତେବେ ରାଜ୍ୟରେ ଗାଡିଚାଳକଙ୍କ ତାଲିମପାଇଁ ୪ଟି ସ୍ଥାନରେ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେନ୍ଦୁଝର ଓ ବ୍ରହ୍ମପୁର ଠାରେ ଥିବା ତାଲିମକେନ୍ଦ୍ର ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଯଦି ରାଜ୍ୟର ସମସ୍ତ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ତେବେ ପ୍ରତିମାସରେ ଅତି କମ୍ରେ ହଜାରେ ଡ୍ରାଇଭର ତାଲିମ ପାଇ ବାହାରିବେ । ଏହା ରାଜ୍ୟରେ ଦୁର୍ଘଟଣାକୁ ରୋକିବା ସହିତ ଧନଜୀବନ ହାନିକୁ ହ୍ରାସ କରିବ ବୋଲି ପରିବହନ ବିଶେଷଜ୍ଞମାନେ ମତଦେବା ସହିତ ରାଜ୍ୟ ସରକାର ଓ ପରିବହନ ବିଭାଗ ଏ ଦିଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଛନ୍ତି । (ତଥ୍ୟ)