Home Culture ଅଧାବାଟରେ ଅଟକିଲେ କାଳିଆ ଠାକୁର

ଅଧାବାଟରେ ଅଟକିଲେ କାଳିଆ ଠାକୁର

ଭୁବନେଶ୍ୱର : ପୁରୀ ଠାରେ ଅନୁଷ୍ଠିତ ଘୋଷ ଯାତ୍ରାରେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରି ନାହିଁ । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚାମନ୍ଦିର ଆଗରେ ପହଞ୍ଚି ଥିବାବେଳେ ଭଉଣୀ ସୁଭଦ୍ରା ଓ ଭାଇ ଜଗନ୍ନାଥ ଅଧା ବାଟରେ ଅଟକି ରହିଛନ୍ତି ।

ଆଜି ପ୍ରବଳ ଗରମ ଗୁଳୁଗୁଳି ମଧ୍ୟର ଅପରାହ୍ନ ୩ଟା ରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରବଳ ଜନସମାଗମ ମଧ୍ୟରେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିବାବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ବଡଶଙ୍ଖ ଠାରେ ଓ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଠାରେ ଅଟକିଛି ।

ଆସନ୍ତା କାଲି ସକାଳେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ନଅଟାରୁ ପୁଣିଥରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ପରେ ଗୁରୁବାର ଦିନ ପହଣ୍ଡିରେ ମାଉସୀମା ମନ୍ଦିରକୁ ତିନି ଦିଅଁ ପ୍ରବେଶ କରିବେ ।

ତେବେ ଆଜି ପୂର୍ବାହ୍ନରେ ସମସ୍ତ ନୀତିକାନ୍ତି ଠିକଣା ସମୟରେ ସରିଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥ ଉପରେ ଛେରା ପହଁରା କରିବାପରେ ଚାରମାଳ ଫିଟିଥିଲା ଓ ପରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ତେବେ କୌଣସି କାରଣରୁ ବାଟରେ ବିଳମ୍ବ ହୋଇଥିଲା । ତେବେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗଁ ପ୍ରଶାସନ ଅତ୍ୟନ୍ତ ସର୍ତକତାର ସହ ପଦକ୍ଷେପ ଗ୍ରହଣ କରି ଭକ୍ତଙ୍କ ଉପରେ ନିୟମିତ ଭାବେ ପାଣି ସିଞ୍ଚନ କରୁଥିବା ଦେଖିବାକୁ ମିଳିଥିଲା । ଏଥି ସହିତ ଅଚେତ ହୋଇପଡୁଥିବା ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ସହିତ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଆଜି ଏହି ଘୋଷଯାତ୍ରାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।