Home Election ସକାଳ ୮ରୁ ଭୋଟ ଗଣତି

ସକାଳ ୮ରୁ ଭୋଟ ଗଣତି

ଭୁବନେଶ୍ୱର : ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଝାରସୁଗୁଡ଼ା ବଢ଼େଇମୁୁଣ୍ଡାସ୍ଥିତ ଇଂଜିନିୟରିଂ ସ୍କୁଲ ପରିସରରେ ମତଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ନିୟମାନୁସାରେ ଠିକ୍‌ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଗଣତି ଆରମ୍ଭ ହେବ । ସମସ୍ତ ପୋଷ୍ଟାଲ ବାଲାଟ୍‌ ପେପର ସକାଳ ୮ ଘଟିକା ସୁଦ୍ଧା ଗ୍ରହଣ କରାଯାଇଥିବା ପୋଷ୍ଟାଲ ବାଲାଟ ପେପରଗୁଡ଼ିକୁ ଗଣନା କରାଯିବ ଓ ୩୦ ମିନିଟ ପରେ ଇଭିଏମ୍‌ ଭୋଟଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଏତଦ୍‌ବ୍ୟତୀତ ୫ ଗୋଟି ବୁଥର ଭିଭିପ୍ୟାଟ୍‌ ସ୍ଲିପ୍‌ଗୁଡ଼ିକୁ ଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଭୋଟଗଣତି କାର୍ଯ୍ୟ ନିମନ୍ତେ ୨୦ ଜଣ ମାଇକ୍ରୋ ଅବଜରଭର, ୨୦ ଜଣ କାଉଣ୍ଟିଙ୍ଗ୍‌ ସୁପରଭାଇଜର, ୨୦ ଜଣ କାଉଣ୍ଟିଙ୍ଗ୍‌ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି । ଏହା ଛଡ଼ା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟଗଣତି କାର୍ଯ୍ୟ ନିରୀକ୍ଷଣ କରିବା ପାଇଁ ୬୩ ଜଣ କାଉଣ୍ଟିଙ୍ଗ ଏଜେଣ୍ଟ ଆବେଦନ କରିଛନ୍ତି । ଭୋଟଗଣନା କାର୍ଯ୍ୟକୁ ଜନସାଧାରଣ https//results.ecoigov.in ରେ ଦେଖିପାରିବେ ।

ଭୋଟଗଣନା କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ତି୍ରସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟଗଣନା କେନ୍ଦ୍ରଠାରେ ମିଡ଼ିଆ ସେଣ୍ଟର ଖୋଲାଯାଇଛି ଏବଂ ଗଣନା କେନ୍ଦ୍ର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହାୟତାରେ ୨-୩ ଜଣ ଲେଖାଏଁ ପ୍ରବେଶ କରି ଖବର ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ।