ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଓଡ଼ିଶା ରାଜ୍ୟ ଅଭିଲେଖାଗାର ଓ ପୁରୀର ରଘୁନନ୍ଦନ ପାଠାଗାରର ବିରଳ ଦସ୍ତାବିଜକୁ ଅତ୍ୟାଧୁନିକ ପ୍ରଣାଳୀରେ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏ ପ୍ରସଙ୍ଗରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ବଙ୍ଗଳା ଓଡ଼ିଶା ଓ ବିହାର ଓଡ଼ିଶା ସମୟଠାରୁ ସ୍ୱାଧୀନତା ସଂଗ୍ରାମ ଓ ତତ୍ପରବର୍ତ୍ତୀ ସମୟର ବହୁ ବିରଳ ନଥିପତ୍ର ରହିଛି । ଏହି ଐତିହାସିକ ଦସ୍ତାବିଜ୍ ସେ ସମୟର ରାଜନୈତିକ, ପ୍ରଶାସନିକ, ଆର୍ଥିକ ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟ ଚିତ୍ର ପ୍ରଦାନ କରେ । କେବଳ ଗବେଷକ ନୁହଁନ୍ତି ବର୍ତ୍ତମାନ ଓ ଭବିଷ୍ୟତ ପିଢିର ପ୍ରଶାସକମାନଙ୍କ ପାଇଁ ଏହି ଦସ୍ତାବିଜ୍ଗୁଡିକରେ ଥିବା ବିରଳ ତଥ୍ୟ ମାର୍ଗଦର୍ଶିକା ଭଳି କାମ କରିପାରିବ ।
ଇତିମଧ୍ୟରେ ଏହି ଦସ୍ତାବିଜ୍ ସବୁର ସଂରକ୍ଷଣ ପାଇଁ ପ୍ରତିଷ୍ଠିତ ଓ ଅଭିଜ୍ଞ ସଂସ୍ଥାମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯେଉଁ ସଂସ୍ଥାଙ୍କୁ ସଂରକ୍ଷଣ ଦାୟିତ୍ୱ ଦିଆଯିବ ସେମାନେ ସେଥିପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବେ । ରାଜ୍ୟ ଅଭିଲେଖାଗାର ଓ ପୁରୀର ରଘୁନନ୍ଦନ ପାଠାଗାରରେ ଥିବା ପୁରୁଣା ନଥିପତ୍ର ଓ ପୁସ୍ତକ ଗୁଡିକ କିଭଳି ଦୀର୍ଘସ୍ଥାୟୀ ହୋଇ ରହିପାରିବ ସେ ଦିଗରେ ସେମାନେ ବିଜ୍ଞାନ ସମ୍ମତ ଭାବେ ଆନ୍ତର୍ଜାତିକ ମାନର ସଂରକ୍ଷଣ କାର୍ଯ୍ୟ କରିବେ । ଏହାଛଡ଼ା ଏଠାରେ କ’ଣ ସବୁ ବିରଳ ସାମଗ୍ରୀ ରହିଛି ତାହାର ମଧ୍ୟ ଡିଜିଟାଇଜେସନ କରାଯିବ ଫଳରେ ଆଗ୍ରହୀ ବ୍ୟକ୍ତିବିଶେଷ ଓ ଗବେଷକମାନେ ଏ ସମ୍ପର୍କରେ ଇଣ୍ଟରନେଟ୍ ମାଧ୍ୟମରେ ତଥ୍ୟ ପାଇପାରିବେ । ପୁରୁଣା ସାମଗ୍ରୀ ଗୁଡିକର ଡିଜିଟାଇଜେସନ କାମ ଶେଷହେଲେ ତାହା ତଥ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିପାରିବ ।
ଏହାଛଡ଼ା ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟରେ ଇତିମଧ୍ୟରେ ଆଉ କେତେଗୁଡ଼ିଏ ନୂଆ ଗ୍ୟାଲେରି ପ୍ରସ୍ତୁତ ହେଉଛି । ଏଥିମଧ୍ୟରେ ଓଡ଼ିଶାରେ ଗାନ୍ଧୀଜୀ ଏବଂ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ନାମରେ ଦୁଇଟି ଗ୍ୟାଲେରି ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ରାଜ୍ୟ ସଂଗ୍ରହାଳୟର ଆଉ କେତେକ ଗ୍ୟାଲେରି ମଧ୍ୟ ଉନ୍ମୋଚିତ ହେବାକୁ ଯାଉଛି ।
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଇତିମଧ୍ୟରେ କେତେକ ଜର୍ଣ୍ଣାଲ୍ ଓ ପୁସ୍ତକ ପ୍ରକାଶ ପାଇଛି । ଖୁବ୍ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଉପରେ ଓଡିଆ ଓ ଇଂରାଜୀ ଦୁଇଟି ଚିତ୍ର ସମ୍ବଳିତ ପୁସ୍ତକ ମଧ୍ୟ ରାଜ୍ୟ ସଂଗ୍ରହାଳୟ ପ୍ରକାଶ କରିବ । ରାଜ୍ୟ ଅଭିଲେଖାଗାର, ସଂଗ୍ରହାଳୟ, ଓଡ଼ିଶା ସାହିତ୍ୟ ଏକାଡେମୀ, ଊର୍ଦ୍ଦୁ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶୀ ଗବେଷଣା କେନ୍ଦ୍ର ଆଦି ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଅନେକ ପୁସ୍ତକ ପାଠକୀୟ ଆଦୃତି ହାସଲ କରିଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହି ଧାରା ଅବ୍ୟାହତ ରଖିଛନ୍ତି ।
ଏହାଛଡ଼ା ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଜାତିସ୍ମରମାନଙ୍କ ସ୍ମରଣୀୟ ପୀଠ ଗୁଡ଼ିକର ବିକାଶ କରିବା ଦିଗରେ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଦେଶ ଓ ରାଜ୍ୟ ପ୍ରତି ଯେଉଁ ମନିଷିମାନଙ୍କର ଅବଦାନ ରହିଛି ସେମାନଙ୍କର ପ୍ରତିମୂର୍ତ୍ତି ମଧ୍ୟ ସଂସ୍କୃତି ବିଭାଗ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରି ପୂଜ୍ୟପୂଜା ସଂସ୍କୃତିକୁ ଆଗେଇ ନେଉଥିବା ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)