ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଥିଲେ ସେଥିରୁ ପୁଣି ପଛକୁ ହଟିବାକୁ ବାଧ୍ୟ ହେଉଛନ୍ତି । ଏ ପ୍ରସଙ୍ଗରେ ୨୭ ପ୍ରତିଶତ ସଂରକ୍ଷଣ ଆଇନ୍ରେ ସଂଶୋଧନ ଆଣି ଏହାକୁ ପୁଣି ପୂର୍ବବତ୍ ୧୧.୨୫ ପ୍ରତିଶତରେ ସୀମିତ ରଖାଯାଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୨ବର୍ଷ ହେବ ରାଜ୍ୟରେ ନିର୍ବାଚିତ ପୌରସଂସ୍ଥା ଆଉ ନାହିଁ । ଅବଧି ପୂରିବାପରେ ୨ବର୍ଷ ତଳୁ ଭୁବନେଶ୍ୱର ମହାନଗର ନିଗମ ସମେତ ଯେତେସବୁ ପୌରସଂସ୍ଥାର ନିର୍ବାଚନ ହୋଇଥାନ୍ତା ସେଗୁଡିକ ଆସନ ସଂରକ୍ଷଣ କେଁ ଯୋଗୁଁ ଅଟକି ରହିଛି । ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ଲାଗି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ରାଜ୍ୟରେ ୩୮.୭୫ପ୍ରତିଶତ ଆସନ ସରକାରୀ ଚାକିରି ଓ ନିର୍ବାଚନ ପାଇଁ ସଂରକ୍ଷିତ ରହିଛି । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପଛୁଆବର୍ଗ ବା ଏସ୍ଇବିସିଙ୍କ ଲାଗି ପ୍ରଥମେ ୧୨ ପ୍ରତିଶତ ଓ ପରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।
ଆଇନ୍ ଅଦାଲତରେ ଏହା କାଟ୍ ଖାଇଯିବା ପରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଆଇନ୍ ପ୍ରଣୟନ କରି ପୁଣି ଏସ୍ଇବିସିଙ୍କ ପାଇଁ ଚାକିରି କ୍ଷେତ୍ରରେ ୨୭ପ୍ରତିଶତ ଆସନ ସଂରକ୍ଷଣ ରହିଥିଲା । ତେବେ ଅମର ଛାଟୋଇ ମାମଲାରେ ସ୍ୟାଟ୍ ଓ ହାଇକୋର୍ଟ ଏହି ସଂରକ୍ଷଣକୁ ଅବୈଧ ଘୋଷଣା କରିବା ସହ ସଂରକ୍ଷଣସୀମା ମୋଟାମୋଟି ଭାବେ ୫୦ପ୍ରତିଶତରେ ସୀମିତ ରଖିବାକୁ କହିବାରୁ ରାଜ୍ୟ ସରକାର ଚାକିରି କ୍ଷେତ୍ରରେ ୨୭ପ୍ରତିଶତ ବଦଳରେ ଏସ୍ଇବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।
ଏଭଳି ସ୍ଥିତିରେ ପୌର ନିର୍ବାଚନ ଲାଗି ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ପୁଣି ୨୭ପ୍ରତିଶତ ଆସନ ସଂରକ୍ଷିତ ରଖିବା ସହ ପୌରସଂସ୍ଥା ଗୁଡିକର କେଉଁଠି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କାଉନସିଲର/କର୍ପୋରେଟର ପଦବୀଗୁଡିକ କେଉଁ ବର୍ଗ ପାଇଁ ରହିବ ତାହା ଘୋଷଣା କରିଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଓ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୋଟ୍ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବନାହିଁ ବୋଲି ଦର୍ଶାଇ ହାଇକୋର୍ଟରେ ପୁଣି ମାମଲା ରୁଜୁ ହୋଇଥିଲା ଏବଂ ଏହାର ବିଚାର କରି ହାଇକୋର୍ଟ ସଂରକ୍ଷଣ ସୀମା ୫୦ପ୍ରତିଶତରେ ସୀମିତ ରଖିବାକୁ କହିବାପରେ ଏ ପ୍ରସଙ୍ଗ ସୁପ୍ରିମ୍କୋର୍ଟକୁ ଯାଇଛି ।
ଏହି ଆଇନ୍ଗତ ବିବାଦ ଯୋଗୁଁ ୨ବର୍ଷ ହେବ ପୌର ନିର୍ବାଚନ ହୋଇପାରୁନାହିଁ । ନିର୍ବାଚିତ ପ୍ରତିନିଧି ନଥିବାରୁ ଏବେ ପୌରସଂସ୍ଥା ସବୁ ଅଫିସରମାନଙ୍କ ନିୟନ୍ତ୍ରଣରେ । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ କରିଥିବା ୨୭ପ୍ରତିଶତ ସଂରକ୍ଷଣ ଆଇନ୍ରେ ସଂଶୋଧନ ଆଣି ମୋଟ୍ ସଂରକ୍ଷଣକୁ ୫୦ପ୍ରତିଶତରେ ରଖିବାଲାଗି ଚର୍ଚ୍ଚା ଚାଲିଛି । ଆଇନ୍ ସଂଶୋଧିତ ହେବାପରେ ପୁର୍ନବାର ସଂରକ୍ଷଣ ଦୃଷ୍ଟିରୁ ୱାର୍ଡ ପୁର୍ନଗଠନ ହେବ । ଏହାପରେ ଯାଇ ପୌର ନିର୍ବାଚନ ପାଇଁ ବାଟ ଖୋଲିବ ବୋଲି କୁହାଯାଉଛି ।