Home Mining ଖଣି ନିଗମ କର୍ମଚାରୀଙ୍କ ପେନସନ ଦାବି

ଖଣି ନିଗମ କର୍ମଚାରୀଙ୍କ ପେନସନ ଦାବି

ରାଜ୍ୟର ଅନ୍ୟାନ୍ୟ ସରକାରୀ ସଂସ୍ଥା ଭଳି ଖଣି ନିଗମରୁ ଅବସର ନେଇଥିବା କର୍ମଚାରୀମାନେ ପେନ୍‍ସନ ପାଇବାପାଇଁ ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରସ୍ଥ ହୋଇଛନ୍ତି । ରାଜ୍ୟ ବିଦ୍ୟୁତ୍‍ ବୋର୍ଡ କର୍ମଚାରୀଙ୍କ ଭଳି ସେମାନଙ୍କୁ ପେନ୍‍ସନ ପ୍ରଦାନ ଲାଗି ଜିଲ୍ଲାପାଳଙ୍କ ମାଧ୍ୟମରେ ଖଣି ନିଗମର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଖଣି ନିଗମରୁ ଅବସର ଗ୍ରହଣ କରିଥିବା ପ୍ରାୟ ୪ହଜାର କର୍ମଚାରୀଙ୍କ ସଂଘ ପକ୍ଷରୁ ଦିଆଯାଇଥିବା ଅନୁରୋଧପତ୍ରରେ ଦର୍ଶାଯାଇଛି ଯେ ନବେ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଖଣି ନିଗମ ସହ ରାଜ୍ୟ ବିଦ୍ୟୁତ୍‍ ବୋର୍ଡ କର୍ମଚାରୀମାନଙ୍କ ପାଇଁ କ୍ୟାବିନେଟ୍‍ ଅନୁମୋଦନ କରାଇ ସରକାରୀ କର୍ମଚାରୀଙ୍କ ଭଳି ପେନ୍‍ସନ ବ୍ୟବସ୍ଥା କରିଥିଲେ । ସେତେବେଳେ ବିଦ୍ୟୁତ୍‍ ବୋର୍ଡ ଆର୍ôଥକ ନିଅଣ୍ଟ ଅବସ୍ଥାରେ ଚାଲୁଥିଲେ ମଧ୍ୟ ତାହାର କର୍ମଚାରୀଙ୍କ ପାଇଁ ତକ୍ରାଳ ଏହା ଲାଗୁ ହୋଇଥିଲା । ତେବେ କୌଣସି କାରଣରୁ ଖଣି ନିଗମରେ ପେନ୍‍ସନ ଲାଗୁ ହୋଇପାରି ନଥିଲା ।

ଏହାକୁ ନେଇ କର୍ମଚାରୀମାନେ ଦୀର୍ଘ ୨୮ବର୍ଷ ହେଲା ଆଇନ୍‍ ଅଦାଲତରେ ମାମଲା ଲଢୁଛନ୍ତି । ବ୍ୟକ୍ତିଗତ ଓ ଦଳଗତ ଭାବେ କର୍ମଚାରୀମାନେ ମାମଲା ଲଢି ଲଢି ସର୍ବସ୍ୱାନ୍ତ ହେଲେଣି । ତେବେ ଅଦାଲତଙ୍କ ରାୟଙ୍କୁ ଆଧାର କରି ୧୯୯୧ ମସିହାରେ ଓପିଜିସି ଓ ଓଏଚ୍‍ପିସି କର୍ମଚାରୀମାନେ ଯେଭଳି ପେନ୍‍ସନ ପାଉଛନ୍ତି ସେହି ହାରରେ ଖଣି ନିଗମ କର୍ମଚାରୀଙ୍କୁ ପେନ୍‍ସନ ଦେବାପାଇଁ କୁହାଯାଇଥିଲା ।

ଅଦାଲତଙ୍କ ରାୟ ପରେ କର୍ମଚାରୀଙ୍କ ମଧ୍ୟରେ ପେନ୍‍ସନ ପାଇବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ସରକାର କିନ୍ତୁ ଏହା ବିରୁଦ୍ଧରେ ଅଦାଲତରେ ପୁନଃ ଆବେଦନ କଲେ । ଏହି ମାମଲାଟି ଏବେ ବିଚାରାଧିନ ଥିବାବେଳେ ପେନ୍‍ସନ ପାଇଁ ଅପେକ୍ଷା କରି ଅନେକ କର୍ମଚାରୀଙ୍କର ସ୍ୱର୍ଗବାସ ହୋଇଗଲାଣି । ଅଦାଲତ ଧାଁ ଦଉଡ ଭିତରେ ସର୍ବସ୍ୱାନ୍ତ ହୋଇଥିବା ଅନେକ କର୍ମଚାରୀ ଅତ୍ୟନ୍ତ ଦୁଃଖ କଷ୍ଟରେ ଚଳୁଛନ୍ତି ।

ଅନ୍ୟ ପକ୍ଷରେ ନିଗମର ୪୨୯ତମ ବୈଠକରେ କର୍ମଚାରୀଙ୍କ ପାଇଁ ଅବସରକାଳୀନ ଯୋଜନା ପ୍ରଚଳନ ପାଇଁ ନିଷ୍ପତ୍ତି ହେବା ସହି ତାହାକୁ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲେ । ନିଗମର ଏଭଳି ନିଷ୍ପତ୍ତିକୁ କର୍ମଚାରୀମାନେ ସ୍ୱାଗତ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କିନ୍ତୁ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି । ତେଣୁ କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଗମର ଏଭଳି ନିଷ୍ପତ୍ତି ଉପରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାରି ହଜାର କର୍ମଚାରୀ ନିବେଦନ କରିଛନ୍ତି । ରାଜ୍ୟ ସରକାରଙ୍କୁ ସର୍ବଦା ଲାଭ ଦେଇ ଆସୁଥିବା ଏହି ସଂସ୍ଥାର କର୍ମଚାରୀମାନେ ଅବସର ପରେ ଯେଭଳି ଭଲରେ ଜୀବନ ଜୀଇଁ ପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ପରିଣତ ବୟସରେ ପହଞ୍ଚିଥିବା କର୍ମଚାରୀମାନେ ଅନୁରୋଧ କରିଛନ୍ତି ।