ଭୁବନେଶ୍ୱର : ଭାରତୀୟ ରେଳପଥ ଟ୍ରାଫିକ୍ ସେବାର ୧୯୮୫ ବ୍ୟାଚ୍ର ବରିଷ୍ଠ ଅଧିକାରୀ ସଂଜୟ କୁମାର ମହାନ୍ତି ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ଼ର ନୂଆ ମେମ୍ବର (ଅପରେସନ୍ ଓ ବିଜନେସ୍ ଡେଭେଲପ୍ମେଣ୍ଟ) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ଶ୍ରୀ ମହାନ୍ତି କୋଲକାତା ସ୍ଥିତ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ଶ୍ରୀ ମହାନ୍ତି ନୂଆଦିଲୀ ସ୍ଥିତ ରେଲୱେ ବୋର୍ଡ଼ରେ ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଟ୍ରାଫିକ୍ ପରିବହନ), ପୂର୍ବ ତଟ ରେଳପଥରେ ବରିଷ୍ଠ ଉପମହାପ୍ରବନ୍ଧକ ଓ ମୁଖ୍ୟ ସତର୍କତା ଅଧିକାରୀ, ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ଏବଂ ମୁଖ୍ୟ ପଣ୍ୟ ପରିବହନ ପ୍ରବନ୍ଧକ, ଭୁବନେଶ୍ୱର ଆଇ.ଆର୍.ସି.ଟି.ସି.ର ଆଞ୍ଚଳିକ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧାରୋଡ଼୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଇତ୍ୟାଦି ଭାରତୀୟ ରେଳପଥର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରିଛନ୍ତି । ତାଙ୍କ ସମୟରେ ପଣ୍ୟ ପରିବହନ କ୍ଷେତ୍ରରେ ଖୋର୍ଦ୍ଧାରୋଡ଼୍ ରେଳ ମଣ୍ଡଳ ଭାରତୀୟ ରେଳପଥରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ଥିଲା ଶ୍ରୀ ମହାନ୍ତିଙ୍କର ସବୁଠୁଁ ବଡ଼ ସଫଳତା ।
ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକସରେ ଡିଗ୍ରୀ ହାସଲ କରି ଭାରତୀୟ ରେଳବାଇରେ ଯୋଗଦାନ କରି ମୁମ୍ବାଇ, ନାଗପୁର, ଝାନସି ଏବଂ କୋଙ୍କୋଣ ରେଳବାଇର ବହୁ ଉଚ୍ଚ ପଦପଦବୀରେ କାର୍ଯ୍ୟ କରିଛନ୍ତି । ସେ ପ୍ରଶାସନରେ ଅଭିନବୀକରଣ ଏବଂ ପ୍ରଣାଳୀ ଗଠନ କରିବାରେ ଦକ୍ଷତା ଅର୍ଜନ କରିଛନ୍ତି । ସେ ବାଲେଶ୍ୱରର ସୁପରିଚିତ ଆଡଭୋକେଟ୍ କୃଷ୍ଣ ପ୍ରସାଦ ମହାନ୍ତିଙ୍କର କନିଷ୍ଠ ସନ୍ତାନ ।