Home News in Odia ଷ୍ଟ୍ରିଟ ଲାଇଟ୍‍ ମରାମତି ପାଇଁ ବିଏମ୍‍ସି ବଦନାମ

ଷ୍ଟ୍ରିଟ ଲାଇଟ୍‍ ମରାମତି ପାଇଁ ବିଏମ୍‍ସି ବଦନାମ

ଭୁବନେଶ୍ୱର : ରାଜଧାନୀରେ ଷ୍ଟ୍ରିଟ୍‍ ଲାଇଟ୍‍ ରକ୍ଷଣା ବେକ୍ଷଣକୁ ନେଇ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନାଚାର । ଏହି କାମପାଇଁ ଠିକା ନେଇଥିବା ସଂସ୍ଥା ବିଏମ୍‍ସିକୁ ଖାତିର କରୁନାହାନ୍ତି କିମ୍ବା ବିଏମ୍‍ସି ଯନ୍ତ୍ରୀଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଯେଉଁସବୁ ଅଞ୍ଚଳରୁ ଷ୍ଟ୍ରିଟଲାଇଟ୍‍ ମରାମତି ନେଇ ଲୋକେ ଅଭିଯୋଗ କରୁଛନ୍ତି ସେଠାରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ କେବଳ ସମୟ ଗଡାଇ ଚାଲିଛନ୍ତି ।

ଏଭଳି ଏକ ଆସିଛି ନୀଳାଦ୍ରୀବିହାର ଅଞ୍ଚଳରୁ । ଏଠାରେ ଥିବା ବୁଦ୍ଧପାର୍କ ନିକଟରେ ଷ୍ଟ୍ରିଟ ଲାଇଟ୍‍ ଅଚଳ ହେବାପରେ ସ୍ଥାନୀୟ ଜଣେ ବରିଷ୍ଠ ନାଗରିକ ଏହାର ମରାମତି ପାଇଁ ସ୍ମାର୍ଟସିଟିର ଶୁଳ୍କମୁକ୍ତ ଟେଲିଫୋନ୍‍ ଅଭିଯୋଗ କରିଥିଲେ । ଅଭିଯୋଗ ଗ୍ରହଣ ସହିତ ତାଙ୍କୁ ଏ ସଂକ୍ରାନ୍ତୀୟ ଗୋଟିଏ ନମ୍ବର ମିଳିଥିଲା । ବରିଷ୍ଠ ନାଗରିକ ଜଣଙ୍କ ଭାବିଥିଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ସ୍ମାର୍ଟବେଗରେ ଷ୍ଟ୍ରିଟଲାଇଟ୍‍ର ମରାମତି କରିଦେବେ ।

ହେଲେ ସେଭଳି କିଛି ହେଲାନାହିଁ । ବିଳମ୍ବ ସଂକ୍ରାନ୍ତରେ ବରିଷ୍ଠ ନାଗରିକ ଜଣଙ୍କ ଜାଣିବାରୁ ଚାହିଁବାରୁ ତାଙ୍କୁ ବିଭିନ୍ନ ବାହାନା ଦେଖାଗଲା । ଆଠ ଦଶ ଦିନ ଅପେକ୍ଷା ପରେ ଏ ସଂକ୍ରାନ୍ତରେ ବିଏମସିର ଯନ୍ତ୍ରୀଙ୍କ କାନରେ କଥାଟି ପକାଇଲେ । ଯନ୍ତ୍ରୀ ବି ତୁରନ୍ତ ମରାମତି ଦାୟିତ୍ୱରେ ଥିବା ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଲେ । ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବା ସହିତ ଅଭିଯୋଗକାରୀଙ୍କ ସହିତ ଆଲୋଚନା କଲେ । ହେଲେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ।

ଅଭିଯୋଗ କରିବାର ୧୫ ଦିନପରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ସେହି ଅଭିଯୋଗର ନବୀକରଣ କରି ନୂଆ ନମ୍ବର ଓ ନୂଆ ତାରିଖ ଦେଇଛନ୍ତି । ଫଳରେ ଅଭିଯୋଗଟି ଆଉ ପୁରୁଣା ବୋଲି କେହି କହିପାରିବେନି । ଏହା ଦେଖି ଏବେ ଅଭିଯୋଗକାରୀ ଅବାକ ହୋଇଛନ୍ତି । ସାମାନ୍ୟ ଷ୍ଟ୍ରିଟ୍‍ ଲାଇଟ୍‍ଟିଏ ମରାମତି କରିବାକୁ ଯଦି ଏତେ ବିଳମ୍ବ ହେଉଛି ତେବେ ଅନ୍ୟାନ୍ୟ ଅଭିଯୋଗର ସମାଧାନ କିଭଳି ହେଉଥିବ ତାହାକୁ ନେଇ ଚିନ୍ତାବ୍ୟକ୍ତ କରାଗଲାଣି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଷ୍ଟ୍ରିଟ୍‍ ଲାଇଟ୍‍ ମରାତି କରିବାକୁ ବିଏମ୍‍ସି କେତେକ ସଂସ୍ଥାଙ୍କୁ ନିଯୁକ୍ତ କରିଛି । ସେମାନେ ଏଥିପାଇଁ ମୋଟା ଅଙ୍କର ଟଙ୍କା ନେଉଛନ୍ତି । ସ୍ମାର୍ଟସିଟିର ଦେୟମୁକ୍ତ ନମ୍ବର କିମ୍ବା ବିଏମସିର ନିକଟରେ ଅଭିଯୋଗ ହେଲେ ସେହି ଅଭିଯୋଗଟି ଛାଏଁ ଛାଏଁ ଠିକାସଂସ୍ଥା ନିକଟରେ ପହଞ୍ଚିବ ଏବଂ ଧାର୍ଯ୍ୟସମୟ ଭିତରେ ଅଭିଯୋଗଟି ସମାଧାନ ହେବାକଥା । ହେଲେ ଠିକାସଂସ୍ଥାଗୁଡିକର ମନମାନି ଯୋଗୁଁ ତାହା ହୋଇପାରୁ ନାହିଁ । ଫଳରେ ବିଏମସି ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ବଦନାମ ହେଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜଧାନୀରେ ଲୋଙ୍କୁ ସ୍ମାର୍ଟସେବା ପ୍ରଦାନ ସଂକ୍ରାନ୍ତରେ ବିଏମସି ଠାରୁ ଆରମ୍ଭ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଉଛି । ସୋସିଆଲ ମିଡଆରେ ରଙ୍ଗୀନ ଫଟୋ ସହିତ ପ୍ରଶଂସାଗାନ ହେଉଛି । ଏ ବାବଦରେ ବି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ କ୍ଷେତ୍ର ସ୍ତରରେ କିନ୍ତୁ କାର୍ଯ୍ୟ କିଭଳି ଚାଲୁଛି ନୀଳାଦ୍ରୀ ବିହାରର ଷ୍ଟ୍ରିଟ ଲାଇଟ୍‍ ମରାମତି ଅଭିଯୋଗ ଏହାର ଏକ ଉଦାହରଣ ମାତ୍ର । ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‍ ଲାଇଟ୍‍ ଜଳୁନଥିବାବେଳେ ତାହା ଅପରାଧୀଙ୍କୁ ବେଶ୍‍ ସୁହାଉଥିବା ଏବଂ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାବେଳେ ବିଏମସିର ଏଭଳି ମନୋଭାବ ଏବେ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଲାଣି । (ତଥ୍ୟ)