ଭୁବନେଶ୍ୱର : ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଗାଡ଼ି ଭିତରେ ଜୀଅନ୍ତା ପୋଡ଼ି ମାରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରାୟ ୨୬ବର୍ଷରୁ ଅଧିକ ସମୟ ଧରି କାରାଗାରରେ ବନ୍ଦୀ ଥିବା ରବୀନ୍ଦ୍ର କୁମାର ପାଲ୍ ଓରଫ୍ ଦାରା ସିଂ କାରାମୁକ୍ତ ହେବ କି ନାହିଁ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭରେ କରେ ।
ଓଡ଼ିଶା ସରକାରଙ୍କ ରାଜ୍ୟ ଦଣ୍ଡ ହ୍ରାସ ସମୀକ୍ଷା ବୋର୍ଡ କାରାମୁକ୍ତି ପାଇଁ ଦାରାଙ୍କ ଅବେଦନକୁ ଆଉଥରେ ଖାରଜ କରିଦେବା ଯୋଗୁ ଦାରାଙ୍କ ମୁକ୍ତି ଅପେକ୍ଷାରେ ଥିବା ତାଙ୍କ ସମର୍ଥକମାନେ ନିରାଶ ହୋଇପଡିଛନ୍ତି । ଅତୀତରେ ଗୁଜରାଟ ସରକାର ଏକ ଗଣଧର୍ଷଣ ଓ ଗଣହତ୍ୟା ମାମଲାରେ ୧୧ଜଣ ଅପରାଧୀଙ୍କୁ କାରାମୁକ୍ତ କରିବା ଘଟଣାକୁ ନାପସନ୍ଦ କରି ଏହି ଅପରାଧୀମାନଙ୍କୁ ପ୍ରାୟ ବର୍ଷେ ପରେ କାରାଗାରକୁ ଫେରଇ ଆଣିବା ଲାଗି ମାତ୍ର ଦୁଇବର୍ଷ ତଳେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଦାରାଙ୍କ କାରାମୁକ୍ତି ଏବେ ପ୍ରଶ୍ନବାଚୀ ଘେରରେ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ଜାନୁଆରୀ ମାସରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ଶିଶୁପୁତ୍ର ଫିଲିପ୍ ଓ ତିମୋଥି ମନୋହରପୁରଠାରେ ଏକ ମୋଟର ଗାଡ଼ିରେ ଶୋଇଥିବାବେଳେ ସେମାନଙ୍କୁ ଗାଡ଼ି ସହ ଜୀଅନ୍ତା ପୋଡ଼ି ମାରିଦିଆଯାଇଥିଲା । ଏହି ବର୍ବରୋଚିତ ହତ୍ୟାକାଣ୍ଡ ସେ ସମୟରେ ଦେଶ ବିଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଅପରାଧ ଘଟାଇବା ପରେ ଦାରା ଫେରାର ହୋଇଥିଲା ଏବଂ ଦୀର୍ଘଦିନ ପରେ ତାଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା ।
ଏହି ମାମଲାର ବିଚାର କରି ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ପାଲ୍ ଓରଫ୍ ଦାରା ସିଂକୁ ମୃତ୍ୟୁ ଦଣ୍ଡାଦେଶ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଆଜୀବନ ଓ ନିର୍ଦ୍ଦିଷ୍ଟ ଅବଧି ଲାଗି କାରାଦଣ୍ଡାଦେଶ ଦେଇଥିଲେ । ଏହି ରାୟ ବିରୋଧରେ ଅପରାଧୀମାନଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଦାରାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିଲେ । ଇତିମଧ୍ୟରେ କାରାଦଣ୍ଡ ଭୋଗୁଥିବା ଅନ୍ୟ ଅପରାଧୀମାନେ କାରାବାସ କାଟି ମୁକ୍ତ ହୋଇଛନ୍ତି । ଦାରାର ଅନ୍ୟତମ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ୍ ଆଜୀବନ କାରାଦଣ୍ଡ ଭୋଗୁଥିଲେ ମଧ୍ୟ ରାଜ୍ୟ ଦଣ୍ଡ ହ୍ରାସ ସମୀକ୍ଷା ବୋର୍ଡର ସୁପାରିସ ଆଧାରରେ କାରାମୁକ୍ତ ହୋଇଛନ୍ତି ।
ପୂର୍ବରୁ କାରାମୁକ୍ତି ପାଇଁ ଦାରା ଅନେକଥର ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି । ତେବେ ବାରମ୍ବାର ତାଙ୍କ ଆବେଦନ ଖାରଜ ହୋଇଛି । ଏ ପରିପ୍ରେକ୍ଷୀରେ ୨୦୨୨ ମସିହାରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯୁବକ ଅବସ୍ଥାରେ ସେ କରିଥିବା ଅପରାଧ ପାଇଁ ଅନୁତପ୍ତ ବୋଲି ଉଲ୍ଲେଖ କରିବା ସହିତ ଏବେ ସେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବାରୁ ତାଙ୍କୁ କାରାମୁକ୍ତ କରିବା ଲାଗି ଯୁକ୍ତି ବାଢ଼ିଛନ୍ତି । ଏହି ମାମଲାରୋ ରାଜ୍ୟ ସରକାର ବାରମ୍ବାର ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି । ସରକାର ଯଦି ଏ ପ୍ରସଂଗରେ ନିଷ୍ପତ୍ତି ନିଅନ୍ତି ତେବେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇବେ ବୋଲି ରୋକ୍ଠୋକ୍ ଭାବେ କହିଛନ୍ତି । ମାମଲାର ଶୁଣାଣି ଚଳିତ ମାସ ୧୭ ତାରିଖରେ ହେବାକୁ ଥିବାବେଳେ ତାହା ପୂର୍ବରୁ ରାଜ୍ୟ ସରକାରଙ୍କ ଦଣ୍ଡ ହ୍ରାସ ସମୀକ୍ଷା ବୋର୍ଡ ଦାରାଙ୍କ ଆବେଦନକୁ ଖାରଜ କରିଛନ୍ତି ।
ସମ୍ବିଧାନର ବ୍ୟବସ୍ଥା ମୁତାବକ ଦଣ୍ଡାଦେଶ କୋହଳ ଓ କ୍ଷମା ପ୍ରଦାନ କରିବା କ୍ଷମତା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କର ରହିଛି । ପୂର୍ବରୁ ଅନେକଥର ଦାରାର କାରାମୁକ୍ତି ପାଇଁ ସମର୍ଥକମାନଙ୍କ ପକ୍ଷରୁ ଧାରଣା ଓ ଆନ୍ଦୋଳନ ଆଦି ହୋଇଛି । ତାଙ୍କ କାରାମୁକ୍ତିକୁ ମଧ୍ୟ ବିଭିନ୍ନ ମହଲରୁ ବିରୋଧ ହେଉଛି । ଏମିତିକି ଦାରା କାଳେ ଗତ ଅଗଷ୍ଟ ୧୫ରେ କାରାଗାରରୁ ମୁକ୍ତ ହେବେ ସେହି ସମ୍ଭାବନାରେ ଉଭୟ ସମର୍ଥକ ଓ ବିରୋଧୀମାନେ କେନ୍ଦୁଝର କାରାଗାର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଉତ୍ତରପ୍ରଦେଶ ବାସିନ୍ଦା ଦାରା ସିଂଙ୍କ ବିରୋଧରେ ଆଗରୁ ଅନେକ ଅଭିଯୋଗ ରହିଛି । ତାଙ୍କ କାରାମୁକ୍ତି ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବାରୁ ଏହା ଉପରେ ବିଭିନ୍ନ ମହଲ ଦୃଷ୍ଟି ରଖିଛନ୍ତି ।(ତଥ୍ୟ)

