Home Industry ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ ଷ୍ଟାର୍ଟଅପ୍‌

ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ ଷ୍ଟାର୍ଟଅପ୍‌

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ୧୦୦ ଜଣ ମଧ୍ୟରେ ଓଡ଼ିଶାର ୨ ଜଣ ଷ୍ଟାର୍ଟଅପ୍‌ ରହିଥିବା ଗୌରବର ବିଷୟ ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚିତ କରିଛନ୍ତି । ସେଗୁଡ଼ିକ ହେଲା ଗ୍ରୋଜିପ୍‌ ଓ ନେଗୋଟ୍ରିପ୍‌ ପ୍ରା. ଲିଃ । ଓଡ଼ିଆ ଯୁବକ ଆନନ୍ଦ କୁମାର ମିଶ୍ରଙ୍କ ଦ୍ୱାରା ବିକଶିତ ଅନ୍‌ଲାଇନ୍‌ ଡେଲିଭରୀ ଟେକ୍‌ନୋଲୋଜି ମାଧ୍ୟମରେ ସେ ଆଜି ଦେଶର ବହୁ ସହରରେ ତାଙ୍କର ଉପସ୍ଥିତି ଜାହିର କରିପାରିଛନ୍ତି ।

ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଷ୍ଟାର୍ଟଅପ୍‌ କନେକଫ କାର୍ଯ୍ୟକ୍ରମରେ ଟାସ୍କଫୋର୍ସ ବୈଠକ ବସି ୧୭ଟି ଷ୍ଟାର୍ଟଅପ୍‌ର ସମୀକ୍ଷା କରାଯାଇଥିଲା । ଏଥିରେ ଇଜେଡ୍‌ଇଆର୍‌ଏକ୍ସ ହେଲଥ୍‌ ଟେକ୍‌ ପ୍ରା. ଲିଃ, ସ୍ୱଯୋଗ୍ୟ ରେହାବ୍‌ ସଲୁ୍ୟସନସ୍‌ ପ୍ରା. ଲିଃ, ଥିଙ୍କର ଇଣ୍ଡିଆ ପ୍ରା. ଲିଃ, ଅରଣ୍ୟ ପରିଧି ପ୍ରା. ଲିଃ, ଉଦ୍‌ଭାବନ୍‌ ଟେକ୍‌ନୋଲୋଜି ପ୍ରା. ଲିଃ, ଆଦି ଅନ୍ତର୍ଭୁକ୍ତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବା ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ୱାରା ରାଜ୍ୟରେ ଉତ୍ପାଦନ କରିବା ପାଇଁ ସମସ୍ତ ଭିତ୍ତିଭୂମି ଓ ସୁଯୋଗ ସୃଷ୍ଟି କରାଯାଉଛି । ଗତବର୍ଷ ଜାତୀୟ ସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍‌ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଏଥର ଏହାକୁ ନମ୍ବର-୧ କରିବାକୁ ପ୍ରୟାସ କରାଯାଉଛି । ଷ୍ଟାର୍ଟଅପ୍‌ଗୁଡ଼ିକୁ କମ୍ପାନୀରେ ପରିଣତ କରିବା ଦିଗରେ ବିଭାଗ ଯନିବାନ ରହିଛି । ଏଥି ସହିତ ସମସ୍ତ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉନ୍ନୀତ କରିବା ବ୍ୟାଙ୍କ ଲିଙ୍କେଜ୍‌ ଏବଂ ର୍ୟାଙ୍କିଂ କରିବା ଆଦି କାର୍ଯ୍ୟ କରାଯାଉଛି ।

ବିଶେଷ ଭାବେ ଏମ୍‌ଏସ୍‌ଏମ୍‌ଇ ଉତ୍ପାଦଗୁଡ଼ିକର ଡେଲିଭରୀ ଉପରେ ସେ ଦୃଷ୍ଟି ନିକ୍ଷେପ କରିବେ ବୋଲି କହିଛନ୍ତି । ଗତ ୪ ବର୍ଷ ମଧ୍ୟରେ ସେ ୫୦ ହଜାର ଅର୍ଡର ପାଇଥିବା ଏବଂ ୪୦୦ ଉଦ୍ୟୋଗ ଏହାର ଉପଯୋଗ କରି ଲାଭାନ୍ୱିତ ହୋଇଥିବା ଜଣାପଡ଼ିଛି ।

ସେହିପରି ନେଗୋଟ୍ରିପ୍‌ ପ୍ରା. ଲିଃ ଓଡ଼ିଶାର ଦୁଇଜଣ ଉଦୟମାନ ଉଦ୍ୟୋଗୀ ବିଶ୍ୱଭୂଷଣ ପ୍ରଧାନ ଓ କାମାକ୍ଷା ପ୍ରସାଦ ନାୟକ ଏକ ଟ୍ରାଭେଲ୍‌ ଏଜେନ୍ସି ଭାବେ ଆରମ୍ଭ କରିଥିବା ଷ୍ଟାର୍ଟଅପ୍‌ ଭ୍ରମଣକାରୀଙ୍କୁ ଶସ୍ତା ରହଣି ଏବଂ ଭରସାଯୋଗ୍ୟ ଅନ୍‌ଲାଇନ୍‌ ସେବା ଯୋଗାଇ ପାରିଛନ୍ତି । ଯାହା ଷ୍ଟାର୍ଟଅପ୍‌ ଇଣ୍ଡିଆ ଦ୍ୱାରା ସ୍ୱୀକୃତି ପାଇପାରିଛି । ଏହା ବୟସ୍କମାନଙ୍କ ପାଇଁ ସ୍ୱତନ୍ତ୍ର ସେବା ଯୋଗାଇବା ସହ ଆବେଦନକାରୀଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇବାରେ ସଫଳତା ହାସଲ କରିଛି ।

ନିକଟରେ କରାଯାଇଥିବା ସମୀକ୍ଷା ମଧ୍ୟରେ ଆଭେଟି ଲାର୍ନିଂ ପ୍ରା. ଲିଃ. ଇତି ମଧ୍ୟରେ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଓ ୭୦୦ ବିଦ୍ୟାଳୟକୁ ପହଞ୍ଚିପାରି ତା’ର ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । ଏହା ୯୦ ହଜାର ଭିଡ଼ିଓ ପ୍ରସ୍ତୁତ କରି ମୋବାଇଲ୍‌ ମାଧ୍ୟମରେ ଶିକ୍ଷାଦାନର ମାନକୁ ଉନ୍ନତ କରିପାରିଛି । ଏହା ପ୍ରଥମରୁ ସପ୍ତମ ଶ୍ରେଣୀର ଶିକ୍ଷାଦାନ ହାତକୁ ନେଇଥିବାବେଳେ ଏହି ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଏହା ନେଟ୍‌ୱାର୍କ, ବିଜୁଳି ନଥିବା ସ୍ଥାନରେ ମଧ୍ୟ ବ୍ୟବହାର ହୋଇପାରୁଥିବା ଏହାର ବିଶେଷତ୍ୱ ।

ଭବିଷ୍ୟତରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏହାକୁ ବ୍ୟବହାର କରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ପ୍ରଦାନକୁ ଆହୁରି ଆକର୍ଷଣୀୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ଏବେ ମାସିକ ୨.୫ ଲକ୍ଷ ଟଙ୍କା ଆୟ କରୁଥିବା ସମୀକ୍ଷାରୁ ଜଣାପଡ଼ିଛି । ଆଜିର ଏହି ସମୀକ୍ଷାରେ ୧୧ଟି ଷ୍ଟାର୍ଟଅପ୍‌କୁ ୨୦ ହଜାର ଟଙ୍କା ହିସାବରେ ମାସିକିଆ ଭତ୍ତା ଭାବେ ୨୭ ଲକ୍ଷ ୩୬ ହଜାର ଟଙ୍କା, ଗୋଟିଏ ଷ୍ଟାର୍ଟଅପ୍‌କୁ ୨୫ ଲକ୍ଷ ଟଙ୍କା ଏବଂ ୧୦ଟିକୁ ୧୫ ଲକ୍ଷ ଟଙ୍କା ହିସାବରେ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କୁହାଯାଇଛି ।

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମ୍‌, ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଇଡ୍‌କୋର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଏସ୍‌ଟିପିଆଇ ନିର୍ଦ୍ଦେଶକ ମାନସ ପଣ୍ଡା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ପ୍ରମୁଖ ଯୋଗଦେଇଥିଲେ ।