Home Administration ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ପରିଚାଳନା କମିଟି

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ପରିଚାଳନା କମିଟି

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାର ଗୁଡିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଆସିଥିବା ଏ ସଂକ୍ରାନ୍ତୀୟ ଅଧ୍ୟାଦେଶ ଉପରେ ମୋହର ଲାଗିଛି ।

ନିଷତ୍ତି ଅନୁଯାୟୀ କମିଟି ଗଠନ ଦ୍ୱାରା ମନ୍ଦିର କାର୍ଯ୍ୟ ଗୁଡିକର ଉତ୍ତମ ଏବଂ ସଠିକ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ । ଏହା ମଧ୍ୟ ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବାପାଇଁ କମିଟିକୁ ସଶକ୍ତ କରିବ ।

ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରେ ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଏବଂ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଆଦି ରହିଛି ।

ଏହା ବ୍ୟତିତ ନିକଟ ଅତୀରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗିନ ଉନ୍ନତି ପାଇଁ ସରକାର ଅନେକଗୁଡିଏ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି ଯାହା କି ଅଗ୍ରାଧିକାର ଭିତ୍ତିରେ କରାଯିବା ଆବଶ୍ୟକ । ଯେହେତୁ ବିଧାସଭା ବର୍ତ୍ତମାନ ମୁଲତବି ରହିଛି ତେଣୁ ଏହି ଅଧ୍ୟାଦେଶ ଜରିଆରେ ଏହି ନୂତନ ଆଇନ୍‍ର ବ୍ୟବସ୍ଥା କରାଯାଇଛି ।