ଭୁବନେଶ୍ୱର : ଶ୍ରୀମନ୍ଦିରରେ ଘଟିଥିବା ବିଭିନ୍ନ ବିଭ୍ରାଟ ଏବଂ ସଂସ୍କାର ସଂକ୍ରାନ୍ତରେ ରାଜ୍ୟ ସରକାର ଗତ ୫୦ବର୍ଷ ମଧ୍ୟରେ ଅନେକ କମିଟି ଓ କମିଶନ ବସାଇଥିବାବେଳେ ଏଥିରୁ କେତେକଙ୍କ ରିପୋର୍ଟ ହଜିଯାଇଥିବା କୁହାଯାଉଛି । ଏହାଛଡ଼ା ଯେତେ କମିଟି ଓ କମିଶନ ଶ୍ରୀମନ୍ଦିର ବ୍ୟାପାରରେ ବସାଯାଇଛି ସେଗୁଡ଼ିକରୁ ଅଧିକାଂଶର ରିପୋର୍ଟ ସାର୍ବଜନୀନ ହେଉନାହିଁ କିମ୍ବା ବିଧାନସଭାରେ ବି ଉପସ୍ଥାପନ କରାଯାଉ ନାହିଁ । ଏମିତିକି ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶ ଏ ବ୍ୟାପାରରେ ଅନୁପାଳନ କରାଯାଉନଥିବା ଘେନି ଗୁରୁତର ଅଭିଯୋଗମାନ ହେଉଛି ।
ଭାଗବତ ଦୟାଲ ଶର୍ମା ରାଜ୍ୟପାଳ ଥିବା ସମୟରେ ଶ୍ରୀମନ୍ଦିରର ସଂସ୍କାର ଆଣିବା ପାଇଁ ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଗଜପତିଙ୍କ ସମେତ ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ, ଜଷ୍ଟିସ୍ ହରିହର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଥିଲେ । ଏହି କମିଟି ଯେଉଁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ ତାହା ଏଯାବତ ସାର୍ବଜନୀନ କରାଯାଇ ନାହିଁ କିମ୍ବା ଉକ୍ତ କମିଟିଙ୍କ ସୁପାରିସ ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ଓ ଆଉ କ’ଣ କାର୍ଯ୍ୟାନୁଷ୍ଠାନ ବାକି ଅଛି ସେ ସଂକ୍ରାନ୍ତରେ ଲୋକଙ୍କୁ ଅନ୍ଧକାରରେ ରଖାଯାଇଛି ।
ଅତୀତରେ ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିରରେ ଦଳାଚକଟା ଯୋଗୁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ତା’ର ତଦନ୍ତ ପାଇଁ ଜଷ୍ଟିସ୍ ଜୀବନ ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଯାଇଥିଲା । ଏହି କମିଶନ ଦେଇଥିବା ରିପୋର୍ଟ ଏଯାବତ୍ ସାର୍ବଜନୀନ ହୋଇନାହିଁ କିମ୍ବା ସେହି ରିପୋର୍ଟ ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ତାହା କାହାକୁ ଜଣାନାହିଁ । ପରବର୍ତ୍ତୀ ସମୟରେ ପୁଣି ଶ୍ରୀମନ୍ଦିରରେ ଅନ୍ୟ ଏକ ଦଳାଚକଟା ଦୁର୍ଘଟଣା ଘଟିବାରୁ ସରକାର ଜଷ୍ଟିସ ପି.କେ. ମହାନ୍ତି କମିଶନ ବସାଇଥିଲେ । ଏହି କମିଶନକୁ ଜଷ୍ଟିସ ମହାପାତ୍ରଙ୍କ କମିଶନ ରିପୋର୍ଟ କୁଆଡ଼େ ଗଲା ତାହା ତଦନ୍ତ କରିବାକୁ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।
୨୦୧୫ ନବକଳେବର ବିଭ୍ରାନ୍ତ ସଂକ୍ରାନ୍ତରେ ସମ୍ବାଦ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିରର ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ୨୦୧୮ରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ତଦନ୍ତ ରିପୋର୍ଟ ଦେଇଥିବାବେଳେ ସେଥିରେ କ’ଣ ରହିଛି ତାହା ଏଯାବତ୍୍ ଲୋକ ଜାଣିପାରିଲେ ନାହିଁ, କାର୍ଯ୍ୟାନୁଷ୍ଠାନ ତ ଦୂରର କଥା । ସେହିପରି ପୂର୍ବରୁ ଅନ୍ୟ ଏକ ନବକଳେବର ବିଭ୍ରାନ୍ତ ସଂକ୍ରାନ୍ତରେ ରାଜ୍ୟ ସରକାର ବସାଇଥିବା ଜଷ୍ଟିସ ବାଳକୃଷ୍ଣ ପାତ୍ର କମିଶନ କ’ଣ ସୁପାରିସ କଲେ ଓ ତଦନୁଯାୟୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ମଧ୍ୟ ଅନ୍ଧାରରେ ରହିଗଲା ।
ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ୧୭ଜଣିଆ ପ୍ରତିନିଧି ଦଳ ୨୦୧୮ ଏପ୍ରିଲ ମାସରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଘରର ନିରାପତ୍ତା ସ୍ଥିତି ଯାଞ୍ଚ କରିବାକୁ ଆସିବା ବେଳେ ରତ୍ନଭଣ୍ଡାର ଚାବି ହଜିଯାଇଥିବା କୁହାଗଲା । ପରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ରୁମ୍ରୁ ଏକ ଲଫାପାରେ ଥିବା ଏକ ଚାବି ମିଳିଥିଲା । ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗରେ ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଯେଉଁ କମିଶନ ବସିଥିଲା ସେହି କମିଶନ ସରକାରଙ୍କୁ ରିପୋର୍ଟ ଦେଇଥିଲେ ବି ତାହା ଏଯାବତ୍ ସାର୍ବ୍ଜନୀନ ହୋଇନାହିଁ । ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ହାଇକୋର୍ଟ କହିଥିବାବେଳେ ତା’ର ଅନୁପାଳନ ବି ହେଉନାହିଁ । ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନ ଦେଇଥିବା ୩ଟି ଅନ୍ତରୀଣ ରିପୋର୍ଟକୁ ମଧ୍ୟ ସର୍ବସାଧାରଣକୁ ଜଣାଇ ଦିଆଯାଉ ନାହିଁ । ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ସରକାର ଏହି କମିଶନକୁ ଅଚଳ କରିଦେଇଥିଲେ । ସେହିଭଳି ପହଣ୍ଡିବେଳେ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାର ତଦନ୍ତ ହେଉ କିମ୍ବା ପୁରୀ ରାଜଭବନରେ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ଜଣେ ଅଧିକାରୀଙ୍କୁ ମାଡ଼ ଦେବା ଅଭିଯୋଗର ତଦନ୍ତ ପାଇଁ ଯାହା କୁହାଯାଇଥିଲା ତା’ର ସ୍ଥିତି ମଧ୍ୟ ଲୋକେ ଜାଣିପାରୁ ନାହାନ୍ତି । ଏହାଛଡ଼ା ଶ୍ରୀମନ୍ଦିର ସଂକ୍ରାନ୍ତରେ ଆଉ ଅନେକ କମିଟିଙ୍କ ରିପୋର୍ଟ ବି ଲୋକଲୋଚନକୁ ଆସିପାରୁ ନାହିଁ ।(ତଥ୍ୟ)

