ଭୁବନେଶ୍ୱର : ରାଜ୍ୟରେ ଛେନା ଓ ପନୀର ଉପରେ ଚାଲିଥିବା ଚଢଉ ଏବେ ଦୁଗ୍ଧ କମ୍ପାନୀଗୁଡିକ ପାଇଁ ସୁଯୋଗ ଆଣି ଦେଇଛି । ଚାଷୀମାନେ ଡହଳ ବିକଳ ହୋଇ ସେମାନଙ୍କ ଦୁଗ୍ଧକୁ ବିଭିନ୍ନ ଘରୋଇ କମ୍ପାନୀକୁ ବିକ୍ରି କରିବାରେ ଲାଗିଛନ୍ତି ।
ଗାଁ ଗହଳର ଦୁଗ୍ଧ ଚାଷୀମାନେ ଓମଫେଡ୍ ସମେତ ରାଜ୍ୟରେ ଥିବା ଆଉ ପ୍ରାୟ ୮ଟି ଦୁଗ୍ଧ କମ୍ପାନୀକୁ ନିଜର ଉତ୍ପାଦିତ ଦୁଗ୍ଧ ବିକ୍ରି କରିବା ସହିତ ଅଧିକ ଲାଭ ପାଇଁ ଛେନା ଓ ପନୀର ମଧ୍ୟ ପ୍ରସ୍ତୁତ କରିଥାନ୍ତି । ତେବେ କିଛି ଅସାଧୁ ବ୍ୟବସାୟୀ ଅପମିଶ୍ରଣ ଛେନା ଓ ପନୀର ବଜାରକୁ ଛାଡି ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ହାତରେ ଧରାପଡିବାପରେ ଏବେ ରାଜଧାନୀ ସମେତ ଗାଁ ଗହଳରେ ବି ଛେନା ଓ ପନୀର ବ୍ୟବସାୟ ଏକ ପ୍ରକାର ବନ୍ଦହୋଇ ଯାଇଛି । ଯେଉଁ ଦୁଗ୍ଧ ଚାଷୀମାନେ କେବଳ ଛେନା ଓ ପନୀର ପ୍ରସ୍ତୁତ କରୁଥିଲେ ସେମାନେ ଏବେ ନିଜ ନିଜ ଗାଈ ଗୋରୁଙ୍କୁ ଦାନା ଦେଇପାରୁ ନାହାନ୍ତି ।
ଫଳରେ ଏହି ଦୁଗ୍ଧ ଚାଷୀମାନେ ଏବେ ଉତ୍ପାଦିତ କ୍ଷୀରକୁ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହାର ସୁଯୋଗ ବି ବିଭିନ୍ନ ଘରୋଇ ଦୁଗ୍ଧ କମ୍ପାନୀଗୁଡିକ ନେଉଛନ୍ତି । ସରକାରୀ ସଂସ୍ଥା ଓମଫେଡ୍କୁ ବାଦ୍ ଦେଲେ ରାଜ୍ୟରେ ପ୍ରାୟ ଆଉ ୮ଟି ସଂସ୍ଥା ଦୁଗ୍ଧ ସଂଗ୍ରହ କରୁଛନ୍ତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ହେରିଟେଜ୍, ଗୁଜୁରାଟର ଅମୁଲ୍, ଝାଡଖଣ୍ଡର ସୁଦ୍ଧା ସହିତ ଓଡିଶାର ମିଲ୍କ ମୁଁ, ପ୍ରଗତି, ଓଡିଶା ଡାଏରୀ, ପରାଗ ଓ କ୍ଷୀରଗଙ୍ଗା ଆଦି ରହିଛନ୍ତି । ଏହିସବୁ ବେସରକାରୀ ସଂସ୍ଥାଗୁଡିକ ଦୁଗ୍ଧ ସଂଗ୍ରହ ପାଇଁ ଓମଫେଡ୍ ସହିତ ପ୍ରତିଦ୍ୱନ୍ଦିତା କରିଥାନ୍ତି ଓ ବିଭିନ୍ନ ସ୍ଥାନରେ କ୍ଷୀର ପାଇବାପାଇଁ ଓମଫେଡ୍ ଠାରୁ ଅଧିକ ଅର୍ଥ ବି ପ୍ରଦାନ କରିଥାନ୍ତି ।
ବର୍ଷସାରା କ୍ଷୀର ପାଇଁ ଏମାନେ ଦୁଗ୍ଧ ଚାଷୀମାନଙ୍କୁ ଖୋସାମଦ କରୁଥିବାବେଳେ ଚାଷୀମାନେ ଏବେ ସେମାନଙ୍କ କ୍ଷୀର ବିକ୍ରି କରିବାପାଇଁ ଏହିସବୁ କମ୍ପାନୀ ନିକଟକୁ ଯାଉଛନ୍ତି । କମ୍ପାନୀଗୁଡିକ ମଧ୍ୟ ହଠାତ୍ ଅଧିକ ଦୁଗ୍ଧ ସଂଗ୍ରହକୁ ଦେଖି ସେମାନଙ୍କର ବ୍ୟବସାୟକୁ ସମ୍ପ୍ରସାରିତ କରିବାରେ ଲାଗିଛନ୍ତି ।
ଉଲ୍ଲେଖନୀୟ ଯେ ଓମଫେଡ୍ ଦୈନିକ ରାଜ୍ୟରୁ ପ୍ରାୟ ୫ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଅନ୍ୟ କମ୍ପାନୀଗୁଡିକ ମିଶି ସାଢେ ୩ରୁ ୪ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରିଥାନ୍ତି । ଯେହେତୁ ଓମଫେଡ୍ ଗୋଟିଏ ସରକାରୀ ସଂସ୍ଥା, ତେଣୁ ଗାଁ ଗହଳର ଚାଷୀମାନେ ଏହା ଉପରେ ଅଧିକ ଆସ୍ଥା ପ୍ରକଟ କରିଥାନ୍ତି । ତେଣୁ ଘରୋଇ କମ୍ପାନୀଗୁଡିକ ସେମାନଙ୍କ ବ୍ୟବସାୟ ପାଇଁ ଦୁଗ୍ଧଚାଷୀମାନଙ୍କୁ ଆକୃଷ୍ଟ କରିବାକୁ ପ୍ରତିଦ୍ୱନ୍ଦିତା କରିଥାନ୍ତି ।
ହେଲେ ଏବେ ବଜାରରେ ଛେନା ଓ ପନୀର ବ୍ୟବସାୟ ଏକ ପ୍ରକାର ଭୁଷୁଡି ପଡିଥିବାରୁ ଚାଷୀମାନଙ୍କ ଉତ୍ପାଦିତ ଦୁଗ୍ଧ ଏହି ଘରୋଇ କମ୍ପାନୀକୁ ଯାଉଛି । କାରଣ ସାଧାରଣ ଲୋକେ ଛେନା ଓ ପନୀରରେ ଅପମିଶ୍ରଣ ଚିହ୍ନିବା ଜାଣିନଥିବାରୁ ଭଲ ଛେନା ଓ ପନୀରକୁ ବି ଭୟରେ ସେମାନେ ବ୍ୟବହାର କରିବାକୁ ପଛାଉଥିବା ଦେଖିବାକୁ ମିଳିଛି । ସରକାର ବି ଲୋକଙ୍କୁ ସଚେତନ କରିବାପାଇଁ ନିଜଆଡୁ ସେଭଳି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏଭଳି ସ୍ଥିତି ଭିତରେ ଗାଁ ଗହଳର ଦୁଗ୍ଧ ଚାଷୀମାନେ ନିଜ ପରିବାର ପୋଷଣ ତ ଦୂରରକଥା ଗାଈ ଗୋରୁମାନଙ୍କୁ ଦାନା ଗଣ୍ଡାଏ ଦେବା କଷ୍ଟକର ହୋଇପଡିଛି । ଘରୋଇ କମ୍ପାନୀଗୁଡିକ ଏବେ ଏହାର ଫାଇଦା ନେଉଥିବାବେଳେ ସେମାନେ ଯେଭଳି ଚାଷୀଙ୍କୁ ଶୋଷଣ ନକରନ୍ତି ତାହା ଉପରେ ସରକାର କଡା ନଜର ରଖିବାକୁ ଦୁଗ୍ଧଚାଷୀ ମହାସଂଘ ସଭାପତି ରବି ବେହେରା ମତ ଦେଇଛନ୍ତି । (ତଥ୍ୟ)

