Home Culture ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି

ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି

ପୁରୀ : କରୋନା ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ଆଜି ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ।

ଡକ୍ଟର କୁମାର କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବାପାଇଁ ଛତିଶା ନିଯୋଗ ସମ୍ମତି ପ୍ରଦାନ କରିଥିବାବେଳେ ଏ ନେଇ ଦିନେ ଦୁଇଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ସୁପାରିଶ୍‍ ଲୋଡାଯିବ । ରାଜ୍ୟ ସରକାର ସବୁଜ ସଙ୍କେତ ଦେବାପରେ ଶ୍ରୀମନ୍ଦିର ଖୋଲିବ ।

ତେବେ ପୁରୀ ଲୋକଙ୍କୁ ପ୍ରଥମେ ଦର୍ଶନର ସୁଯୋଗ ମିଳିବ । ଆପାତତଃ ଚଳିତମାସ ୨୨ରୁ ୨୫ ତାରିଖ ମଧ୍ୟରେ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଦିଅଁ ଦର୍ଶନର ସୁଯୋଗ ସୃଷ୍ଟି ହେବ । ତେବେ ନୂଆବର୍ଷର ଭିଡ ଦୃଷ୍ଟିରୁ ଆସନ୍ତା ଜାନୁୟାରୀ ଏକ ଓ ଦୁଇ ତାରିଖରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଜାନୁୟାରୀ ୩ ତାରିଖରୁ ପୁରୀ ବାହାର ଲୋକମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ତେବେ ଏଥିପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ ହେବ । ସେହିଭଳି ମନ୍ଦିର ଭିତରକୁ ଆସୁଥିବା ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ସହିତ ହାତରେ ସାନିଟାଇଜର ଲଗାଇବେ । ପ୍ରଶାସନ ପକ୍ଷରୁ ମନ୍ଦିରର ଚାରି ଦ୍ୱାରକୁ ନିୟମିତ ସାନିଟାଇଜ କରାଯିବ ।ତିନି ତାରିଖରୁ ଦୈନିକ ୫ହଜାର ଭକ୍ତଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ସୁଯୋଗ ମିଳିବ । ମାସେ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି ।

ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଶ୍ରୀଜୀଉମାନଙ୍କ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏଭଳି କଟକଣା ରଖାଯାଇଛି । କାରଣ କରୋନା ସମୟରେ ସେବାୟତ ଓ ତାଙ୍କ ପରିବାର ବଡ କଷ୍ଟରେ ପ୍ରାୟ ୯ମାସ ହେଲା ଶ୍ରୀଜୀଉମାନଙ୍କ ନୀତିକାନ୍ତି ଚଳାଇଛନ୍ତି । ତେଣୁ ସେମାନଙ୍କୁ କରୋନା ଠାରୁ ଦୂରେଇ ରଖିବାଲାଗି ଏଭଳି ପଦକ୍ଷେପ ନିଆଯାଇଛି ।

ମନ୍ଦିର ଖୋଲିବାପରେ ଭକ୍ତମାନେ ଧାଡିରେ ନିୟମମାନି ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ତେବେ ଏହି ସମୟରେ ସାହାଣମେଲା ଦର୍ଶନ ବନ୍ଦ ରହିବ । ତେବେ ପୁରୀ ଆସୁଥିବା ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ତାହାର ବ୍ୟବସ୍ଥା ହୋଇଛି ।

ମନ୍ଦିର ଖୋଲିବା ସହିତ ସମସ୍ତ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ବ୍ୟବସ୍ଥା ହୋଇଛି । ଏଥିରେ ଯେଭଳି କୌଣସି ତ୍ରୁଟି ନରୁହେ ମନ୍ଦିର ପ୍ରଶାସନ ତାହା ଉପରେ କଡା ନଜର ରଖିବ । ସେହିଭଳି ସୁରକ୍ଷା ଦୃଷ୍ଟିରୁ ୬୫ବର୍ଷରୁ ଅଧିକ ବୟସର ଲୋକେ ମନ୍ଦିର ନିଆସିବାପାଇଁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।