Home News in Odia ଶେଷ ମୂହୂର୍ତ୍ତରେ ବଦଳିପାରେ ତାଲିକା

ଶେଷ ମୂହୂର୍ତ୍ତରେ ବଦଳିପାରେ ତାଲିକା

ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବାବେଳେ ଏଯାବତ୍‍ କୌଣସି ଦଳ ଓଡିଶାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି । ତେବେ ଦଳଡିଆଁ ପର୍ବ ଯେଉଁଭଳି ଭାବରେ ଚାଲୁଛି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ପର୍ଯ୍ୟନ୍ତ ଘୋଷିତ ତାଲିକାରେ ବ୍ୟାପକ ଅଦଳ ବଦଳ ହେବାର ସମ୍ଭାବନା ଜଳ ଜଳ ହୋଇ ଦିଶୁଛି ।

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ତାହାର ଅର୍ନ୍ତଗତ ୨୮ଟି ଯାକ ବିଧାନସଭା ଆସନପାଇଁ ମଇ ୧୩ତାରିଖରେ ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଭୋଟ ହେବ । ଏହି ଆସନଗୁଡିକ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ରହିଛି ଏପ୍ରିଲ୍‍ ୨୪ । ସେହିଭଳି ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଏବଂ ତାହା ଅର୍ନ୍ତଗତ ୩୫ଟି ବିଧାନସଭା ଆସନ ଲାଗି ନିର୍ବାଚନ ମଇ ୨୦ତାରିଖରେ ହେବାକୁ ଥିବାବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏହି ଆସନଗୁଡିକ ପାଇଁ ରହିଛି ମଇ ୩ତାରିଖ ।

ସେହଭଳି ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଓ ତାହା ଅର୍ନ୍ତଗତ ୪୨ଟି ବିଧାନସଭା ଆସନପାଇଁ ମଇ ୨୫ରେ ଭୋଟ ହେବାକୁ ଥିବାବେଳେ ଏଗୁଡିକ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି ମଇ ୬ତାରିଖ । ରାଜ୍ୟରେ ଶେଷ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ଯାଜପୁର ଲୋକସଭା ଆସନ ଓ ଏହା ଅର୍ନ୍ତଗତ ୪୨ଟି ବିଧାନସଭା କ୍ଷେତ୍ରପାଇଁ ଜୁନ୍‍ ୧ତାରିଖରେ ମତଦାନ ଥିବାବେଳେ ଏହି ଆସନଗୁଡିକ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି ମଇ ୧୪ତାରିଖ ।

ଇତି ମଧ୍ୟରେ ବିଜେପି ୧୮ଟି ଲୋକସଭା ଆସନପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଥିବାବେଳେ ବିଜେଡି ୧୫ଟି ଲୋକସଭା ଓ ୭୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । କଂଗ୍ରେସ ଏଯାବତ୍‍ ଗୋଟିଏ ହେଲେ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିନାହିଁ ।

ଇତିମଧ୍ୟରେ ଟିକଟ ଆଶାୟୀମାନଙ୍କ ଦଳଡିଆଁ ଖେଳ ପ୍ରାୟ ପ୍ରତିଦିନ ଚାଲୁଛି । ଅତୀତର ଅଭିଜ୍ଞତାରୁ ଜଣାଯାଇଛି ଯେ ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ବି ପୂର୍ବ ଘୋଷିତ ପ୍ରାର୍ଥୀଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯାଇଛି । ୨୦୦୦ ରେ ବିଜୟ ମହାପାତ୍ର ଓ ୨୦୦୯ରେ ସୁରେନ୍ଦ୍ରନାଥ ନାୟକ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିବାପରେ ଶେଷ ଦିନରେ ଏମାନଙ୍କୁ ବଦଳାଯାଇ ନୂଆପ୍ରାର୍ଥୀ ଦିଆଯିବାର ନଜିର ରହିଛି । ସେହିଭଳି ୨୦୧୯ ନିର୍ବାଚନରେ ବିଜେପି ରଘୁନନ୍ଦନ ଦାସଙ୍କୁ ବାଲିକୁଦା-ଏରସମା ଓ ତୁଷାରକାନ୍ତି ବେହେରାଙ୍କୁ କାକଟପୁର ଆସନରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏହି ଆସନ ଦୁଇଟି ପାଇଁ ବି ବିଜେଡି ତାହାର ପ୍ରାର୍ଥୀ ଦେଇଥିଲା । ତେବେ ଶେଷ ମୂହୂର୍ତ୍ତରେ ରଘୁନନ୍ଦନ ଓ ତୁଷାରକାନ୍ତି ବିଜେପି ପରିବର୍ତ୍ତେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ଜିଣିବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ ।

ଏବେ ରାଜ୍ୟର ରାଜନୈତିକ ସ୍ଥିତି ଓ ଟିକଟ ଆଶାୟୀଙ୍କ ଘୋଡାଦୌଡ ଯେଉଁଭଳି ଭାବେ ଚାଲିଛି ସେଥିରୁ ଶେଷ ମୂହୂର୍ତ୍ତରେ ବିଭିନ୍ନ ଦଳ ସେମାନଙ୍କ ପୂର୍ବଘୋଷିତ ପ୍ରାର୍ଥୀଙ୍କୁ ବଦଳାଇ ଭିନ୍ନ ନେତାଙ୍କୁ ଟିକଟ ଦେବାର ଢେର ଆଶଙ୍କା ରହିଛି । ଏଥିଯୋଗୁଁ ଯେଉଁମାନଙ୍କ ନାମ ଦଳୀୟ ଟିକଟ ଲାଗି ଘୋଷଣା ହୋଇଛି ସେମାନଙ୍କ ଭିତରୁ ଯେ ଶେଷରେ କେତେଜଣଙ୍କ କ୍ଷେତ୍ରରେ ଅଦଳ ବଦଳ ନହେବ ତାହା କହିହେବ ନାହିଁ । ବିଶେଷକରି ବିଜେପି, ବିଜେଡି, କଂଗ୍ରେସ ଓ ବାମପନ୍ଥୀମାନେ ଅଧିକ ସଂଖ୍ୟକଙ୍କ ମହିଳାଙ୍କ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ କେଉଁଦଳ ଏକତୃତୀୟାଂଶରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)