Home Covid ଶୃଙ୍ଖଳ ନଭାଙ୍ଗିଲେ ଭାରି ପଡିବ

ଶୃଙ୍ଖଳ ନଭାଙ୍ଗିଲେ ଭାରି ପଡିବ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ହାରରେ ଭାରତରେ ବୃଦ୍ଧି ପାଉଛି ତାହାର ଶୃଙ୍ଖଳ ଭଙ୍ଗା ନ ଗଲେ ଏହା ଭାରତ ପାଇଁ ବେଶ୍‍ ଭାରି ପଡ଼ିବ । ଏ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସାଧାରଣ ଲୋକେ ପରସ୍ପରର ସହଯୋଗରେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ବୈଜ୍ଞାନିକମାନେ ମତବ୍ୟକ୍ତ କରୁଛନ୍ତି ।

କୋଭିଡ୍‍ ଭୂତାଣୁର ନୂଆ ନୂଆ ଷ୍ଟ୍ରେନ୍‍ ଭାରତରେ ଦେଖାଦେବ ବୋଲି ଗତବର୍ଷର ଶେଷ ଭାଗରେ ବୈଜ୍ଞାନିକମାନେ ସତର୍କ କରାଇ ଦେଇଥିଲେ । ଏହାକୁ ନିୟନ୍ତ୍ରିତ କରିବା ପାଇଁ ଠିକଣା ପଦକ୍ଷେପ ନିଆନଗଲେ ଦୈନିକ ୪ଲକ୍ଷରୁ ୯ଲକ୍ଷ ପର୍ଯ୍ୟନ୍ତ ନୂଆ ସଂକ୍ରମିତ ବାହାରିବେ ଏବଂ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪ହଜାରରୁ ୧୦ହଜାର ପର୍ଯ୍ୟନ୍ତ ହୋଇଯାଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା ।

କରୋନା ଭୂତାଣୁ, କରୋନା ଟିକା ଏବଂ ଏହି ରୋଗ ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ପରବର୍ତ୍ତୀ ପଦକ୍ଷେପ ଉପରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ଓଡ଼ିଆ ବୈଜ୍ଞାନିକ ଡ. ସ୍ୱୟଂପ୍ରକାଶ କହିଛନ୍ତି ଯେ କରୋନା ଭୂତାଣୁ କୌଣସି ଦେଶର ଭୌଗୋଳିକ ସୀମା ସରହଦ ଭିତରେ ସୀମିତ ରୁହେନାହିଁ । ଭାରତଭଳି ଏକ ଜନବହୁଳ ରାଷ୍ଟ୍ରରେ ଏହାକୁ ନିୟନ୍ତ୍ରିତ କରାନଗଲେ ବିଶ୍ୱ ଲାଗି ବିପଦ ରହିଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଭାରତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଥିବା ବେଳେ ଭାରତ ଭିତରେ ଓ ଭାରତ ବାହାରେ ବୈଜ୍ଞାନିକମାନେ ନିଜ ଜୀବନକୁ ବାଜି ଲଗାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ।

ସେ କହିଛନ୍ତି ଯେ ଦ୍ୱିତୀୟ ଲହର ପରେ ପୁଣି ତୃତୀୟ ଲହର ଆସିବାର ଯେଉଁ ଆଶଙ୍କା ରହିଛି ତାହା ବି ଢେର୍‍ ସାଙ୍ଘାତିକ । ଗତବର୍ଷ କରୋନାର ପ୍ରଥମ ଲହର ସଂକ୍ରମଣ ବେଳେ ଯୁବ ଓ ଶିଶୁମାନେ ବିଶେଷ ସଂକ୍ରମିତ ହେଉନଥିଲେ । ଏଥର ଦ୍ୱିତୀୟ ଲହର ସଂକ୍ରମଣରେ ବହୁ ସଂଖ୍ୟକ ଯୁବକ ଓ କମ୍‍ ଶିଶୁ ସଂକ୍ରମିତ ହୋଇଥିବା ବେଳେ ତୃତୀୟ ଲହରରେ ଏହି ସଂଖ୍ୟା ଢେର୍‍ ବଢ଼ିବ । ଏ ପରିପ୍ରେକ୍ଷୀରେ ଆମେରିକା ଭଳି ରାଷ୍ଟ୍ରରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କ ଟିକାକରଣ ସରିଥିବା ବେଳେ ଏବେ ଶିଶୁମାନଙ୍କୁ ଟିକା ଦେବା ଲାଗି ପ୍ରସ୍ତୁତି ଚାଲିଛି ।

ତେଣୁ ଭାରତରେ ଟିକାକରଣ ଅଭିଯାନକୁ ଶୃଙ୍ଖଳାର ସହ ବ୍ୟାପକ କରିବା, ଅଧିକ ଟିକା ଉତ୍ପାଦନ ୟୁନିଟ୍‍ ଖୋଲିବା, ବିଦେଶରେ ଯେଉଁ ଟିକାଗୁଡ଼ିକ ସଫଳତା ପ୍ରଦର୍ଶନ କରୁଛନ୍ତି ସେ ସବୁ କିପରି ଭାରତରେ ବ୍ୟବହାର କରାଯାଇପାରିବ ସେ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବା ଦରକାର । ଏହାଛଡ଼ା ବଢ଼ି ଚାଲୁଥିବା ସଂକ୍ରମଣର ଶୃଙ୍ଖଳ ଭାଗିବା ଲାଗି ସମ୍ପୂର୍ଣ୍ଣ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଭଳି ପଦକ୍ଷେପର ଆବଶ୍ୟକତା ରହିଛି ଏବଂ ଲୋକେ ଏ କ୍ଷେତ୍ରରେ ଅଧିକ ସଚେତନ ହୋଇ ଶୃଙ୍ଖଳିତ ଆଚରଣ କଲେ କରୋନା ଚେନ୍‍ ଭାଙ୍ଗିଯିବ ଏବଂ ଚଳିତ ମାସରେ ଏହା କରାଯାଇପାରିଲେ ଜୁନ୍‍ ଜୁଲାଇ ମାସ ପାଇଁ ଭାରତ ଲାଗି ବିପଦ କମିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏବେ ଦେଶରେ ଦୈନିକ ଚିହ୍ନଟ ହେଉଥିବା ନୂଆ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ଆଡ଼କୁ ମୁହାଁଉଥିବା ବେଳେ ଏବେଠାରୁ ସଂକ୍ରମଣ ଚେନ୍‍ ଭଙ୍ଗାନଗଲେ ଏହି ସଂଖ୍ୟା ବି ଦୈନିକ ୯ଲକ୍ଷରୁ ୧୦ଲକ୍ଷରେ ନ ପହଞ୍ଚିବ ସେ ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ । ଏବେ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି । ଗତବର୍ଷ ମଇ ମାସ ଶେଷ ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷରୁ କମ୍‍ ଥିବା ବେଳେ ଏବେ ତାହା ୨ କୋଟି ଅତିକ୍ରମ କରିସାରିଲାଣି ।

ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି ଏବଂ ଏଠାରେ ଯେଭଳି ଦକ୍ଷ ଓ ସେବା ମନୋଭାବାପନ୍ନ ଚିକିତ୍ସକ ଅଛନ୍ତି ସେମାନଙ୍କୁ ଠିକଣା ସହଯୋଗ ମିଳିଲେ କରୋନା ଚିକିତ୍ସା ଅଧିକ ବ୍ୟବସ୍ଥିତ ହୋଇପାରିବ । ତେବେ ରୋଗର ଚିକିତ୍ସା ଅପେକ୍ଷା ରୋଗ କିପରି ନ ହେବ ସେଥିଲାଗି ସତର୍କ କରିଦେବା ସହ ବର୍ତ୍ତମାନର ଷ୍ଟ୍ରେନ୍‍ ଯୋଗୁ କରୋନା ପରବର୍ତ୍ତୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବା ଆଶଙ୍କା ଥିବାରୁ ଏବେଠାରୁ ସାବଧାନ ରହିବା ପାଇଁ ସେ ସତର୍କ କରାଇ ଦେଇଛନ୍ତି । (ତଥ୍ୟ)