Home Covid ଅମାନିଆ ପତ୍ରେ ପତ୍ରେ

ଅମାନିଆ ପତ୍ରେ ପତ୍ରେ

ଭୁବନେଶ୍ୱର : କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାପାଇଁ ପୁଲିସ୍‍ ଯେତେ କଠୋର ହେଲେ ବି ଲୋକେ ମାନିବାକୁ ନାରାଜ । ପୁଲିସ ଡାଳେ ଡାଳେ ଗଲେ ଅମାନିଆମାନେ ପତ୍ରେ ପତ୍ରେ ଯାଉଛନ୍ତି । ପୁଲିସ୍‍କୁ ଚକ୍‍ମା ଦେବା ନାଁରେ ସଂକ୍ରମଣ ଭୂତାଣୁ ନେଇ କିଛିଲୋକ ଘରକୁ ଫେରି ପୂରା ପରିବାରକୁ ବିପଦ ମୁହଁକୁ ଠେଲିଦେଉଛନ୍ତି ।

ପୁଲିସ୍‍ କମିଶନରଙ୍କ ସମେତ ଦୁଇ ମହାନଗରୀର ଡିସିପି ସାମ୍ବାଦିକ ସମ୍ମିଳନୀରେ ଲକ୍‍ଡାଉନ୍‍ ସମୟରେ ମଣ୍ଣିଂ ୱାକ୍‍ ଓ ଇଭିନିଂ ୱାକ୍‍ ଉପରେ କଟକଣା ଲଗାଇଥିଲେ । ଏଥି ସହିତ ଦୁଇ ବେଳା ଲୋକେ ଯେଭଳି ସାଇକେଲରେ ବୁଲୁଛନ୍ତି ତାହା ନକରିବାପାଇଁ ତାଗିଦ କରିଥିଲେ । ଲୋକେ ଘରୁ ବାହାରୁଥିବାରୁ ସଂକ୍ରମଣ ବେକାକୁ ହେଉଛି ଓ ଏହାକୁ ନମାନିଲେ କାର୍ଯ୍ୟାନୁଷ୍ଠାନର ନାଲିଆଖି ବି ଦେଖାଇଥିଲେ ।

ହେଲେ ରାତି ପାହିଲା ବେଳକୁ ଯଥା ପୂର୍ବଂ ତଥା ପରଂ ଅବସ୍ଥା । ଶହ ଶହ ଲୋକେ ରାସ୍ତାଘାଟରେ ଚାଲୁଛନ୍ତି । ଅବଶ୍ୟ ପୂର୍ବରୁ ଯେଉଁମାନେ ଖାଲି ହାତରେ ଚାଲୁଥିଲେ ସେମାନେ ଗୋଟିଏ ଗୋଟିଏ ବ୍ୟାଗ୍‍ ଧରି ଚାଲୁଥିବା ଲକ୍ଷ୍ୟ କରାଯାଇଥିଲା । ଏହାର କାରଣ ହେଉଛି ଯଦି ପୁଲିସ୍‍ ଧରିବ ତେବେ ପରିବା କିଣିବାକୁ ଯାଉଛନ୍ତି ବୋଲି ସଫେଇ ଦେବେ । କେତେକ ବ୍ୟକ୍ତିତ ହାତରେ ଜରିମୁଣାଟିଏ ଧରି ଚାଲୁଥିବା ଦେଖିବାକୁ ମିଳିଥିଲା । ସେହିଭଳି ଯେଉଁମାନେ ସାଇକେଲରେ ବି ବୁଲୁଥିଲେ ସେମାନେ ମଧ୍ୟ ବ୍ୟାଗ୍‍ କିମ୍ବା ଜରିମୁଣାଟିଏ ଝୁଲାଇଥିଲେ ।

ଉଦ୍ଦେଶ୍ୟ ହେଉଛି ପୁଲିସ୍‍ ଜାରି କରିଥିବା କଟକଣାକୁ ନମାନିବା । ପ୍ରଥମେ ପୁଲିସ୍‍ ରାସ୍ତାରୁ ଦୁଇ ଚକିଆ ଉଠାଇଲା, ଚାରିଚକିଆ ଯାନ ଉପରେ ଫାଇନ୍‍ ଲଗାଇଲା, ହୋଲସେଲର ହାଟକୁ ରାତି ୩ଟାକୁ ଖୋଲିଲା, ରାଜଧାନୀର ସମସ୍ତ ହାଟକୁ ଭିନ୍ନ ଭିନ୍ନ ସ୍ଥାନରେ ବସାଇଲା । ହେଲେ ଲୋକେ କିନ୍ତୁ ଏସବୁ କଟକଣାକୁ ମାନିବାକୁ ନାରାଜ ।

ଅବଶ୍ୟ ପୁଲିସ୍‍ର ସକାଳୁଆ ଚାଲିବା ଉପରେ ଜାରି କଟକଣାକୁ ଅନେକ ନାପସନ୍ଦ କରୁଛନ୍ତି । କାରଣ ପୂର୍ବରୁ ସପ୍ତାହନ୍ତ ସଟ୍‍ଡାଉନ୍‍ରେ ଲୋକଙ୍କୁ ଫିଟ୍‍ ରହିବାପାଇଁ ସକାଳ ବେଳା ଘଣ୍ଟାଏ ଚାଲିବାପାଇଁ ଅନୁମତି ମିଳିଛି । ଏହାଛଡା ଲକ୍‍ଡାଉନ୍‍ରେ ସପ୍ତାହର ୫ଦିନ ଦୋକାନ ବଜାର ସବୁ ଖୋଲିବା ସହିତ ଘର ପାଖ ଦୋକାନରୁ ସାମଗ୍ରୀ ନେବାପାଇଁ ଲୋକେ ଚାଲି କରି କିମ୍ବା ସାଇକେଲରେ ଆସିବାକୁ କୁହାଯାଇଛି । ତେବେ ଲୋକେ ଯଦି ସକାଳୁ ନଚାଲିବେ ତେବେ ଦୋକାନକୁ କିଭଳି ଯିବେବୋଲି ଅନେକ ପ୍ରଶ୍ନ କରୁଛନ୍ତି ?

ପ୍ରଶାସନର ଏହି ୫ଦିନିଆ ଦୋକାନ ଖୋଲା ଅନୁମତି ଯୋଗୁଁ ରାସ୍ତାଘାଟରେ ମାଳ ମାଳ ଗାଡି ବୁଲୁଛି । ଧରାପଡିଲେ କିଏ ସାମଗ୍ରୀ କିଣିବାକୁ ଯାଉଥିବା ସଫେଇ ଦେଉଛି ତ ଆଉ କିଏ ନିଜକୁ ବ୍ୟବସାୟୀର ପରିଚୟ ଦେଇ ଖସୁଛି । ପୁଲିସ୍‍ ପ୍ରଶାସନ ବେସରକାରୀ ସଂସ୍ଥା ଓ ଆଇଟି ସଂସ୍ଥାର କର୍ମଚାରୀଙ୍କ ଯା’ ଆସକୁ ନିୟନ୍ତ୍ରଣ କଲାବେଳକୁ ଅମାନିଆମାନେ କିନ୍ତୁ ରାସ୍ତାଘାଟରେ ମାଳ ମାଳ ହେଉଛନ୍ତି । ତେଣୁ ଯେଉଁମାନେ ଢିଲା ସମୟ ଅବଧି ବାଦ୍‍ ଅର୍ଥାତ୍‍ ଦିନ ୧୨ଟା ପରେ ଘରୁ ବାହାରି ବୁଲୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)