Home General ଶୀତ ଦିନେ ୩୦ ପ୍ରତିଶତ ଦୁର୍ଘଟଣା

ଶୀତ ଦିନେ ୩୦ ପ୍ରତିଶତ ଦୁର୍ଘଟଣା

କଟକ: ସଡକ ଦୁର୍ଘଟଣା ପରିସଂଖ୍ୟାନର ଏକ ମାସର ବିଶ୍ଳେଷଣରୁ ଜଣାପଡିଛି ଯେ ଶୀତ ସମୟ, ବିଶେଷକରି ନଭେମ୍ବରରୁ ଫେବୃଆରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟିଥାଏ | ଏହି ମାସଗୁଡିକରେ କୁହୁଡି ଏବଂ ସ୍ମଗ ଦ୍ୱାରା କମ୍ ଦୃଶ୍ୟମାନତା ହେତୁ ଦୁର୍ଘଟଣା ହୋଇଥାଏ | ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ସମେତ ରାଜ୍ୟରେ ଛୁଟିଦିନ ପାଇଁ ବିଭିନ୍ନ ସଡ଼କ ବ୍ୟବହାରକାରୀଙ୍କ ଦ୍ୱାରା ପିକନିକ୍ ସ୍ପଟ୍ ଏବଂ ପର୍ଯ୍ୟଟନସ୍ଥଳୀକୁ ଯିବା କାରଣରୁ ରାସ୍ତାରେ ଯାନବାହନ ଚଳାଚଳରେ ବୃଦ୍ଧି ପାଇଛି | ଏହା ମଧ୍ୟ ତଥ୍ୟ ସୂଚିତ କରେ ଯେ ଏହି ସମୟ ମଧ୍ୟରେ ମଦ୍ୟପ ଡ୍ରାଇଭିଂ ଏବଂ ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଲାଇବା ମଧ୍ୟ ବୃଦ୍ଧି ଘଟିଥାଏ, ଯାହା ଅନେକ କ୍ଷେତ୍ରରେ ଦୁର୍ଘଟଣା ଏବଂ ମୃତ୍ୟୁହାରର କାରଣ ହୋଇଥାଏ |

ଏହିସବୁ ବିଷୟକୁ ଧ୍ୟାନରେ ରଖି 1 ନଭେମ୍ବର, 2022ରୁ ରାଜ୍ୟ ପରିବହନ ପ୍ରାଧିକରଣ, ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ଦୁର୍ଘଟଣା ଏବଂ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ଦୁଇ ମାସର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରିଛି |

ଏକ ପ୍ରେସ ନୋଟରେ ଅତିରିକ୍ତ କମିଶନର ପରିବହନ, ଏନଫୋର୍ସମେଣ୍ଟ ଆଣ୍ଡ ସଡକ ସୁରକ୍ଷା ଅଧିକାରୀ ଶ୍ରୀ ଲାଲମୋହନ ସେଠୀ କହିଛନ୍ତି, “ଶୀତ ଋତୁରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ରୋକିବା ପାଇଁ ସଡକ ବ୍ୟବହାରକାରୀଙ୍କ ମଧ୍ୟରେ ଏକ ଦାୟିତ୍ୱବୋଧକ ମନୋଭାବ ସୃଷ୍ଟି କରିବା ଏହି ଡ୍ରାଇଭ୍ ର ମୂଳ ଉଦ୍ଦେଶ୍ୟ | ନଭେମ୍ବର ମାସରୁ ଫେବୃଆରୀ ମଧ୍ୟରେ ଅଧିକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟିଥିବା ଦେଖାଯାଇଛି, ତେଣୁ ଏହା କିପରି ହ୍ରାସ ପାଇବ ସେ ଦିଗରେ ଆମର ଏହା ଏକ ପ୍ରୟାସ | ”

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଉପରେ ବିଶେଷ ଧ୍ୟାନ ଦେଇ ଏହି ଡ୍ରାଇଭ୍ ରାଜ୍ୟ ମଧ୍ୟରେ ବ୍ୟାପକ ଭାବରେ କରାଯିବ | “କ୍ରମାଗତ ଭାବରେ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ହେତୁ ଲୋକମାନେ ସହରାଞ୍ଚଳରେ ନିୟମ ଅନୁସରଣ କରୁଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ଗ୍ରାମାଞ୍ଚଳ ତଥା ଜାତୀୟ ରାଜପଥରେ ନିୟମ ପାଳନ କରୁନାହାଁନ୍ତି, ଯେଉଁଠାରେ ସୁରକ୍ଷା ଅଧିକ ଆବଶ୍ୟକ | ଉପଲବ୍ଧ ତଥ୍ୟ ଅନୁଯାୟୀ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା ଏବଂ ମୃତ୍ୟୁହାର ଲକ୍ଷ୍ୟ କରାଯାଇଛି ଏବଂ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଛି। ”

ଶ୍ରୀ ସେଠୀ ରାସ୍ତାର ବ୍ୟବହାରକାରୀଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ଗାଡି ଚଳାଇବା ସମୟରେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି | “ସଡକ ସୁରକ୍ଷା ନାଗରିକଙ୍କ ସହଭାଗିତା ଓ ମିଳିତ ଉଦ୍ୟମ ବିନା ସମ୍ଭବ ନୁହେଁ | ମୁଁ ଜନସାଧାରଣଙ୍କୁ ନିବେଦନ କରୁଛି ଟ୍ରାଫିକ ନିୟମ ମାନିବାକୁ ଏବଂ ଏହା ସହ ଜଡିତ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ କରିବାରେ ସହଭାଗୀ ହୁଅନ୍ତୁ |”

ଯେଉଁମାନେ ମୋଟର ଯାନ ନିୟମକୁ ଖଣ୍ଡନ କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ଏନଫୋର୍ସମେଣ୍ଟ ଡ୍ରାଇଭଗୁଡ଼ିକ ହେଲମେଟ ଏବଂ ସିଟ୍ ବେଲ୍ଟ ବିନା ଡ୍ରାଇଭିଂ, ମଦ୍ୟପ ଡ୍ରାଇଭିଂ, ଅତ୍ୟଧିକ ଦ୍ରୁତ ଗତିରେ, ଗାଡି ଚଳାଇବା ସମୟରେ ମୋବାଇଲର ବ୍ୟବହାର, ନାବାଳକ/ନାବାଳିକାମାନଙ୍କ ଦ୍ୱାରା ଗାଡି ଚଳାଇବା, ରାସ୍ତାରେ ଗାଡି ଚାଲିବା ଯୋଗ୍ୟ କି ନାହିଁ ସେଥିପାଇଁ ଗାଡିର ଫିଟନେସ ଯାଞ୍ଚ, ଭୁଲ ପାର୍ଶ୍ୱ ଡ୍ରାଇଭିଂ, ପଞ୍ଜୀକରଣ ଚିହ୍ନ ବିନା ଡ୍ରାଇଭିଂ ଏବଂ ବିପଦପୂର୍ଣ୍ଣ ପାର୍କିଂ ଉପରେ ଧ୍ୟାନ ଦେବେ |

ଦୁର୍ଘଟଣା ପ୍ରବଣ ଜୋନ୍, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ପ୍ରମୁଖ ଜଙ୍କସନ ନିକଟରେ ପୋଲିସ୍ ସହିତ ମିଳିତ ଭାବେ ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯିବ |