Home Infrastructure ଶୀତଳଭଣ୍ଡାରରେ ସାଟେଲାଇଟ ସିଟି

ଶୀତଳଭଣ୍ଡାରରେ ସାଟେଲାଇଟ ସିଟି

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ରଣସିଂହପୁର ଠାରେ ପ୍ରସ୍ତାବିତ ସାଟେଲାଇଟ୍‍ ସିଟି ଓ ପରବର୍ତ୍ତୀ ସମୟରେ ପ୍ରସ୍ତାବିତ ଟାଉନ ପ୍ଲାନିଂ ଯୋଜନା ଏବେ ଶୀତଳଭଣ୍ଡାରରେ । ଏ ବାବଦରେ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏହାର ଭବିଷ୍ୟତ ଏକ ପ୍ରକାର ଅନ୍ଧାରରେ ।

୨୦୦୯-୧୦ ମସିହାରେ ରଣସିଂହପୁର ଠାରେ ୫୦୦ ଏକର ଜମି ଉପରେ ସାଟେଲାଇଟ୍‍ ସିଟି ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ସହର ଉପକଣ୍ଠରେ ସ୍ୱତନ୍ତ୍ର ଭାବେ ଏକ ଅତ୍ୟାଧୁନିକ ସହର ବସାଇବାପାଇଁ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ ୨କୋଟି ଟଙ୍କା ଯୋଗାଇ ଦେଇଥିଲେ । ଆଇଏଲ୍‍ଏଫ୍‍ଏସ୍‍ ନାମକ ସଂସ୍ଥା ଏହାର ସର୍ଭେ କରିବାପାଇଁ ବିପୁଳ ଅର୍ଥ ନେଇଥିଲା । କିଛିଦିନ ଧରି ଏହାର ଜୋରଦାର ପ୍ରଚାର ଚାଲିଲା । ସ୍ଥାନୀୟ ଲୋକେ ବି ସାଟେଲାଇଟ୍‍ ସିଟିର ସ୍ୱପ୍ନରେ ବିଭୋର ହେଲେ । ହେଲେ କୌଣସି କାରଣରୁ ତାହା ନାଲିଫିତା ତଳେ ରହିଗଲା ।

ଏହାପରେ ଜାଗସରା ଓ ରଣସିଂହପୁର ମୌଜାରେ ଟାଉନ ପ୍ଲାନିଂ ସ୍କିମ୍‍ ଆରମ୍ଭ ହେଲା । ଏହାର ଲକ୍ଷ୍ୟ ଥିଲା ରାଜଧାନୀକୁ ସମ୍ପ୍ରସାରିତ କରିବା ସହିତ ଗାଁ ଲୋକଙ୍କୁ ସହର ଅନୁଭୂତି ଦେବା । ଏହି ଯୋଜନାରେ ଗାଁ ଲୋକଙ୍କୁ ସାମିଲ ପାଇଁ ସ୍ଥିର ହୋଇଥିଲା । ଏପରିକି ଏହି ଯୋଜନାରେ ଗାଁ ଲୋକଙ୍କୁ ଭାଗିଦାରୀ କରାଯିବ ଓ ସେମାନେ ଯୋଜନା ପାଇଁ ୪୦ ପ୍ରତିଶତ ଅର୍ଥ ଏବଂ ସରକାର ଅବଶିଷ୍ଟ ୬୦ପ୍ରତିଶତ ଅର୍ଥଦେବାକୁ ଯୋଜନା ହୋଇଥିଲା ।

ନୋଇଡା, ପୁନେ ଭଳି ସହର ବସାଇବା ଥିଲା ଏହାର ମୁଖ୍ୟ ଲକ୍ଷ୍ୟ । ହେଲେ ଯୋଜନା ଆରମ୍ଭରୁ ସ୍ଥାନୀୟ ଲୋକେ ଏଥିରେ କେଁ ପୂରାଇଲେ । ବିରୋଧ ଆରମ୍ଭ ହେଲା । ଭାଗିଦାରୀ ହେବା ତ ଦୂରରକଥା ଲୋକେ ଭିଟାମାଟି ଛାଡିବାକୁ ରାଜି ହେଲେନାହିଁ । ତେଣୁ ଲୋକଙ୍କୁ ବୁଝାଇବାପାଇଁ ଯୋଜନା ହେଲା ।

ସ୍ଥାନୀୟ ଲୋକଙ୍କୁ ବିମାନରେ ନେଇ ନୋଇଡା,ପୁଣେ, ହାଇଦ୍ରାବାଦ ଆଦି ସହର ଯେଉଁଠାରେ କି ଅନୁରୂପ ସହର ବସିଛି ସେହିସବୁ ସ୍ଥାନ ବୁଲାଇ ଦେଖାଇଲେ । ବିମାନ ବୁଲା ସାଙ୍ଗକୁ ତାରକା ହୋଟେଲରେ ରହିବା ଓ ଖାଇବା ବାବଦରେ ରାଜକୋଷରୁ ମଧ୍ୟ କିଛି ଅର୍ଥ ବ୍ୟୟ ହେଲା । ହେଲେ ଟାଉନ ପ୍ଲାନିଂ ସ୍କିମ୍‍ ଏବେ ଶୀତଳଭଣ୍ଡାରରେ । ଏହାର ସ୍ଥିତି ସଂକ୍ରାନ୍ତରେ ଠିକଣା ଭାବେ କେହି କିଛି କହିପାରୁ ନାହାନ୍ତି ।

କେବଳ ସାଟେଲାଇଟ ସିଟି କିମ୍ବା ଟାଉନ ପ୍ଲାନିଂ ସ୍କିମ୍‍ ନୁହେଁ, ଭୁବନେଶ୍ୱରରେ ପ୍ରସ୍ତାବିତ ସ୍ମାର୍ଟସିଟିର ଅବସ୍ଥା ମଧ୍ୟ ଅନୁରୂପ । ଏହା ଏବେ ଅଧାପନ୍ତରିଆ ରାସ୍ତାଘାଟ ଓ କିଛି ଫଳକରେ ସୀମିତ ରହିଛି । ବିଭିନ୍ନ କମ୍ପାନୀର ସୁଉଚ୍ଚ କୋଠା, ବଡ ବଡ ହୋଟେଲ, ବହୁତଳୀୟ ପାର୍କିଂ ବ୍ୟବସ୍ଥା ଆଦି ଏବେ ଲୋକଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ପାଲଟିଲାଣି । ସହର ସମ୍ପ୍ରସାରଣ ଓ ଅତ୍ୟାଧୁନିକ ସହରୀ ବ୍ୟବସ୍ଥା ପାଇଁ ସରକାର ପ୍ରସ୍ତୁତ କରୁଥିବା ଯୋଜନାଗୁଡିକ କାହିଁକ ଚୂଡାନ୍ତ ରୂପ ନେଇପାରୁନାହିଁ ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବାର ବେଳ ଆସିଛି ବୋଲି ବିଶେଷଜ୍ଞମାନେ ମତ ହେଉଛନ୍ତି । (ତଥ୍ୟ)