Home News in Odia ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିରର ଚାରି ଦ୍ୱାର

ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର : ଓଡ଼ିଶାର ନୂଆ ମନ୍ତ୍ରୀମଣ୍ଡଳ ଆସନ୍ତା ୧୦ ତାରିଖରେ ଶପଥ ନେବାଦିନ ପୁରୀ ଶ୍ରୀମନ୍ଦିରର ଚାରୋଟି ଯାକ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିପାରେ । ଏଠାରେ ଉଲ୍ଲେଖନୀୟ ଯେ ନିର୍ବାଚନ ପ୍ରଚାର ସମୟରେ ବିଜେପିର ତୁଙ୍ଗ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକଥା ଘୋଷଣା କରିଥିଲେ ।

ଶ୍ରୀମନ୍ଦିର ନିର୍ମାଣ ସମୟରୁ ୪ଦ୍ୱାର ଦେଇ ଭକ୍ତମାନେ ଭିତରକୁ ପ୍ରବେଶ କରି ଆସୁଥିବାବେଳେ କୋଭିଡ୍‍ ସମୟରୁ କଟକଣା ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବାପରେ ଚାରୋଟିଯାକ ଦ୍ୱାର ଖୋଲା ରହିବ ବୋଲି କୁହାଯାଇଥିଲେ ମଧ୍ୟ କେବଳ ସିଂହଦ୍ୱାର ଦେଇ ଧାଡିରେ ଭକ୍ତମାନଙ୍କୁ ଭିତରକୁ ଛଡା ଯାଉଛି । ବିଭିନ୍ନ ମହଲରୁ ଆପତ୍ତି ଅଭିଯୋଗ ଉଠିବା ପରେ ପୁରୀବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଉତ୍ତର ଦ୍ୱାରବାଟେ ସେମାନଙ୍କ ପ୍ରବେଶ ଲାଗି ଅବଶ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ପ୍ରାୟ ୪ବର୍ଷ ଧରି ଏଭଳି ଅବସ୍ଥା ଲାଗି ରହିଥିବାବେଳେ ଭକ୍ତମାନଙ୍କୁ ଭିତରକୁ ଛାଡିବା ପାଇଁ ବଡ଼ଦାଣ୍ଡରେ ଲମ୍ବା ଧାଡି ଲାଗୁଛି । ବେଳେବେଳେ ତିନି ଚାରି ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ବିଶେଷ କରି ଖରାଦିନେ ଧାଡିରେ ଯାଇ ଫେରିବା ବେଳକୁ ଅନେକ ଦର୍ଶନାର୍ଥୀଙ୍କ ଗୋଡ ଫୋଟକା ହୋଇଯାଉଛି । ସିଂହଦ୍ୱାର ପର୍ଯ୍ୟନ୍ତ ଧାଡି ବ୍ୟବସ୍ଥା ଥିବାବେଳେ ୨୨ ପାହାଚ ଠାରୁ କିନ୍ତୁ ଆଉ ଧାଡି ରହୁନଥିବାରୁ ୭ ପାହାଚ ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଗଲାବେଳକୁ ଅସମ୍ଭାଳ ଭିଡ ହେଉଛି ଏବଂ ଠେଲାପେଲାରେ ବହୁ ସମୟରେ ଲୋକେ ଆହତ ହେଉଛନ୍ତି ।

ସାଧାରଣ ନିର୍ବାଚନରେ ଶ୍ରୀମନ୍ଦିରର ସବୁଦ୍ୱାର ଦର୍ଶନାର୍ଥୀଙ୍କ ପାଇଁ ଉନ୍ମୁକ୍ତ କରିବା ସହ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିର୍ବାଚନୀ ପ୍ରସଙ୍ଗ କରିଥିଲା । ଏହିକଥା ବି ବହୁସ୍ଥାନରେ ଲୋକଙ୍କ ମନକୁ ଛୁଇଁଥିଲା । ଏମିତିକି ନିଜେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ ସହ ବଡଦାଣ୍ଡରେ ରୋଡ୍‍ସୋ କରିଥିଲେ ।

ବିଜେପି ତାହାର ନିର୍ବାଚନ ପ୍ରଚାର କାଳରେ ରାଜ୍ୟରେ ସରକାର ଗଠନ ଦିନ ଶ୍ରୀମନ୍ଦିରର ସବୁଦ୍ୱାର ଖୋଲିବା ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ପରିପ୍ରେକ୍ଷୀରେ ଆସନ୍ତା ୧୦ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ହେଉଥିବାରୁ ସେହିଦିନଠାରୁ ସବୁଦ୍ୱାର ଖୋଲିବ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ତେବେ ଏଯାବତ୍‍ ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଘୋଷଣା କରାଯାଇନାହିଁ ।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ଓ ଏନ୍‍ଡିଏର ସ୍ୱତନ୍ତ୍ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ତାଙ୍କ ଭାଷଣରେ ସ୍ମରଣ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଜୁନ୍‍ ୧୦ ତାରିଖରେ ଗଢାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଘୋଷଣା ମୁତାବକ ଏବେ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଆଜି ସୁଦ୍ଧା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ କେନ୍ଦ୍ର ନେତୃତ୍ୱ ଏ ସଂକ୍ରାନ୍ତରେ ବିଚାରବିମର୍ଷ ଚଳାଇଛନ୍ତି ଏବଂ ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକରେ ଏ ସଂକ୍ରାନ୍ତରେ ସର୍ବସମ୍ମତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ୧୦ ତାରିଖରେ ଶପଥ ନେବାପରେ ପୁରୀ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏମିତିକି ୯ ତାରିଖରେ ଓଡ଼ିଶାର ଯେଉଁମାନେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଯୋଗଦେବେ ସେମାନଙ୍କ ସହ ବହୁ ଜାତୀୟସ୍ତରର ନେତା ୧୦ ତାରିଖର ଶପଥ ଗ୍ରହଣ ସମାରୋହକୁ ଭୁବନେଶ୍ୱର ଆସିବା ପରିପ୍ରେକ୍ଷୀରେ ପୁରୀ ଗସ୍ତ କରିବାର ସମ୍ଭାବନା ରହିଛି ।

ଏସବୁକୁ ଆଖି ଆଗରେ ରଖି ପ୍ରଶାସନ ଭୁବନେଶ୍ୱର ଓ ପୁରୀରେ ସମ୍ଭାବ୍ୟ ପ୍ରସ୍ତୁତି ଚଳାଇଥିବାବେଳେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଆସୁଥିବା ହଜାର ହଜାର ଦଳୀୟ କର୍ମୀ ଓ ନେତା ବି ଶ୍ରୀକ୍ଷେତ୍ର ଯାଉଛନ୍ତି । ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ସଂକ୍ରାନ୍ତରେ ସ୍ପଷ୍ଟଚିତ୍ର ଜଣାପଡିବ ବୋଲି କୁହାଯାଉଛି । (ତଥ୍ୟ)