Home General ଶିଶୁଙ୍କ ଅଧିକାରକୁ ସମ୍ମାନ ଦିଅ

ଶିଶୁଙ୍କ ଅଧିକାରକୁ ସମ୍ମାନ ଦିଅ

ପୁରୀ : ଶିଶୁଙ୍କ ପ୍ରତି ହିଂସା ଦିନକୁ ଦିନ ବଢୁଥିବାରୁ ଏହାର ବିଲୋପ ପାଇଁ ସାମାଜିକ ସଂଗଠନ, ନାଗରିକ ସମାଜ, ଶିଶୁ ସୁରକ୍ଷା ପ୍ରତିଷ୍ଠାନ ଏବଂ ଶିଶୁଙ୍କ ଅଭିଭାବକ ଆଗେଇ ଆସିବା ଉଚିତ । ଶିଶୁମାନଙ୍କୁ ବନ୍ଧୁ ଭାବିବା ସହିତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି ।

ଭାରତରେ ଶିଶୁଙ୍କ କ୍ଷେତ୍ରରେ ଯୌନ ର୍ନିଯାତନା ଓ ଶୋଷଣର ଅନ୍ତ ଘଟାଇବା ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଜଷ୍ଟିସ୍ ଡି.ପି.ଚୌଧୁରୀ କହିଥିଲେ ଯେ ଶିଶୁଙ୍କୁ ନିର୍ଯ୍ୟାତନାରୁ ସୁରକ୍ଷା ଦେବାକୁ ନାଗରିକ ସମାଜ ସଚେତନତା ଅଭିଯାନକୁ ବ୍ୟାପକ କରିବା ଦରକାର । ଯୌନ ହିଂସା ବନ୍ଦ ପାଇଁ ଆଇନର କାର୍ଯ୍ୟକାରିତା ସହ ଆଇନ ଠିକ୍ ଭାବେ ଯେପରି କାର୍ଯ୍ୟକାରୀ ହେବ ସେ ଦିଗରେ ମଧ୍ୟ ଯତ୍ନବାନ ହେବାକୁ ପଡ଼ିବ ।

ସାଇଭାକର ଡାଇରେକ୍ଟର ଜେନେରାଲ୍ ଡ.ରିଞ୍ଚେନ୍ ଚୋପେଲ୍ ଉଦ୍‍ଘାଟନୀ ଅଧିବେଶନରେ ବକ୍ତବ୍ୟ ରଖିବା ଅବସରରେ କୋଭିଡ୍ ମହାମାରୀ କାଳରେ ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା କ୍ଷେତ୍ରରେ ସାମାଜିକ-ଅର୍ଥନୈତିକ ସ୍ତରରେ ଯେଉଁ ଆହ୍ୱାନ ଦେଖାଦେଇଛି ତାହାର ମୁକାବିଲା ପାଇଁ ସାମାଜିକ ସଂଗଠନ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ମତପୋଷଣ କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ଯେ ଅଧିକାଂଶ ଶିଶୁଙ୍କୁ ନିର୍ଯ୍ୟାତନା ଦେବାରେ ସେମାନଙ୍କ ଆତ୍ମୀୟ ଏବଂ ନିକଟ ସମ୍ପର୍କୀୟ ସମ୍ପୃକ୍ତ ଥିବା ଜାତୀୟ ସ୍ତରର ସର୍ଭେ ରିପୋର୍ଟରେ ପ୍ରକାଶ ପାଉଥବାରୁ ଏହାର ପ୍ରତିକାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଜରୁରୀ ।

ନେସନାଲ ଅକ୍ସନ୍ ଆଣ୍ଡ କୋଅର୍ଡିନେସନ୍ ଗ୍ରୁପ୍ ଫର୍ ଏଣ୍ଡିଂ ଭାଓଲେସନ୍ ଏଗ୍ନେଷ୍ଟ ଚିଲଡ୍ରେନ୍‌, ପିକକ୍‌, ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ । ଏଥିରେ ଦେଶର ପ୍ରାୟ ୧୭ଟି ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିସିଆର୍‌) ସଦସ୍ୟ ଯଶୱନ୍ତ ଜୈନ କହିଥିଲେ ଯେ ଶିଶୁ ବିରୋଧୀ ହିଂସା, ଯୌନ ନିର୍ଯ୍ୟାତନା ବଢୁଥିବାରୁ ଏହା ଏବେ ସାମାଜିକ ସମସ୍ୟାରେ ପରିଣତ ହୋଇଛି । ବାଲ୍ କଲ୍ୟାଣ ସମିତି ବା ସିଡବ୍ଲ୍ୟୁସି କାର୍ଯ୍ୟକର୍ତ୍ତାମାନେ ଏଥିପାଇଁ ସତର୍କ ରହି ସଠିକ୍ ଭାବେ କାର୍ଯ୍ୟ କରବା ଉଚିତ ।

ଏନ୍‌ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ରାଜ୍ୟ ତଥା ଜାତୀୟ ସ୍ତରରେ ପିଲାମାନଙ୍କ ଉପରେ ହିଂସା ବିବା ଆମ ସମସ୍ତଙ୍କ ପାଇଁ ଉଦବେଗର ବିଷୟ । ଏହାର ମୂଳୋତ୍ପାଟନ ଦିଗରେ ସରକାରୀ ଓ ବେସରକରୀ ସଂଗଠନ ତଥା ଗୋଷ୍ଠୀ ସମୂହ ମିଳିତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ମତ ଦେଇଥିଲେ ।

ୱାର୍ଲ୍ଡ ଭିଜନର ମିଖାଇଲ୍ ପ୍ରଧାନ, ଏନ୍‌ଏସିଜି କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର ପ୍ରମୁଖ ଏଥିରେ ବକ୍ତବ୍ୟ ରଖି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ଏନ୍‌ଏସିଜି-ଇଭାକ୍ ଉପାଧ୍ୟକ୍ଷ ଡି.ରୋଷନ କୁମାର, ସଞ୍ଜୟ ଗୁପ୍ତା, ସୁପ୍ରିମକୋର୍ଟର ବରିଷ୍ଠ ଆଇନ୍‍ଜୀବୀ ବରୁଣ ପାଠକ, ଅନଙ୍ଗଦେବ ସିଂହ, ଅଦିତି କୌର, ଡ. ଇନ୍ଦ୍ରାଣୀ ଭଟ୍ଟାଚାର୍ଯ୍ୟ, ଓଡ଼ିଶା ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ଅଭୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନାକୁ ରୋକିବାପାଇଁ ନିଜ ନିଜର ମତ ଦେଇଥିଲେ ।