ଭୁବନେଶ୍ୱର : ବଡ ବଡ ଶିଳ୍ପପତିମାନେ ଏବେ ପଶ୍ଚିମବଙ୍ଗ ମୁହାଁ । ସେଠାରେ ଡବଲ ଇଞ୍ଜିନ ସରକାର ଗଠନ ହେବାପରେ ଜଣକ ପରେ ଜଣେ ଶିଳ୍ପପତି ସେହି ରାଜ୍ୟରେ ନିବେଶ ପାଇଁ ଧାଡି ଲଗାଇଛନ୍ତି । ଶିଳ୍ପପତିମାନଙ୍କର ବଙ୍ଗମୁହାଁ ଆଚରଣ ଏବେ ଓଡିଶାରେ ପ୍ରଭାବ ପକାଇବ କି ନାହିଁ ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଛି ।
ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ନାମୀ ଦାମୀ ଶିଳ୍ପପତିମାନେ ସେଠାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଦୁଇମାସ ମଧ୍ୟରେ ପଶ୍ଚିମବଙ୍ଗରେ ୨୮,୦୦୦ କୋଟି ଟଙ୍କା ନିବେଶପାଇଁ ଆଗ୍ରହ ପ୍ରକାଶ ପାଇଛି । ଏହିସବୁ ଶିଳ୍ପପତିମାନଙ୍କ ମଧ୍ୟରେ ଅଦାନୀ ଗ୍ରୁପ୍, ରିଲାୟନ୍ସ, ଅମୁଲ, ଟାଟା ସମେତ ବିଦେଶୀ ସଂସ୍ଥା ମିତସୁବିଶ୍ ଆଦି ରହିଛନ୍ତି । ଏମାନଙ୍କ ବ୍ୟତିତ ଆହୁରି ଅନେକ ଶିଳ୍ପସଂସ୍ଥା ବି ରହିଛନ୍ତି ।
ପଶ୍ଚିମବଙ୍ଗରେ ତୃଣମୂଳ ସରକାର ଅମଳରେ ସିଙ୍ଗୁରରୁ ଟାଟା କମ୍ପାନୀକୁ ହଟାଇବାପରେ ଶିଳ୍ପପତିମାନେ ସେଠାକୁ ଯିବାକୁ ରାଜି ହେଉନଥିଲେ । ହେଲେ ଏବେ କିନ୍ତୁ ସ୍ଥିତି ବଦଳିଛି । ବିଜେପି ସରକାରଙ୍କ ଆଶ୍ୱାସନା ପାଇ ଶିଳ୍ପପତିମାନେ ବଙ୍ଗ ମୁହାଁ ହୋଇଥିବା ଲକ୍ଷ୍ୟ କରାଯାଉଛି ।
ଅନ୍ୟ ପକ୍ଷରେ ଓଡିଶାର ବିଜେପି ସରକାର ମଧ୍ୟ ନିଜ ରାଜ୍ୟକୁ ଶିଳ୍ପପତିମାନଙ୍କୁ ଆଣିବାପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ସମ୍ମିଳନୀ ଆୟୋଜନ କରିବା ସହିତ ବିଭିନ୍ନ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି । ଏବେ ଆଶଙ୍କା କରାଗଲାଣି ଯେ ଓଡିଶାକୁ ଆସିବାକୁ ଥିବା ଶିଳ୍ପପତିମାନେ ପଶ୍ଚିମବଙ୍ଗ ମୁହାଁ ହୋଇପାରନ୍ତି । ଏହା ହେଲେ ଓଡିଶାରେ ପୁଞ୍ଜିନିବେଶ ନେଇ ଆଶା ରହିଛି ସେଥିରେ ବାଧା ସୃଷ୍ଟିହେବ ।
କେବଳ ପଶ୍ଚିମବଙ୍ଗ ନୁହେଁ, ଆସାମର ହିମନ୍ତ ବିଶ୍ୱଶର୍ମାଙ୍କ ବିଜେପି ସରକାର ମଧ୍ୟ ନିଜ ରାଜ୍ୟକୁ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ବଡ ବଡି ଶିଳ୍ପପାଇଁ ବିଭିନ୍ନ ଆକର୍ଷଣୀୟ ରିହାତି ଘୋଷଣା କରୁଥିବାରୁ କେତେକ ଶିଳ୍ପସଂସ୍ଥା ଆସାମରେ ନିବେଶ ପାଇଁ ମନ ବଳାଇବାରେ ଲାଗିଛନ୍ତି ।
ଉଭୟ ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ସରକାର ଗଠନ ପରେ ସେଠାରେ ନିବେଶ ପାଇଁ ଯେଭଳି ଶିଳ୍ପପତିମାନେ ଧାଡି ଲଗାଉଛନ୍ତି ତାହା ଆଗାମୀ ଦିନରେ ଓଡିଶାର ଶିଳ୍ପ ବିକାଶ କ୍ଷେତ୍ରରେ ବାଧା ଉପୁଜାଇପାରେ । କାରଣ ଏବେ ବି ଓଡିଶାକୁ ଆସୁଥିବା ଶିଳ୍ପସଂସ୍ଥାମାନେ ଜମି ପାଇବାପାଇଁ କସରତ କରୁଥିବାବେଳେ ସ୍ଥାନୀୟ ଲୋକଙ୍କର ବିରୋଧର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ କେତେକ ଶିଳ୍ପପତି ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା କରିବାପରେ ବି ଓଡିଶା ଛାଡୁଛନ୍ତି ।
ବର୍ତ୍ତମାନ ତିନି ବିଜେପି ଶାସିତ ରାଜ୍ୟ ଓଡିଶା, ପଶ୍ଚିମବଙ୍ଗ ଓ ଆସାମ ମଧ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନଙ୍କୁ ନିଜ ନିଜ ରାଜ୍ୟକୁ ଆଣିବାପାଇଁ ଯେଭଳି ଦୌଡ ଆରମ୍ଭ ହୋଇଛି ସେଥିରେ ଓଡିଶା କେତେ ଲାଭାନ୍ୱିତ ହେବ ଓ କେତେ ସଂଖ୍ୟକ ଶିଳ୍ପପତିକୁ ନିଜ ରାଜ୍ୟକୁ ଆଣିବାରେ ସଫଳ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)

