ଭୁବନେଶ୍ୱର : ବିଦ୍ୟୁତ୍ ହିତାଧିକାରୀମାନଙ୍କ ପାଇଁ ବିତରଣ କମ୍ପାନୀ ଜାରି କରିଥିବା ଦେୟମୁକ୍ତ ଟେଲିଫୋନ୍ ନମ୍ବର କାମ କରୁନାହିଁ । ଫୋନ୍ କରିବା ବଦଳରେ କମ୍ପାନୀର ମୋବାଇଲ୍ ଆପ୍, ଇଣ୍ଟରନେଟ୍ ଜରିଆରେ ଅଭିଯୋଗ ଦାଖଲ ପାଇଁ କୁହାଯାଇଛି ।
ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ହିତାଧିକାରୀମାନଙ୍କ ଅଭିଯୋଗ ପାଇଁ ଦୁଇଟି ଦେୟମୁକ୍ତ ଟେଲିଫୋନ୍ ନମ୍ବର ଜାରି କରିଛନ୍ତି । କିନ୍ତୁ ଏହି ନମ୍ବର ଦୁଇଟିକୁ ଫୋନ୍ କଲେ ତାହାର କିଛିଦିନ ପାଇଁ କାମ କରୁନଥିବା କୁହାଯାଉଛି । ତେଣୁଫୋନ୍ କରିବା ବଦଳରେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟ୍ ଜରିଆରେ ଅଭିଯୋଗ ପାଇଁ ପରାମର୍ଶ ଦିଆଯାଉଛି । ହେଲେ ଗାଁ ଗହଳର ଲୋକେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟ୍ରେ କିଭଳି ଅଭିଯୋଗ କରିବେ ତାହା ଜାଣିପାରୁ ନାହାନ୍ତି ।
ଯେଉଁ ହିତାଧିକାରୀମାନେ ଇଣ୍ଟରନେଟ୍ ଜରିଆରେ ଅଭିଯୋଗ କରୁଛନ୍ତି ତାହାର ବି ସହଜରେ ସମାଧାନ ହୋଇପାରୁ ନାହିଁ । ଅଭିଯୋଗ ଦରଜ ହୋଇ ହିତାଧିକାରୀଙ୍କୁ ଗୋଟିଏ ନମ୍ବର ମିଳିବା ସହିତ ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି ମେସେଜ୍ ପଠାଇ ଦେଉଛନ୍ତି । ହେଲେ ତୁରନ୍ତ ସମାଧାନ ତ ଦୂରରକଥା ୪୮ ଘଣ୍ଟା ପରେ ବି ତାହା ହୋଇପାରୁ ନାହିଁ । ଫଳରେ ବିଜୁଳି ହିତାଧିକାରୀମାନେ ଏବେ ସ୍ଥାନୀୟ ବିଦ୍ୟୁତ୍ ଅଫିସକୁ ଯିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ଲାଇନ୍ରେ ଦେୟ ଆଦାୟ ପାଇଁ ବିତରଣ କମ୍ପାନୀ ଯେତେ ତତ୍ପରତା ପ୍ରକାଶ କରୁଛନ୍ତି ଅନୁରୂପ ତତ୍ପରତା କିନ୍ତୁ ଅନଲାଇନ୍ ଜରିଆରେ ସମସ୍ୟା ସମାଧାନରେ ଦେଖାଉ ନାହାନ୍ତି । ଗ୍ରାହକମାନଙ୍କ କହିବାକଥା ଯେ ରାଜ୍ୟ ସରକାରଙ୍କ ହାତରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଥିବାବେଳେ ଟେଲିଫୋନ୍ ମାଧ୍ୟମରେ ଯେଭଳି ଅଭିଯୋଗ ସମାଧାନ ହେଉଥିଲା ତାହା ଆଉ ହେଉନାହିଁ । ସେତେବେଳେ ଥରେ ଅଭିଯୋଗ କଲାପରେ ଗ୍ରାହକସେବା କେନ୍ଦ୍ରରୁ ସମସ୍ୟା ସମାଧାନ ହେଲାଣି କି ନାହିଁ ବାରମ୍ବାର ଅଭିଯୋଗକାରୀଙ୍କୁ ଫୋନ୍ କରାଯିବା ସହିତ ସେମାନଙ୍କର ମତାମତ ନିଆଯାଉଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥା ଅଚଳ ହୋଇପଡିଛି ।
ବର୍ତ୍ତମାନ ବର୍ଷାଋତୁରେ ଗାଁ ଗହଳରେ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଥିବାବେଳେ ଲୋକେ ଅଭିଯୋଗ ଦାଖଲ ପାଇଁ ବାରମ୍ବାର ଟାଟା ପାୱାରର ଦେୟମୁକ୍ତ ନମ୍ବରକୁ ଫୋନ୍ କରୁଛନ୍ତି । ହେଲେ ଭିଡ ଯୋଗୁଁ ଏହା ସାମୟିକ ଭାବେ କାର୍ଯ୍ୟ କରୁନଥିବାରୁ ବହୁ ଅଞ୍ଚଳରେ ଗ୍ରାହକମାନେ ଦିନ ଦିନ ଧରି ବିଦ୍ୟୁତ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଅଭିଯୋଗ ଦାଖଲ ହେଉନଥିବାରୁ ରାଜ୍ୟରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା କିଭଳି ଚାଲିଛି ତାହା ଜାଣିବା ବି ସରକାରଙ୍କ ପକ୍ଷେ କାଠିକରପାଠ ହୋଇଛି । (ତଥ୍ୟ)

