ଭୁବନେଶ୍ୱର : ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଶ୍ ଭଲ ବର୍ଷା ଲାଗି ରହିଥିଲେ ମଧ୍ୟ ଜୁଲାଇ ଓ ଅଗଷ୍ଟ ମାସରେ କମ୍ ବୃଷ୍ଟିପାତ ଯୋଗୁ ଖରିଫ ଫସଲ ଯେଭଳି କ୍ଷତିଗ୍ରସ୍ତ ହୋଇଛି ସେଥିରେ ବିଭିନ୍ନ ଅଞ୍ଚଳରେ ଶସ୍ୟ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା କରାଯାଉଛି । ଏ ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ମରୁଡ଼ି ଘୋଷଣା ପାଇଁ ବିକ୍ଷିପ୍ତ ଭାବେ ଦାବି ଉଠୁଛି ।
ଏଠାରେ ଉଲ୍ଲେଖନୀୟ ଯେ ଚଳିତବର୍ଷ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରାୟତଃ ହୋଇନାହିଁ । ବୈଶାଖ, ଜ୍ୟୋଷ୍ଠମାସରେ ସ୍ଥିତି ଏଭଳି ଥିବାବେଳେ ଜୁଲାଇ ମାସରେ ହାରାହାରି ବୃଷ୍ଟିପାତ କମ୍ ରହିଥିଲା । ସେତେବେଳେ ଅନ୍ୟୁନ ୧୦ଟି ଜିଲ୍ଲାରେ ବର୍ଷାଭାବଜନିତ ସମସ୍ୟା ଥିଲା ଏବଂ ଅଗଷ୍ଟ ମାସରେ ଏହା ଭରଣା ହୋଇଯିବ ବୋଲି ଆଶା କରାଯାଉଥିଲା ।
ଅବଶ୍ୟ ପୂର୍ବରୁ ପାଣିପାଗ ବିଶେଷଜ୍ଞମାନେ ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବା କାରଣରୁ ବୃଷ୍ଟିପାତ ଏକପ୍ରକାର ଠିକ୍ଭାବେ ହେବ ବୋଲି ପୂର୍ବାନୁମାନ କରିଥିଲେ । ତେବେ ତାପମାତ୍ରା ବୃଦ୍ଧି ଓ ଅନ୍ୟାନ୍ୟ କାରଣ ଯୋଗୁ ଅଗଷ୍ଟ ମାସରେ ବି ଓଡ଼ିଶାରେ ଆବଶ୍ୟକତାଠାରୁ କମ୍ ବୃଷ୍ଟିପାତ ହୋଇଥିବାରୁ ଅନ୍ୟୁନ ୨୨ଟି ଜିଲ୍ଲାରେ ଅଗଷ୍ଟ ଶେଷସୁଦ୍ଧା ଖରିଫ ଚାଷକାମ ଯେଭଳି ହେବାକଥା ତାହା ହୋଇପାରିନାହିଁ ।
ଏବେ ଲଘୁଚାପଜନିତ କାରଣରୁ ଚଳିତମାସରେ ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । କେବଳ ବର୍ଷା ନୁହେଁ ଲଗାତାର ବିଜୁଳି ଓ ବଜ୍ରପାତ ଯୋଗୁ ଅନେକ ଧନଜୀବନ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ସାଧାରଣତଃ ଖରିଫ ଋତୁର ବର୍ଷାଦିନେ ଯେତେ ଦିନ ବର୍ଷା ହେବାକଥା ତାହା ଆଷାଢ ଓ ଶ୍ରାବଣ ମାସରେ ହୋଇନାହିଁ । ଫଳରେ ଧାରା ଶ୍ରାବଣରେ ଅନେକ ସ୍ଥାନରେ ଧରାଫାଟି ଆଁ କରିଥିବାରୁ ରୁଆ ବେଉଷଣ ହୋଇଥିବା ଧାନ ଫସଲ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଏଥିସହ ରୋଗପୋକ ସମସ୍ୟା ବି ଦୁର୍ବଳ ପାଣିପାଗ କାରଣରୁ ଉତ୍କଟ ହେବାରେ ଲାଗିଛି ।
କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଜୁଲାଇ ମାସରେ କମ୍ ବର୍ଷା ହେଲେ ତାହା ଅଗଷ୍ଟର ବର୍ଷା ଯୋଗୁ ଭରଣା ହୋଇଯାଏ । କିନ୍ତୁ ଚଳିତ ଖରିଫ ଋତୁରେ ଅଗଷ୍ଟରେ କମ୍ ବର୍ଷା ହୋଇଥିବାରୁ ଧାନ ସହିତ ଡାଲି, ତୈଳବୀଜ ଓ ଅନ୍ୟ ପନିପରିବା ଫସଲ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଭାରସାମ୍ୟ ରକ୍ଷା ନକରି ହଠାତ୍ ପ୍ରବଳ ବର୍ଷା ହେବା ଫଳରେ ବହୁ ଚାଷୀଙ୍କର ପରିବା କ୍ଷେତ ମଧ୍ୟ ଉଜୁଡି ଯାଇଛି । ଏଭଳି ସ୍ଥିତିରେ ସେପ୍ଟେମ୍ବର ମାସର ବୃଷ୍ଟିପାତ ଖରିଫ ଫସଲର କ୍ଷୟକ୍ଷତିକୁ କେତେଯେ ଭରଣା କରିପାରିବ ସେଥିଘେନି ପୋଖତ ଚାଷୀମାନେ ସନ୍ଦିହାନ ।
ଅବସ୍ଥା ଏଭଳି ଥିବାରୁ ଅନେକ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ଅଧିକ ପରିମାଣର ଜମି ପଡ଼ିଆ ରହିପାରେ ବୋଲି ବିଭିନ୍ନ କୃଷକ ସଙ୍ଗଠନର ନେତାମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଇତିମଧ୍ୟରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ତାଙ୍କ ଅଞ୍ଚଳକୁ ମରୁଡ଼ି ଘୋଷଣା ଦାବି କରି ଆନ୍ଦୋଳନକୁ ଓହ୍ଲାଇବା ସହ ସ୍ମାରକପତ୍ରମାନ ଦେଲେଣି ।
ଅନ୍ୟ ବହୁ ଜିଲ୍ଲାରେ ବି ଏଥିଲାଗି କୃଷକ ସଙ୍ଗଠନମାନେ ପ୍ରସ୍ତୁତିପର୍ବ ଚଳାଇଛନ୍ତି । ଓଡ଼ିଶାର ଅର୍ଥନୀତି କୃଷି ଉପରେ ଅଧିକ ନିର୍ଭର କରୁଥିବାବେଳେ ଯଦି ବ୍ୟାପକ ଶସ୍ୟ ହାନୀ ଘଟେ ତାହା କୃଷକ ଓ କୃଷି ଶ୍ରମିକମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି ଚାଷୀନେତାମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ତେବେ ଅବସ୍ଥାକୁ ଦେଖି ଠିକଣା ସମୟରେ ଉଚିତ୍ ବ୍ୟବସ୍ଥା କରାଯିବ ଏବଂ ଏବେଠାରୁ ଛାନିଆଁ ନହୋଇ ପ୍ରତିକୂଳ ପରିସ୍ଥିତିକୁ ରାଜ୍ୟର ଚାଷୀମାନେ ଯେଭଳି ମୁକାବିଲା କରିପାରିବେ ସେଥିଘେନି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)