ଭୁବନେଶ୍ୱର : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ଅଭିଷେକ ହଲରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ରାଜ୍ୟପାଳଙ୍କୁ ଶପଥ ପାଠ କରାଇଛନ୍ତି।
ରାଜ୍ୟପାଳ ହିନ୍ଦୀରେ ଶପଥ ପାଠ କରିଥିଲେ। ଶପଥ ଗ୍ରହଣ ସମାରୋହ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିଯୁକ୍ତି ପରୱାନା ପାଠ କରି ଶ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।
ଶପଥ ଗ୍ରହଣ ସମାରୋହ ପରେ କମିସନରେଟ୍ ପୁଲିସ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପରିଷଦ ସଦସ୍ୟ, ଜନପ୍ରତିନିଧି, ବିଭାଗୀୟ ସଚିବ ଓ ନିମନ୍ତ୍ରିତ ସଦସ୍ୟମାନେ ଉପସ୍ଥିତ ଥିଲେ।