Home General ଶପଥ ନେଲେ ନୂଆ ମନ୍ତ୍ରୀମଣ୍ଡଳ

ଶପଥ ନେଲେ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର : ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ମୋହନ ଚରଣ ମାଝି । ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ଆଉ ୮ଜଣ କ୍ୟାବିନେଟ୍‍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟାର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ରାଜ୍ୟପାଳ ରଘୁବର ଦାସ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଶପଥପାଠ କରାଇଛନ୍ତି । ଜନତା ମଇଦାନରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା, ପରିବହନ ମନ୍ତ୍ରୀ ନୀତିନ ଗଡକାରୀ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ୯ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥଗ୍ରହଣ ମଞ୍ଚରେ ଦେଖିବାକୁ ମିଳିଥିଲା ।

ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା ଶପଥ ନେଇଥିବାବେଳେ କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥୀରାଜ ହରିଚନ୍ଦନ, ଡକ୍ଟର ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଓ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଥିଲେ । ସେହିଭଳି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଗଣେଶ ରାମ ସିଂହ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ ଆଜି ସଂଧ୍ୟାରେ ନୂତନ ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହେଉଛି । ଖୁବ୍‍ଶୀଘ୍ର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ ।