Home General ଶତାୟୁ ମହିଳା ଦେଖିଲେ ସାତ ପିଢ଼ି

ଶତାୟୁ ମହିଳା ଦେଖିଲେ ସାତ ପିଢ଼ି

କେନ୍ଦୁଝର : ପାଖାପଖି ଶହେ ବର୍ଷର ଜୀବନକାଳ ଭିତରେ ୭ଟି ପିଢ଼ି ଦେଖିଥିବା ଆନନ୍ଦପୁରର ବୀଣାପାଣି ରାଜଙ୍କ ପୁଅଝିଅ, ନାତିନାତୁଣି, ଅଣନାତିଅଣନାତୁଣି ଓ ପଣନାତୁଣିଙ୍କୁ ମିଶାଇ ଏବେ ଅଛନ୍ତି ୭୦ରୁ ଅଧିକ । ଦୀର୍ଘ ବର୍ଷର ସଫଳ ଜୀବନ ଅତିବାହିତ କରିବା ପରେ ଏହି ବର୍ଷିୟସୀ ମହିଳାଙ୍କ ପରଲୋକ ହୋଇଛି ।

ଜୀବନକାଳ ମଧ୍ୟରେ ସେ ବ୍ରିଟିଶ୍‍ ଓ ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ ସ୍ୱାଧୀନ ଭାରତର ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥା ଦେଖିଛନ୍ତି । ସ୍ୱାଧୀନତା ଆନ୍ଦୋଳନର ବହ୍ନିରେ ଲୋକେ କିଭଳି ଝାସ ଦେଉଥିଲେ ତାହା ବି ସେ ଖୁବ୍‍ ପାଖରୁ ଦେଖିଛନ୍ତି । ୧୯୨୨ ମସିହାରେ କଟକ ଜିଲ୍ଲାର ଅସୁରେଶ୍ୱରର ହରିହର ସିଂହଙ୍କ କନ୍ୟା ଭାବେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ବାଲ୍ୟ ବିବାହ ପ୍ରଥା ଚାଲିଥିବା ପରିପ୍ରେକ୍ଷୀରେ ମାତ୍ର ୧୧ ବର୍ଷ ବୟସରେ ତାଙ୍କୁ ଆନନ୍ଦପୁରର ରାଧାକିଶୋର ରାଜଙ୍କ ସହିତ ବିବାହ କରିଦିଆଯାଇଥିଲା । ୨୫ ବର୍ଷ ବୟସରେ ଉପନୀତ ହେବା ପୂର୍ବରୁ ସେ ବିଧବା ହୋଇଯାଇଥିଲେ । ସେତେବେଳକୁ ତାଙ୍କର ଥିଲେ ତିନିଝିଅ ଓ ଗୋଟିଏ ପୁଅ ।

ବାଲ୍ୟ ଓ କୈଶୋର ଜୀବନରେ ସେ ନିଜ ପିଢ଼ି ସହ ତାଙ୍କ ବାପା, ମାମୁଁ ଓ ଶ୍ୱଶୁର, ଜେଜେବାପା, ଅଜା ଓ ଜେଜେଶ୍ୱଶୁରଙ୍କ ପିଢ଼ି ଦେଖିଥିଲେ । ଅଳ୍ପ ବୟସରେ ସ୍ୱାମୀଙ୍କୁ ହରାଇବା ପରେ ସେ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ପିଲାମାନଙ୍କୁ ବଢ଼ାଇବା ସହ ସେମାନଙ୍କ ପାଠପଢ଼ା ବନ୍ଦୋବସ୍ତ କରିଥିଲେ ଏବଂ ପରେ ସେମାନଙ୍କର ବିବାହ ମଧ୍ୟ କରାଇଥିଲେ । ତାଙ୍କ କନିଷ୍ଠ ପୁଅ ପ୍ରମୋଦ କୁମାର ରାଜ ଇତିମଧ୍ୟରେ କଲେଜର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିସାରିଲେଣି ।

ବୀଣାପାଣି ରାଜଙ୍କ ନାତିନାତୁଣିଙ୍କ ସଂଖ୍ୟା ୧୮ । ଏମାନଙ୍କ ସହ ଅଣନାତି ଅଣନାତୁଣି ଓ ପଣନାତୁଣିକୁ ମିଶାଇଲେ ସଂଖ୍ୟା ପ୍ରାୟ ୭୦ । ଏମାନେ ରାଜ୍ୟ ଭିତରେ, ବାହାରେ ଓ ବିଦେଶରେ କାର୍ଯ୍ୟରତ ଅଛନ୍ତି । ସେ ମୃତ୍ୟୁବରଣ କରିବା ବେଳକୁ ତାଙ୍କ ପଣନାତୁଣି ବି ୧୦ବର୍ଷର ହୋଇଛି । କିଛିବର୍ଷ ତଳେ ତାଙ୍କ ସାନ ଭାଇ ଲବ୍ଧପ୍ରତିଷ୍ଠିତ ଗୀତିକାର ନାରାୟଣ ପ୍ରସାଦ ସିଂହଙ୍କ ମୃତ୍ୟୁ ହୋଇଯାଇଛି । ବୀଣାପାଣି ବଞ୍ଚିଥିବା ବେଳେ ତାଙ୍କର ଜଣେ ଜ୍ୱାଇଁ ଓ ଦୁଇଜଣ ନାତୁଣିଙ୍କର ମଧ୍ୟ ପରଲୋକ ଘଟିଛି ।

ପରିବାର ଚଳାଇବା ସହ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରି ରଖୁଥିଲେ । ଆନନ୍ଦପୁରରେ ସତ୍ୟସାଇ ସେବା ମଣ୍ଡଳୀ ସହିତ ତାଙ୍କ ପରିବାର ଜଡ଼ିତ । ଏମିତିକି ଏଠାରେ ସାଇ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ତାଙ୍କ ପରିବାର ଭୂଦାନ କରିଛନ୍ତି । ଏହାଛଡ଼ା ଭାଗବତ ପାରାୟଣଠାରୁ ଆରମ୍ଭ କରି ଅନେକ କାର୍ଯ୍ୟକ୍ରମ ସେ ସହଯୋଗ ଦେଇଆସୁଛନ୍ତି ଏବଂ ସାଧ୍ୟମତେ ଲୋକଙ୍କ ବିପଦଆପଦ ସମୟରେ ବି ଛିଡ଼ା ହେଉଥିଲେ । ତାଙ୍କ ଶତବାର୍ଷିକୀ ପ୍ରତିପାଳନ ଲାଗି କିଛି ଶୁଭେଚ୍ଛୁ ପ୍ରସ୍ତୁତି ଚଳାଇଥିବା ବେଳେ ୯୯ ବର୍ଷରେ ତାଙ୍କର ପରଲୋକ ଘଟିଛି । (ତଥ୍ୟ)