Home Energy ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା

ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ଶକ୍ତି ବିଭାଗର ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ । ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍‌) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି । ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଉଲ୍ଲେଖନୀୟ ଉପଲବ୍ଧି ସମ୍ପର୍କରେ ଇଆଇସି (ବିଦ୍ୟୁତ) ତଥ୍ୟ ରଖିଥିଲେ ।

ବୈଦ୍ୟୁତିକ ନିରାପତ୍ତା ନିରୀକ୍ଷଣ, ଶକ୍ତି ସଂରକ୍ଷଣ, ବିଦ୍ୟୁତ ନିରାପତ୍ତା ପ୍ରସଂଗରେ ମଧ୍ୟ ଆଲୋଚନା କରିଥିଲେ । ବିଦ୍ୟୁତ ନିରାପତ୍ତା ଓ ଶକ୍ତି ସଂରକ୍ଷଣ ନେଇ ଚାଲିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ମଧ୍ୟ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଥିଲେ । ତ୍ୱରିତ ସେବା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

କାର୍ଯ୍ୟାଳୟ ପକ୍ଷରୁ ବୈଦ୍ୟୁତିକ ଉପକରଣ ପରୀକ୍ଷଣ ଓ ସାର୍ଟିଫିକେଟ ପ୍ରଦାନ କରାଯାଉଥିବାବେଳେ ଏହାର କିପରି ଆହୁରି ସରଳୀକରଣ କରାଯାଇପାରିବ ଏବଂ ରାଜ୍ୟରେ ଏକାଧିକ ଟେଷ୍ଟିଂ ଲାବୋରେଟୋରୀ ଖୋଲାଯାଇ ପାରିବ, ସେ ନେଇ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲୋ ତ୍ୱରିତ ବୈଦ୍ୟୁତିକ ନକ୍ସା ଅନୁମୋଦନ ଓ ବୈଦ୍ୟୁତିକ ସୁରକ୍ଷା ଯାଞ୍ଚ ପ୍ରମଣ ପତ୍ର ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ୱାର୍କମ୍ୟାନ ପରମିଟ ଓ ସୁପରଭାଇଜର ସାର୍ଟିଫିକେଟ କମ୍ପିଟେନ୍ସି ପରୀକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ବହୁତ ମାନବସମ୍ବଳ ଦରକାର ପଡ଼ୁଥିବାବେଳେ ବର୍ଷକୁ ଥରୁଟିଏ ବଦଳରେ ଏକାଧିକ ଥର ଏହି ପରୀକ୍ଷାର ଆୟୋଜନ କରିବା ପାଇଁ ପ୍ରମୁଖ ଶାସନ ସଚିବ କହିଥିଲେ । ଅନଲାଇନ ପରୀକ୍ଷା ପାଇଁ ମୋଡ୍ୟìଲ ପ୍ରସ୍ତୁତି କରିବା ପାଇଁ ମଧ୍ୟ ସେ କହିଥିଲେ ।

୨୦୨୨ରେ ମୋଟ ୪୦୦୩ ୱାର୍କମ୍ୟାନ ପରମିଟ ପରୀକ୍ଷା ପାସ୍‌ କରିଥିବାବେଳେ ସୁପରଭାଇଜର ସାର୍ଟିଫିକେଟ କମ୍ପିଟେନ୍ସି ପରୀକ୍ଷାରେ ୩ଶହରୁ ଅଧିକ ପିଲା ପାସ୍‌ କରିଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ସୁରେଶ ଚନ୍ଦ୍ର ମହାରଣା ସୂଚନା ଦେଇଥିଲେ । ଆଇ.ଟି.ଆଇ ଇଲେକ୍‌ଟି୍ରିକାଲ ପାସ୍‌ କରିଥିବା ଓ୍ବର୍କ ପରମିଟ୍‍ ଛାଡ଼ ହେବାର ବ୍ୟବସ୍ଥା ଥିବାରୁ ଏହାକୁ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ ।

ଏହା ସହିତ ବିଭାଗ ପକ୍ଷରୁ ଗତ ବର୍ଷ କ୍ରୟ ହୋଇଥିବା ବିଭିନ୍ନ ପରୀକ୍ଷଣ ଉପକରଣ ଓ ଚଳିତ ଆର୍ଥକ ବର୍ଷରେ ଉପକରଣ କ୍ରୟ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଶ୍ରୀ ମହାରଣା ତଥ୍ୟ ରଖିଥିଲେ ।ଏହି ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଓ ଇଆଇସିଙ୍କ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।