ଭୁବନେଶ୍ୱର : ପଶୁ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣକାରୀମାନେ ଯେଉଁ ହାରରେ କଲରାପତରିଆ ବାଘ ଶିକାର କରୁଛନ୍ତି ସେଥିରୁ ଏହି ବାଘର ବଂଶ ଲୋପ କରିଦେବେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଏହି ବାଘକୁ ଶିକାର ସହଜ ହୋଇଥିବାରୁ ସେମାନଙ୍କୁ ମାରି ଛାଲ ବିକ୍ରି କରିଦେଉଛନ୍ତି ।
ଜଙ୍ଗଲୀ ପଶୁଙ୍କ ଶିକାର ସଂକ୍ରାନ୍ତରେ ଜଣାଯାଇଛି ଯେ ବିଗତ ୫ବର୍ଷରେ ରାଜ୍ୟରେ ୧୧୦ଟି କଲରାପତରିଆ ବାଘଛାଲ ଜବତ ହୋଇଛି । ଶିକାରୀମାନେ ଏହି ବାଘକୁ ମାରି ତାହାର ଛାଲକୁ ବିକ୍ରି କରିବା ସମୟରେ ହିଁ ଜଙ୍ଗଲ ବିଭାଗ ଅଧିକାରୀ ଓ ପୁଲିସ୍ ଅଧିକାରୀମାନେ ମାଡି ବସୁଛନ୍ତି । ବର୍ଷକୁ ହାରାହାରି ଏମାନେ ୨୦ଟି କଲରାପତରିଆ ଶିକାର କରୁଛନ୍ତି । ଏତେ ସଂଖ୍ୟକ ଛାଲ ଜବତ ହେଉଥିବାବେଳେ ଆଉ କିଛି ଛାଲକୁ ଶିକାରୀମାନେ ବିକିବାରେ ସଫଳ ହେବାନେଇ ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।
କେବଳ କଲରାପତରିଆ ନୁହେଁ, ଶିକାରୀମାନଙ୍କ ହାବୁଡରୁ ମହାବଳ ବି ବର୍ତ୍ତୁ ନାହାନ୍ତି । ପାଞ୍ଚ ବର୍ଷରେ ୬ଟି ମହାବଳବାଘ ଛାଲ ଜବତ ହୋଇଛି । ଜଙ୍ଗଲରେ ମହାବଳ ଶିକାର କରିବା ଏତେଟା ସହଜ ହୋଇନଥିବାବେଳେ ଶିକାରୀମାନେ କିନ୍ତୁ ଏହାକୁ ମାରିବାରେ ସଫଳ ହେଉଛନ୍ତି । ବିଦ୍ୟୁତ୍ ଫାଶ ବସାଇବା ସହିତ ବିଷ ଦେଇ ମହାବଳ ମାରିବାର ଢେର ନଜିର ରହିଛି । ଅର୍ନ୍ତଜାତୀୟ ବଜାରରେ ମହାବଳର ଛାଲ ସହିତ ତାହାର ନଖ, କେଶ, ହାଡ ଆଦିର ଚାହିଦା ଥିବାରୁ ଏହାକୁ ବି ବିକ୍ରିକରି ଦେଉଛନ୍ତି ।
ବାଘ ସହିତ ଶିକାରୀମାନେ ବି ହାତୀକୁ ମାରି ତାହାର ଦାନ୍ତ ବିକ୍ରିକରି ଦେଉଛନ୍ତି । ଏହି ପାଞ୍ଚବର୍ଷରେ ୧୦୭ଟି ହାତୀଦାନ୍ତ ଜବତ ହୋଇଛି । ଶିକାରୀମାନେ ସହଜରେ ହାତୀଙ୍କୁ ମାରି ତାହାର ଦାନ୍ତ କାଟି ନେଉଛନ୍ତି । ଅର୍ନ୍ତଜାତୀୟ ବଜାର ସମେତ ରାଜ୍ୟ ଭିତରେ ବି ହାତୀଦାନ୍ତର ଚାହିଦା ରହିଛି ।
ତେବେ ରାଜ୍ୟରେ ବନ ବିଭାଗ ପକ୍ଷରୁ ହାତୀ ଦାନ୍ତ, ବାଘଛାଲ, ବ୍ରଜକାପ୍ତା ଆଦି ଜୀବଜନ୍ତୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ଫଳରେ ସେମାନେ ବ୍ୟାପକ ଭାବେ ଧରାପଡୁଛନ୍ତି । ତେବେ ଶିକାର କରିବାରେ ଏଗୁଡିକ ଜବତ ହେଉଥିବାରୁ ଜଙ୍ଗଲରୁ କଲରାପତରିଆ, ମହାବଳ ଓ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଧରାପଡୁଥିବା ପଶୁ ଶିକାରୀମାନେ ବର୍ଷ ବର୍ଷ ଧରି ଜେଲରେ ରହୁଥିଲେ ମଧ୍ୟ ସହଜରେ ଏହି ପେଶାକୁ ଛାଡି ପାରୁନାହାନ୍ତି । ରାଜ୍ୟ ଭିତରେ ଓ ବାହାରେ ଥିବା ଚାଲାଣକାରୀମାନେ ଜଙ୍ଗଲ ଆଖପାଖରେ ଲୋକଙ୍କୁ ପ୍ରଲୋଭିତ କରି ପଶୁ ଶିକାର କରୁଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସହିତ ଆଇନ୍ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଯିବା ପରେ ସେମାନେ ଏବେ ଧିରେ ଧିରେ ପଶୁ ଶିକାର ପାଇଁ ଅମଙ୍ଗ ହେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)

